କୋରାପୁଟ: ୨୦୧୦ମସିହାରେ ତତ୍କାଳୀନ କେନ୍ଦ୍ର ସରକାର ୩ ରାଜ୍ୟ ଝାଡଖଣ୍ଡ-ଓଡ଼ିଶା-ଆନ୍ଧ୍ରପ୍ରଦେଶକୁ ଯୋଡିବା ପାଇଁ ଜାତୀୟ ରାଜପଥ ଉନ୍ନୟନ ପ୍ରକଳ୍ପ(ଏନଏଚଡିପି)ରେ ଆରମ୍ଭ କରିଥିଲେ ବିଜୟୱଡା-ରାଞ୍ଚି କରିଡର ବା ଉତ୍ତର-ଦକ୍ଷିଣ କରିଡର ଜାତୀୟ ରାଜପଥ। ୪ବର୍ଷ ମଧ୍ୟରେ ୧୬୨୨କିଲୋ ମିଟର ରାସ୍ତା ନିର୍ମାଣ ପାଇଁ ୧୨୦୦ କୋଟିରେ କରାଯିବା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା।
ତେବେ ଧୀରେଧୀରେ ନିର୍ମାଣ କାମ ମନ୍ଥର ହେବା ସହ ୪ବର୍ଷ ସ୍ଥାନରେ ୧୪ବର୍ଷ ବିତି ସାରିଥିଲେ ହେଁ ଏଯାଏଁ ଏହି ରାଜପଥର ନିର୍ମାଣ କାମ ସରିବା ନାଁ ନେଉନି। ଅପରପକ୍ଷରେ ଏବେ ଆଉ ୭୦୦କୋଟି ବଢ଼ିଯାଇଛି। ଏହି ରାଜପଥ ନିର୍ମାଣ ଦ୍ବାରା ୪ରାଜ୍ୟ ଝାଡଖଣ୍ଡ - ଓଡ଼ିଶା-ତେଲେଙ୍ଗାନା,- ଆନ୍ଧ୍ର ପ୍ରଦେଶର ଆର୍ଥିକସ୍ଥିତି ସଶକ୍ତ ହୋଇ ପାରିବ। ମାଓ ଉପଦୃତ ଇଲାକାରେ ମାଓ ଗତିବିଧି କମିବ। ବୃଦ୍ଧି ପାଇବ ଅର୍ଥନୈତିକ କାରବାର ବୋଲି ଲକ୍ଷ୍ୟ ରହିଥିଲା। ହେଲେ ଯେପରି ଭାବେ କାର୍ଯ୍ୟର ଅଗ୍ରଗତି ହେବା କଥା ସେପରି ଭାବେ ହୋଇପାରିନାହିଁ I ଏହାର ବହୁ ପଛରେ ଆରମ୍ଭ କରାଯାଇଥିବା ଭାରତମାଳା ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ରହିଛି। କେନ୍ଦ୍ର ସରକାର ଜାତୀୟ ରାଜପଥରେ ଉନ୍ନତି ଚାଲିଥିବା କହୁଥିବା ବେଳେ ଓଡ଼ିଶାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ।
ସୂଚନାଯୋଗ୍ୟ, ଏହି କରିଡ଼ରରେ ମୋଟ ୧୬୨୨ କିମି ଜାତୀୟ ରାଜପଥର ନିମାର୍ଣ କାମ ହେବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେଥିମନ୍ଧରୁ ଓଡ଼ିଶାରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଂଜାମ, ଫୁଲବାଣି, ବୈଦ୍ଧ, ସମ୍ବଲପୁର, ଅନୁଗୁଳ, ଦେଓଗଡ, କେନ୍ଦୁଝର, ମୟୁରଭଂଜ ଏଭଳି ୧୨ଟି ଜିଲ୍ଲାରେ ୧୨୧୯ କିମି, ଆନ୍ଧ୍ରପ୍ରଦେଶର ୨୩୬ କିମି ଓ ଝାରଖଣ୍ଡର ୧୬୭ କିଲୋମିଟର ରାଜପଥ ରହିଛି।
ଏଥିମଧ୍ୟରେ ଓଡ଼ିଶାର ୨୩୫.୮ କିମି ଜାତୀୟ ରାଜପଥ, ୮୭୮ କିମି ରାଜ୍ୟ ସଡକପଥ ଓ ୧୦୪.୫କିମି ଗ୍ରାମାଂଚଳର ରାସ୍ତା ରହିଛି। ବିଜୟୱାଡାରୁ ବାହାରି ଖମାମ, ଭଦ୍ରାଚଳମ, ମୋଟୁ, ମାଲାକାନଗିରି, ଜୟପୁର, କୋରାପୁଟ, ରାୟଗଡ଼ା, ଦିଗପହଣ୍ଡି, ଆସିକା, ଭଂଜନଗର, ଶଙ୍କରାଖୋଲ, ଫୁଲବାଣୀ, ବୈଦ୍ଧ, କିଆକଟା, ରେଢ଼ାଖୋଲ, ନାକଟିଦେଓଲ, ଛେଣ୍ଡିପଦା, ଦେଓଗଡ, କେଉଁଝର, ଡେଙ୍କିକୋଟ, ଟଙ୍ଗବାଳିଆ, ରାଇରଙ୍ଗପୁର, ତିରିଂ, ହାଟଚାଳିବସା, ଚକ୍ରଧରପୁର ଓ ରାଂଚି ରହିଛି।
ଏହି କରିଡର ନିମାର୍ଣ ପାଇଁ ରାଜ୍ୟ ସରକାର ୧୧୫କୋଟି, କେନ୍ଦ୍ର ସରକାର ପକ୍ଷରୁ ୧୨୦ କୋଟି, ଅତିରିକ୍ତ କେନ୍ଦ୍ରୀୟ ବଜେଟରେ ୪୦ କୋଟି, ବିଶ୍ୱ ବ୍ୟାଙ୍କ ପକ୍ଷରୁ ୪୦ କୋଟି, କେନ୍ଦ୍ରୀୟ ସଡକପଥ ପାଣ୍ଠିରୁ ୧୯୫ କୋଟି, ଯୋଜନା କମିଶନର ଆବଣ୍ଟନରେ ୧୦୦ କୋଟି, କେନ୍ଦ୍ର ସରକାରଙ୍କର ଏଇଡ଼ଡିଆର ଯୋଜନାରେ ୬୯ କୋଟି ଓ ଭାରତ ସରକାରଙ୍କ କରିଡର ବିଜୟଓ୍ବାଡା-ରାଞ୍ଚି ଯୋଜନାରେ ୧୧୨୫ କୋଟି ବ୍ୟୟବରାଦ ସହ ମୋଟ ଭାବେ ୧୯୦୦ କୋଟି ଟଙ୍କା ମଞ୍ଜୁର ହୋଇଛି।
କୋରାପୁଟ ଜିଲ୍ଲାର ୧୩୮ କିମି ଓ ରାୟଗଡା ଜିଲ୍ଲାର ୧୨୭କିଲୋ ମିଟର କାମ ୭୦ ପ୍ରତିଶତ ସରିଛି। ମୋଟୁ-ମାଲକାନଗିରି- କାଲିମେଳା-ଗୋବିନ୍ଦପାଲି-ଜୟପୁର ପ୍ରାୟ ୧୬୭ କିଲୋମିଟର ରାଜପଥରୁ ପ୍ରାୟ ୭୫ ପ୍ରତିଶତ କାର୍ଯ୍ୟ ଶେଷ ହୋଇସାରିଛି। ନିର୍ଦ୍ଧାରିତ ସମୟ ଠାରୁ ଅଧିକ ସମୟ ବିତିଥିଲେ ମଧ୍ୟ ଘାଟି ରାସ୍ତା ଓ ବିଭିନ୍ନ କାରଣ ବଶତଃ ୩୦ ପ୍ରତିଶତ ରାସ୍ତା ଶେଷ ହୋଇପାରିନାହିଁ ବୋଲି ଏନଏଚ ପକ୍ଷରୁ କୁହାଯାଇଛି।
ଭାରତମାଳା ଆର୍ଥନୈତିକ କରିଡ଼ର ରାସ୍ତା ନିର୍ମାଣକୁ ଯେଭଳି ଗୁରୁତ୍ବ ଦିଆଯାଉଛି ଠିକ ସେହିପରି ବିଜୟୱାତା-ରଞ୍ଚି କରିଡରକୁ ବି ଦିଆଯାଉ। ଉଭୟ ରାସ୍ତାର କାର୍ଯ୍ୟ ଶୀଘ୍ର ସରିଲେ ଅଭିବକ୍ତ କୋରାପୁଟ ଜିଲ୍ଲାର ଉତ୍ପାଦିତ କୃଷି ଜାତ ଦ୍ରବ୍ୟ ଠାରୁ ଆରମ୍ଭ କରି ଅନ୍ୟ କ୍ଷେତ୍ରରେ ବି ସାମଗ୍ରୀକ ବିକାଶ ହେବା ସହ ଆର୍ଥନୈତିକ ଅଭିବୃଦ୍ଧି ହେବ ଏବଂ କେନ୍ଦ୍ରସରକାରଙ୍କ ଲକ୍ଷ୍ୟ ପୁରଣ ହୋଇ ପାରିବ ବୋଲି କହିଛନ୍ତି ବହୁ ବୁଦ୍ଧିଜୀବୀ କହିଛନ୍ତି।