ବାଙ୍ଗିରିପୋଷି: ଚବିଶ ଘଣ୍ଟା ହେଲା ମହିଳାଙ୍କ ଶବ ପଡ଼ିରହିଛି। ପରିବାରକୁ ୧୮ ବର୍ଷ ପୂର୍ବେ କରିଥିବା ଜରିମାନା ଟଙ୍କା ଦେଇ ନଥିବାରୁ ମହିଳାଙ୍କ ଶବସତ୍କାର କରିବା ପାଇଁ ଦେଉ ନାହାନ୍ତି ଗ୍ରାମବାସୀ। ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦିଘି ଗ୍ରାମପଞ୍ଚାୟତ ଦୋରକଣ୍ଟିଆ ଗ୍ରାମର ସୁନ୍ଦର ମୋହନ ମାର୍ଣ୍ଡିଙ୍କୁ ଡାହାଣୀ ସନ୍ଦେହ କରି ଗ୍ରାମବାସୀମାନେ ୨୫ ହଜାର ଟଙ୍କା ଜରିମାନା କରିଥିଲେ। ଏହାକୁ ନେଇ ଗ୍ରାମବାସୀ ପରିବାରକୁ ବାସନ୍ଦ ମଧ୍ୟ କରିଥିଲେ ବୋଲି ମୋହନ ମାରାଣ୍ଡି କହିଛନ୍ତି।
ତେବେ ୨୩ ତାରିଖ ସଂଧ୍ୟା ସମୟରେ ସୁନ୍ଦର ମୋହନ ମାର୍ଣ୍ଡିଙ୍କର ସ୍ତ୍ରୀ ସାକ୍ରମଣୀ ମାର୍ଣ୍ଡି (୪୫)ଙ୍କ ମୃତ୍ୟୁ ହୋଇଥିଲା। ପୂର୍ବରୁ ଶ୍ରୀ ମାର୍ଣ୍ଡିଙ୍କୁ ଜରିମାନା କରିଥିବା ୨୫ ହଜାର ଟଙ୍କା ଦେଇନଥିବାରୁ ଶବ ସଂସ୍କାର ଲାଗି ଗ୍ରାମବାସୀମାନେ ଶବକୁ ଛାଡ଼ି ନଥିଲେ। ଖବର ପାଇ ସାଙ୍ଗେଲ ଅଭିଯାନର ୧୦ରୁ ଊର୍ଦ୍ଧ୍ବ କର୍ମକର୍ତ୍ତା ୨୪ ତାରିଖ ସକାଳୁ ପହଞ୍ଚି ପୁଲିସ ଓ ଗ୍ରାମବାସୀ ସହିତ କଥାବାର୍ତ୍ତା କରି ଶବ ସତ୍କାର ପାଇଁ ଦିନ ୧୧ ଟା ସମୟରେ ଶବକୁ ନେଉଥିବା ବେଳେ ସେମାନଙ୍କୁ ରାସ୍ତାରେ ୫୦-୬୦ ଜଣ ଗ୍ରାମବାସୀ ଅଟକାଇଥିଲେ।
ରାସ୍ତାରେ ପଡ଼ିରହିଛି ଶବ। ଝିପିଝିପି ବର୍ଷା ଲାଗିରହିଛି। ଘଟଣାସ୍ଥଳରେ ବାଙ୍ଗିରିପୋଷି ଅତିରିକ୍ତ ତହସିଲଦାର ଦାମୋଦର ପ୍ରଧାନ, ଥାନା ଅଧିକାରୀ ରୋଜାଲିନ ବେହେରା, ଏସଆଇ ହେମନ୍ତ କୁମାର ପାତ୍ର ସହିତ ପୁଲିସ କର୍ମଚାରୀ, ଓଡ଼ିଶା ସାଙ୍ଗେଲ ପାରଗାନାର ନାରାୟଣ ମୁର୍ମୁ, ବିକାଶ ଚନ୍ଦ୍ର ହେମ୍ବ୍ରମ, ବାହାଦୁର ସୋରେନ, ମଙ୍ଗଲ ମୁର୍ମୁ, ଜିତେନ୍ଦ୍ର ହେମ୍ବ୍ରମ ଉପସ୍ଥିତ ଅଛନ୍ତି। ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି।
ଗ୍ରାମବାସୀମାନେ ଡାହାଣୀ କଥାକୁ ଅସ୍ବୀକାର କରିଛନ୍ତି। ପରିବାରକୁ ବାସନ୍ଦ କରିବା ସତ। ହେଲେ ସୁନ୍ଦମୋହନ ମାରାଣ୍ଡିଙ୍କ ପୁଅ ସହିତ ଅନ୍ୟ ଜଣେ ମହିଳାଙ୍କ ଅନୈତିକ ସମ୍ପର୍କକୁ ନେଇ ଗ୍ରାମବାସୀ ଜରିମାନା କରିଥିଲେ ବୋଲି ନାଏବ ସରପଞ୍ଚ ଠାକୁରା ମାଝୀ କହିଛନ୍ତି। ଥାନା ଅଧିକାରୀ ରୋଜାଲିନ ବେହେରା କହନ୍ତି ଆମେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛୁ। ଗ୍ରାମବାସୀ କିଛି ଶୁଣୁ ନାହାଁନ୍ତି। ଏବେ ସୁଦ୍ଧା ଥାନାରେ ଲିଖିତ ଅଭିଯୋଗ ହୋଇ ନାହିଁ।