-ଅଙ୍ଗନବାଡି କେନ୍ଦ୍ରରେ ପୋଷଣଯୁକ୍ତ ଖାଦ୍ୟ ବଣ୍ଟନରେ ଅନିୟମିତତା ଘଟଣା
-ସମସ୍ୟା ସମାଧାନ ନହେବା ପର୍ଯ୍ୟନ୍ତ ଅଙ୍ଗନବାଡି କେନ୍ଦ୍ରରେ ପଡିଲା ତାଲା
ବୈଶିଙ୍ଗା: ରାଜ୍ୟ ସରକାର ଗର୍ଭବତୀ, ପ୍ରସୂତି, କିଶୋରୀ ଓ ଜନ୍ମରୁ ୬ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ପୋଷଣଯୁକ୍ତ ଖାଦ୍ୟ ଅଙ୍ଗନୱାଡି ଜରିଆରେ ଯୋଗାଇ ଦେଉଥିବା ବେଳେ ଅଙ୍ଗନୱାଡି କର୍ମୀ ପୋଷଣଯୁକ୍ତ ଖାଦ୍ୟକୁ ବଣ୍ଟନ ନକରି ନଷ୍ଟ କରି ଦେଉଥିବା ଅଭିଯୋଗ କରିଵା ପରେ ୫ଦିନ ପର୍ଯ୍ୟନ୍ତ ପ୍ରଶାସନ ଚୁପ ବସିବା ଯୋଗୁଁ ଉକ୍ତ ଅଙ୍ଗନବାଡି କେନ୍ଦ୍ରର କର୍ମୀଙ୍କ ବହିଷ୍କାର ଦାବିରେ ସୋମବାର ଘେରିଲେ ଗ୍ରାମବାସୀ ଓ ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଅଙ୍ଗନୱାଡି କେନ୍ଦ୍ରକୁ ତାଲା ପକାଇଲେ ଗ୍ରାମବାସୀ l ଏହିଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଅଧୀନ ଗଡଦେଉଳିଆ ପଞ୍ଚାୟତର ଶ୍ରୀବତ୍ସପୁର ଗ୍ରାମରେ।
ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ ତାଙ୍କ ଗ୍ରାମର ୩୧ଜଣ ଗର୍ଭବତୀ, ପ୍ରସୂତି ମହିଳାଙ୍କ ନାମ ଶ୍ରୀବତ୍ସପୁର ଅଙ୍ଗନବାଡି କେନ୍ଦ୍ରରେ ପଞ୍ଜିକୃତ ଥିବାବେଳେ ବିଗତ ୪ମାସ ଜଣେ ହେଲେ ମହିଳା ବାଦାମ ଲଡ଼ୁ, ରାଶି ଲଡ଼ୁ, ଖଜରା, ବୁଟ, ମୁଢ଼ି, ହଳଦିଆ ଛତୁଆ ଆଦି ଖାଦ୍ୟ ପାଇବାରୁ ବଞ୍ଚିତ ଅଛନ୍ତି। ଏନେଇ ସେମାନେ ସେଠାକାର ଅଙ୍ଗନବାଡି କର୍ମୀ ଶାନ୍ତିଲତା ସିଂଙ୍କୁ ଯେତେଥର ପଚାରିଲେ ବି ସେ ଖାଦ୍ୟ ଉପରୁ ଆସିନାହିଁ କହି ସମୟ ଗଡ଼ାଇ ଚାଲିଛନ୍ତିl ହେଲେ ଆଜି ହଠାତ କିଛି ମହିଳାଙ୍କୁ ଖାଦ୍ୟ ବଣ୍ଟନ କରିବା ନେଇ ସେ ଜଣାଇଥିଲେ। ସେମାନେ ଆସି ଦେଖିବାକୁ ପାଇଥିଲେ କି ତାଙ୍କର ୪ମାସର ଖାଦ୍ୟ ପାଇବାକୁ ବାକି ଥିବାବେଳେ କେବଳ ଜୁଲାଇ ମାସର ଖାଦ୍ୟ ଦିଆଯାଉଛି। ହେଲେ ଗଡ଼ରେଜ ଖୋଲି ଦେଖିବାକୁ ପାଇଥିଲେ କି ଅନେକ ଖାଦ୍ୟ ପ୍ୟାକେଟ ଗଛିତ ହୋଇ ରହିଛି। ସେ ପ୍ରସୂତି ହୁଅନ୍ତୁ କି ଗର୍ଭବତୀ, କାହାରିକୁ ଛତୁଆ ମିଳୁନି।
ସେହିଭଳି ପିଲାମାନଙ୍କୁ ଛତୁଆ ଓ ଅଣ୍ଡା ଧାର୍ଯ୍ୟ ମୁତାବକ ବି ମିଳୁନି। ଏମିତିକି ପ୍ରତ୍ୟହ ଅଙ୍ଗନବାଡି କେନ୍ଦ୍ର ଖୋଲାଯାଉନି, ଯେଉଁଥିପାଇଁ ସେମାନେ ଏହା ସମ୍ବନ୍ଧରେ ଶାନ୍ତିଲତାଙ୍କୁ ପଚାରିଥିଲେ। ହେଲେ ସେକୌଣସି ସନ୍ତୋଷଜନକ ଉତ୍ତର ଦେଇନପାରି ଉପରୁ ଖାଦ୍ୟ ଆସିନାହିଁ ବୋଲି ଯୁକ୍ତି ବଢିଥିଲେl ଫଳରେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲାl ପରେ ଗ୍ରାମବାସୀମାନେ ଉକ୍ତ ଅଞ୍ଚଳ ଦାୟିତ୍ୱରେ ଥିବା ସୁପରଭାଇଜରଙ୍କୁ ଫୋନ କରିଥିଲେ, ହେଲେ ସେ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ସମସ୍ତଙ୍କର ଖାଦ୍ୟ କେନ୍ଦ୍ରକୁ ପଠାଇଛନ୍ତି ବୋଲି ଉତ୍ତର ଦେଇଥିଲେ। ଉତ୍ତେଜିତ ଲୋକମାନେ ଶାନ୍ତିଲତାଙ୍କୁ ଦୀର୍ଘସମୟ ପର୍ଯ୍ୟନ୍ତ ଉକ୍ତ କେନ୍ଦ୍ରରେ ଅଟକ ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ସମସ୍ୟାର ସମାଧାନ ନେଇ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ପାଇଵା ପରେ ଗ୍ରାମବାସୀ ଶାନ୍ତ ପଡ଼ିଥିଲେ। ହେଲେ ଏହା ମଧ୍ୟରେ ୫ଦିନ ବିତିଯାଇଥିଲେ ବି କୌଣସି ବିଭାଗୀୟ ଅଧିକାରୀଙ୍କ ଦେଖା ମିଳିନଥିଲା।
ସୁପରଭାଇଜର କବିତା ପଟ୍ଟନାୟଜ ହଠାତ ସମସ୍ୟାର ସମାଧାନ ପାଇଁ ଉକ୍ତ କେନ୍ଦ୍ର ନିକଟକୁ ଆସିଥିବାବେଳେ ଗ୍ରାମବାସୀ ଖବରପାଇ ତାଙ୍କୁ ସେଠାରେ ଘେରିଥିଲେl ପରେ ଗ୍ରାମବାସୀଙ୍କ ଉପସ୍ଥିତିରେ ଅଙ୍ଗନୱାଡି କେନ୍ଦ୍ର ନିକଟରେ ଏକ ବୈଠକ ବସାଇ ଥିଲେl ତେବେ ସେଠାରେ ମଧ୍ୟ ପ୍ରସୂତୀ ଓ ଗର୍ଭବତୀ ମହିଳାମାନଙ୍କୁ ଦୁର୍ବ୍ୟବହାର କରିବା ଓ ଅନେକ ସମୟରେ କେନ୍ଦ୍ରକୁ ବନ୍ଦ ରଖିବା ଭଳି ଅନେକ ଅଭିଯୋଗ ସୁପରଭାଇଜରଙ୍କ ନିକଟରେ ଫେରାଦ ହେଇଥିଲେ ଗ୍ରାମବାସୀl ସୁପରଭାଇଜର ନା ସମସ୍ୟାର ସମାଧାନ କରିପାରିଲେ ନା ଗ୍ରାମବାସୀଙ୍କୁ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିଲେl ଫଳରେ ଉତ୍ତ୍ୟକ୍ତ ଗ୍ରାମବାସୀ ସୁପରଭାଇଜରଙ୍କ ଉପସ୍ଥିତରେ ଅଙ୍ଗନୱାଡି କେନ୍ଦ୍ରକୁ ତାଲା ପକାଇ ସୁପରଭାଇଜରଙ୍କୁ ଚାବିକାଠି ଦେଇଥିଲେ ଗ୍ରାମବାସୀ ଓ ବିଭାଗୀୟ ଉପରିସ୍ଥ ଅଧିକାରୀମାନେ ଏହି ସମସ୍ୟାର ସମାଧାନ ତୁରନ୍ତ ନ କଲେ ଆନ୍ଦୋଳନ ଉଗ୍ର ରୂପ ଧାରଣ କରିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଥିଲେl
ଏ ନେଇ ବେତନଟୀ ସିଡିପିଓ ପାନବତୀ ମୁର୍ମୁଙ୍କୁ ଯୋଗାଯୋଗ କରିବା ପରେ ସେ ଏହି ଘଟଣା ବାବଦରେ ଅବଗତ ଅଛନ୍ତି ଏବଂ ସୁପରଭାଇଜରଙ୍କ ତଦନ୍ତ ରିପୋର୍ଟ ପାଇଲା ପରେ ସେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରକାଶ କରିଛନ୍ତିl