ଘୁ.ଉଦୟଗିରି: କେବଳ ନାମକୁ ମାତ୍ର ଗଦିଙ୍ଗିଆ ଗାଁ ରାସ୍ତାରେ କିଛି ବର୍ଷ ପୂର୍ବେ ମହାତ୍ମାଗାନ୍ଧୀ ଗ୍ରାମୀଣ ରୋଜଗାର ଯୋଜନାରେ ମାଟି ପଡ଼ିଥିଲା ଗୋଟିଏ ବର୍ଷା ହେଲା ପରେ ସେଠାରେ ଗାର୍ଡ ୱାଲ୍ ନଥିବା କାରଣରୁ ପଡ଼ିଥିବା ସବୁ ମାଟି ଗୁଡ଼ିକ ଧୋଇ ହୋଇ ଯାଉଛି। ବାରମ୍ବାର ପ୍ରଶାସନଙ୍କୁ ଅବଗତ କରିସାରିଲା ପରେ କୌଣସି ଅଧିକାରୀ ଦୃଷ୍ଟି ନଦେବାରୁ ବାଧ୍ୟହୋଇ ଗତ ଜାନୁଆରି ୧୨ ତାରିଖ ଦିନ ଗଦିଙ୍ଗିଆର ବୃଦ୍ଧା ବାପା ମାଆ ନିଜ ଭତ୍ତା ଟଙ୍କାରୁ କିଛି କିଛି ଏବଂ ଯୁବଗୋଷ୍ଠୀ ଦିନ ମଜୁରି କରି କିଛି କିଛି ଟଙ୍କା ନିଜ ହାତରୁ ବାହାର କରି ସେହି ଟଙ୍କାରୁ ଗୋଡ଼ି, ବାଲି ଓ ସିମେଣ୍ଟ କିଣି ଆଣି ନିଜେ ପରିଶ୍ରମ କରି ପ୍ରଥମ ଘାଟି ର କିଛି ଅଂଶକୁ ମରାମତି କରିଥିଲେ।
ସେହି ଗ୍ରାମର ଉତ୍ସବ ପ୍ରଧାନଙ୍କ ପୁଅର ହଠାତ୍ ଦେହ ଅସୁସ୍ଥ ହୋଇଥିଲା ଏବଂ ସେମାନେ ରାତିରେ କେତୋଟି ଅଟୋକୁ ଯୋଗାଯୋଗ କରିଥିଲେ। କିନ୍ତୁ ଭଲ ରାସ୍ତା ନ ଥିବା କାରଣରୁ ଅଟୋ ଯିବାକୁ ମନା କରିଥିଲେ। ଏଣୁ ବାଧ୍ୟ ହୋଇ ଆଜି ପୁଣି ଯୁବଗୋଷ୍ଠୀ କୋଦାଳ, କୋଡ଼ି, ସାବକ ଧରି ନିଜେ ପରିଶ୍ରମ କରି ରାସ୍ତାରେ ମାଟି ପକାଇ ରାସ୍ତା ମରାମତି କରିବା ନିମନ୍ତେ ବାହାରିଲେ।
ଜାତୀୟ ରାଜପଥ ଠାରୁ ତିନି କିମି ଦୂରରେ ଗଦିଙ୍ଗିଆ ଗାଁ। କଳିଙ୍ଗା ପଞ୍ଚାୟତ ର ୧ନଂ ୱାର୍ଡ। ଏହି ଗ୍ରାମବାସୀଙ୍କ ଦୁଃଖ ଗାଁ ରାସ୍ତା।ରାସ୍ତା ନଥିବା କାରଣରୁ ଗାଁକୁ ଗାଡି ଯାଇପାରୁନି। ରୋଗରେ ପଡିଲେ କିମ୍ବା ଗର୍ଭବତୀ ମହିଳା ପ୍ରସୂତି ଜନିତ ବ୍ୟଥା ହେଲେ ଦୋଳା ହିଁ ଏକ ମାତ୍ର ଭରସା।
ନିଜ ଗାଁ ରାସ୍ତା ପାଇଁ ଗଦିଙ୍ଗିଆ ଗ୍ରାମବାସୀ ତଳୁ ଉପର ପର୍ଯ୍ୟନ୍ତ ସମସ୍ତ ଅଧିକାରୀ ରାଜନେତାଙ୍କୁ ଲିଖିତ ନିବେଦନ କଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଯୋଗୁଁ ନିଜ ନିଜ ଭାଗ୍ୟକୁ ଆଦରି ନିଜ ଗାଁ ରାସ୍ତା ନିଜେ ନିର୍ମାଣ କରୁଛନ୍ତି ନିଜସ୍ୱ ଉଦ୍ୟମରେ। ଗତ ମାସରେ କିଛି ଅଂଶ କଂକ୍ରିଟ ରାସ୍ତା ନିର୍ମାଣ କରିଥିଲେ। ପୁଣି ସମସ୍ୟା ଉପୁଜିବାରୁ ଆଜି ପୁଣି ଚାନ୍ଦା କରି ଶ୍ରମଦାନ କରି ଆଉ କିଛି ରାସ୍ତା ନିର୍ମାଣ କରୁଥିବା ଦୃଶ୍ୟ ଦେଖିବା ପରେ ଆମ ଶାସନ ଏବଂ ଆମ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠୁଛି। ରାଜ୍ୟ ଏବଂ କେନ୍ଦ୍ର ସରକାର ମାଳମାଳ ଯୋଜନା ପ୍ରସ୍ତୁତ କରୁଛନ୍ତି ହେଲେ ଗୋଟିଏ ରାସ୍ତା ନିର୍ମାଣ ପାଇଁ ସକ୍ଷମ ନ ନଥିବା ସରକାର ଏବଂ ପ୍ରଶାସନ ର ଅପାରଗତା କୁ ପଦାରେ ପକେଇବା ସହ ଗାଁର ବିକାଶ ପାଇଁ ଚଳେଇ ଥିବା ପ୍ରଚାର ପ୍ରସାର ଏକ ଧୂଆଁ ବାଣ ସଦୃଶ।