ଡ଼ାବୁଗାଁ: ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ବ୍ଲକ ମେଦନା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚାଟିଗୁଡ଼ା ଖେଳ ପନିଆ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଦାବି ହେଉଥିଲେ ସୁଦ୍ଧା ପ୍ରଶାସନ ତରଫରୁ ଏହାକୁ ଅଣଦେଖା କରିବା ପରେ ଗୁରୁବାର ଦିନ ଗ୍ରାମର ଯୁବକମାନେ ନିଜସ୍ୱ ପ୍ରଚେଷ୍ଟାରେ ମାଟି ମୂରୁମ ପକାଇ ରାସ୍ତା ନିର୍ମାଣ କରିଛନ୍ତି। ମେଦନା ଗ୍ରାମପଞ୍ଚାୟତର ଚାଟିଗୁଡା ଗ୍ରାମ ନିକଟରେ ଏକ ଖେଳ ପଡିଆ ରହିଛି।

Advertisment

ଏହି ଖେଳ ପଡିଆ ଗ୍ରାମ ଠାରୁ ମାତ୍ର ୫୦୦ ମିଟର ଦୂରରେ ରହୁଥିବା ବେଳେ ସ୍ଥାୟୀ ରାସ୍ତା ନ ଥିବାରୁ ଗ୍ରାମବାସୀ ଚଲା ରାସ୍ତାରେ ଯାତାୟାତ କରନ୍ତି। ଚାଟିଗୁଡ଼ା ଗ୍ରାମବାସୀ ବହୁଳ ଭାବରେ ଧାନ ସହ ମକା ଚାଷ କରନ୍ତି। ଚଳିତ ରବିଋତୁରେ ୧୦୦ ଏକରରୁ  ଊର୍ଦ୍ଧ୍ବ ଜମିରେ ମକାଚାଷ କରାଯାଇଛି। ତେବେ ମକା ଅମଳ ପରେ ଶୁଖାଇବାକୁ ପିଣ୍ଡିର ବ୍ୟବସ୍ଥା ନ ଥିବାରୁ ଚାଷୀମାନେ ଖେଳ ପଡ଼ିଆ ଉପରେ ନିର୍ଭର ହୋଇ ସେହିଠାରେ ମକା ଶୁଖାନ୍ତି। 

 

ତେବେ ଗ୍ରାମ ଠାରୁ ୫୦୦ ମିଟର ଦୂରରେ ଥିବା ଏହି ଖେଳ ପଡିଆ କୁ ରାସ୍ତା ନ ଥିବାରୁ ସେହି ସ୍ଥାନକୁ ଟ୍ରାକ୍ଟର କିମ୍ବା ଚାରି ଚକିଆ ଯାନ ଯାତାୟାତ ଅସୁବିଧା ହେଉଥିଲା। ଦୁଇବର୍ଷ ତଳେ ତତ୍କାଳିନ ନବରଙ୍ଗପୁର ଜିଲ୍ଲାପାଳ କମଳ ଲୋଚନ ମିଶ୍ର, ଡ଼ାବୁଗାଁ ବିଡିଓ ଶରତ ମାଝୀ,ଉପ ଜିଲ୍ଲାପାଳ ତଥା ଅନ୍ୟାନ୍ୟ ଅଧିକାରୀ ଚାଟିଗୁଡ଼ା ଗ୍ରାମ ଗସ୍ତରେ ଯାଇ ଖେଳ ପଡିଆ ନିକଟରେ ମକାଚାଷି ପିଣ୍ଡି ଅଭାବରୁ ମକା ପଡିଆ ରେ ଶୁଖାଇ ଥିବା ଦେଖିବା ପରେ ଗ୍ରାମବାସୀଙ୍କୁ ଖେଳ ପଡିଆର ଉନ୍ନତିକରଣ, ବୋରୱେଲ ଖନନ କରାଯାଇ ଘାସ ଉତ୍ପାଦନ, ଗୁହାଳ ଘର ନିର୍ମାଣ ସହ ଖେଳ ପଡିଆ ପର୍ଯ୍ୟନ୍ତ ୫୦୦ ମିଟର ରାସ୍ତା ନିର୍ମାଣ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଦୁଇ ବର୍ଷ ବିତି ଯାଇଥିଲେ ସୁଦ୍ଧା ଖେଳ ପଡିଆ ର ଉନ୍ନତି ଛାଡ ରାସ୍ତା କାର୍ଯ୍ୟ ହୋଇପାରିଲା ନାହିଁ। 

ଗ୍ରାମବାସୀ ଏଥି ନିମନ୍ତେ ପଲ୍ଲୀ ସଭା ଓ ଗ୍ରାମ ସଭା ମାଧ୍ୟମରେ ଅଭିଯୋଗ କରିବା ସହ ବ୍ଲକ ପ୍ରଶାସନ କୁ ବାରମ୍ବାର ଅଭିଯୋଗ କରି ଆସୁଥିଲେ। ତେବେ ପ୍ରଶାସନ ଚୁପ୍ ରହିବାରୁ ଆଜି ବାଧ୍ୟ ହୋଇ ଗ୍ରାମବାସୀ ଖେଳ ପଡିଆ ପର୍ଯ୍ୟନ୍ତ ୫୦୦ ମିଟର ରାସ୍ତାକୁ ମାଟି ମୁରୁମ ପକାଇ ନିର୍ମାଣ କରିଥିଲେ। ଚଳିତ ବର୍ଷ କାଳବୈଶାଖୀ ପ୍ରଭାବରେ ମକାଚାଷୀ ମାନେ ପିଣ୍ଡିର ବ୍ୟବସ୍ଥା ନ ଥିବାରୁ ଜରି ପାଲ ଘୋଡାଇ ପଡ଼ିଆରେ ମକା ଶୁଖାଇ ଥିଲେ ସୁଦ୍ଧା ଅଧିକାଂଶ ମକା ଚାଷୀଙ୍କ ମକା ପାଣିରେ ନଷ୍ଟ ହୋଇଯାଇଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

Nabarangpur