ଝରିଗାଁ: ଆଜିକାଲି ଆଉ ପୂର୍ବ ଭଳି ଘଞ୍ଚ ଜଙ୍ଗଲ ଦେଖିବାକୁ ମିଳୁନାହିଁ। ବିଭିନ୍ନ ଅଞ୍ଚଳରୁ ଲୋକମାନେ ଆସି ଜଙ୍ଗଲ ନଷ୍ଟ କରି ଜନବସତି ସ୍ଥାପନ କରିବା ସହ ଚାଷ ଜମି କରିଦେଇଛନ୍ତି। ରାଜ୍ୟର ଅନ୍ୟ ଅଞ୍ଚଳ ସମେତ ନବରଂଗପୁର ଜିଲ୍ଲା ଝରିଗାଁ ବ୍ଲକରେ ଜଳବାୟୁ ପରିବର୍ତ୍ତନ ହେବାରେ ଲାଗିଛି। ଫଳରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ବ୍ଲକରେ ବିଭିନ୍ନ କିସମର ଚାଷ କରିବାରେ ସମସ୍ୟା ହେବା ସହ କାର୍ତ୍ତିକ ମାସରେ ଜ୍ୟେଷ୍ଠ ମାସର ତାତି ଅନୁଭବ ହେଉଛି। 

Advertisment

ଙ୍ଗଲ ସୁରକ୍ଷା କମିଟି ଏବଂ ଗ୍ରାମବାସୀଙ୍କ ପ୍ରୟାସ ସହ ବନ ବିଭାଗ ସହାୟତାରେ କିଛି ଜଙ୍ଗଲ ସୁରକ୍ଷିତ ରହିଛି।ସେହିଭଳି ଏକ ଶତାୟୁ ଜଙ୍ଗଲ ନବରଙ୍ଗପୁର ଜିଲ୍ଲା ଝରିଗାଁ-ଉମରକୋଟ ଯିବା ରାସ୍ତା କଡ଼ରେ ଥିବା ଗୋରାମ୍ବା ଗ୍ରାମ ନିକଟରେ ଦେଖିବାକୁ ମିଳିଛି।

ଆଜିକୁ ଏକ ଶହ ବର୍ଷ ପୂର୍ବେ ଏକାମ୍ବା ପଞ୍ଚାୟତ ଅନ୍ତର୍ଗତ ଗୋରାମ୍ବା ଗ୍ରାମ ନିକଟରେ ପ୍ରାକୃତିକ ଜଙ୍ଗଲ ସୃଷ୍ଟି ହୋଇଥିଲା। ଉକ୍ତ ଜଙ୍ଗଲକୁ ଭୀମାଭାଟ୍ଟା ଜଙ୍ଗଲ ନାମରେ ନାମିତ କରାଯାଥିଲା। ଗୋରାମ୍ବା ଗ୍ରାମର ପୂର୍ବ ପୁରୁଷମାନେ ସୁରକ୍ଷା ଦେଇ ଆସୁଥିବା ବେଳେ ପିଢି ପରେ ପିଢି ଗ୍ରାମବାସୀ ଜଙ୍ଗଲକୁ ସୁରକ୍ଷା ଦେଇ ଆସୁଛନ୍ତି। ପ୍ରାୟ ୫୦ ଏକର ଜାଗାରେ ଭୀମାଭାଟ୍ଟା ଜଙ୍ଗଲ ରହିଥିବା ବେଳେ ଜଙ୍ଗଲରେ ୨୦୦ ଶହରୁ ଅଧିକ ବିରାଟ ଶାଳ, ପିଆଶାଳ, କେନ୍ଦୁ, ସିଉନା, ହରିଡ଼ା, ବାହାଡ଼ା, ବେଲ, ଅଁଅଳା, ଶାଗୁଆନ, ମହାଲିମ୍ବ, ଆଦନ ସୁନାରି ଭଳି ବିଭିନ୍ନ ଗଛ ରହିଥିବା ବେଳେ ଔଷଧୀୟ ବୃକ୍ଷ ସମେତ ଲତା ଗୁଲ୍ମ ମଧ୍ୟରେ ଦେଓ ବାଡ଼ନି, ସୁକନ୍ଦି, ବାତ୍ରୀ, ସାଏତ, ପାଡେଲ, ସାନସାଏତ, ଦୁଦେଲି, ଖେରମେଟା ଆଦି ଭରି ରହିଛି।

ସେହିପରି ଜଙ୍ଗଲ ମଧ୍ୟରେ ଭାଲୁ, ଠେକୁଆ,ବିଲୁଆ ସହ ବିଭିନ୍ନ ଚଢେଇ ଓ ମହୁମାଛି ଆଦି ରହୁଥିବା ଗ୍ରାମବାସୀ କହିଛନ୍ତି। ଜଙ୍ଗଲ ମଝିରେ ରହିଛି ମୁଣ୍ଡା ଘୋଷଣି ମନ୍ଦିର ସ୍ଥାପନ ହୋଇଛି। ବର୍ଷର ଆଷାଢ଼ ମାସରେ ମୁଣ୍ଡା ଘୋଷଣି ଦେବୀଙ୍କ ପୂଜା କରାଯାଇଥାଏ। ଜଙ୍ଗଲରେ ରହୁଥିବା ପଶୁ ପକ୍ଷୀମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ଦୁଇ ଗୋଟି ପୋଖରୀ ଖନନ ହୋଇଛି। ଉକ୍ତ ଜଙ୍ଗଲକୁ ଝରିଗାଁ ବନ ବିଭାଗ ସହାୟତାରେ ଜଙ୍ଗଲ ସୁରକ୍ଷା କମିଟି ଓ ଗ୍ରାମବାସୀ ବର୍ତ୍ତମାନ ପାଳି କରି ସୁରକ୍ଷା ଯୋଗାଇ ଆସୁଛନ୍ତି।

ଜଙ୍ଗଲ ନଷ୍ଟ କଲେ ଜରିମନାର ବ୍ୟବସ୍ଥା ରହିଛି। ଏପରିକି ଜଙ୍ଗଲ ଭିତରୁ କାଠି ଟିଏ ଆଣିବା କଷ୍ଟକର। କୌଣସି କାରଣରୁ ଗଛ ନଷ୍ଟ ହେଲେ ଗ୍ରାମବାସୀ ଜାଳେଣି କାଠ ଭାବେ ବ୍ୟବହାର କରୁଛନ୍ତି। ଜଙ୍ଗଲ ଭିତରୁ ଜଙ୍ଗଲ ଜାତୀୟ ଦ୍ରବ୍ୟ ଯଥା ଶାଳ ମଞ୍ଜି, ଚାର କୁଳି ମଞ୍ଜି, ଝୁଣା ସହ ବିଭିନ୍ନ କିସମର ଛତୁ ସଂଗ୍ରହ କରି ଗ୍ରାମବାସୀ ରୋଜଗାର କ୍ଷମ ହେଉଥିବା କହିଛନ୍ତି। ନୂତନ ଭାବେ ଜଙ୍ଗଲ ସୃଷ୍ଟି କରିବା ପାଇଁ ଜଙ୍ଗଲ ଚାରି ପାର୍ଶ୍ୱରେ ନୂତନ ଚାରା ରୋପଣ କରି ପ୍ରୟାସ କରାଯାଉଛି।

publive-image

ଭୀମାଭାଟ୍ଟା ଜଙ୍ଗଲକୁ ବନ ବିଭାଗ ପକ୍ଷରୁ ପଟ୍ଟା ପ୍ରଦାନ କରାଯାଇନଥିବା ବେଳେ ତୁରନ୍ତ ପଟ୍ଟା ପ୍ରଦାନ ପାଇଁ ପଦକ୍ଷେପ ଗ୍ରହଣ କରିବା ପାଇଁ ଜଙ୍ଗଲ ସୁରକ୍ଷା କମିଟି ସଭାପତି କେଳୁ ମାଝୀ ସହ କମିଟି ସଭ୍ୟ ତଥା ଗ୍ରାମବାସୀ ଦାବି କରିଛନ୍ତି।ସେହିପରି ଏହି ରାସ୍ତା ଦେଇ ଯାତାୟତ କରୁଥିବା ପଥଚାରୀ ମାନଙ୍କ ଦୃଷ୍ଟି ଆକର୍ଷଣ କରୁଛି ଏହି ଶତାୟୁ ପ୍ରାକୃତିକ ଜଙ୍ଗଲ।ଗୋରାମ୍ବା ଗ୍ରାମବାସୀଙ୍କ ଭଳି ସବୁ ଗ୍ରାମର ଗ୍ରାମବାସୀ ସଚେତନ ହୋଇ ଥିବା ଜଙ୍ଗଲକୁ ସୁରକ୍ଷା ଦେବା ସହ ନୂତନ ଜଙ୍ଗଲ ସୃଷ୍ଟି କରିବା ପାଇଁ ପଦକ୍ଷେପ ନେଲେ ଜଳବାୟୁ ପରିବର୍ତ୍ତନ ପ୍ରଭାବ ପଡିବ ନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି।