ଖୋର୍ଦ୍ଧା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆଜି ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ସବରସାହି ଛକ ନିକଟରେ ମୁକୁନ୍ଦପ୍ରସାଦର ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି। ହତ୍ୟାକାଣ୍ଡ ପରେ ଖଣ୍ଡା, ଭୁଜାଲି ଆଦି ମାରଣାସ୍ତ୍ରରେ ପୋଡ଼ାସାହି ଉପରେ ସାମୂହିକ ଆକ୍ରମଣ ହୋଇଛି। କେଇ ମିନିଟ୍ ଭିତରେ ପୋଡ଼ାସାହିର ପ୍ରାୟ ୩୦ଟି କାର୍, ବାଇକ୍, ଟ୍ରକ୍ ଭାଙ୍ଗି ଦିଆଯାଇଛି। ଖୋର୍ଦ୍ଧା ପୌରପାଳିକାର ୨୧ ନମ୍ବର ୱାର୍ଡ ମୁକୁନ୍ଦପ୍ରସାଦ ଏବଂ ୨ ନମ୍ବର ୱାର୍ଡ ପୋଡ଼ାସାହିରେ ଏହାକୁ ନେଇ ତୀବ୍ର ଉତ୍ତେଜନା ଲାଗିରହିଛି। ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହଦୂର ଖୁରାନିଆ, ଏଡିଜି(ଆଇନ ଶୃଙ୍ଖଳା) ଆର୍ କେ ଶର୍ମା, ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇଜି ସଞ୍ଜୟ କୌଶଲ, ଖୋର୍ଦ୍ଧା ଏସ୍ପି ଅବିନାଶ କୁମାର, ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା, ଖୋର୍ଦ୍ଧା ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠୀ ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରି ଆଇନଶୃଙ୍ଖଳା ବଜାୟ ରଖିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି। ଉତ୍ତେଜନାକୁ ଆଖି ଆଗରେ ରଖି ମୁକୁନ୍ଦପ୍ରସାଦ, ପୋଡ଼ାସାହିକୁ ପୁଲିସଛାଉଣି କରି ଦିଆଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ରାଣା ଖୋର୍ଦ୍ଧା ପୌରପାଳିକାର ମୋଟ୍ ୫ଟି ୱାର୍ଡରେ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ୧୬୩ ଧାରା ଲାଗୁ କରିଛନ୍ତି। ଏହି ଆଇନ ଅନୁସାରେ, ବିନା ଅନୁମତିରେ ଏହି ସବୁ ୱାର୍ଡରେ ୫ଜଣରୁ ଅଧିକ ଲୋକ ଏକାଠି ହେବାକୁ ନିଷେଧ କରାଯାଇଛି। ଏହି ଅଞ୍ଚଳର ସ୍କୁଲ କଲେଜ ସବୁ ବନ୍ଦ ସହିତ ମୋଟ୍ ୮ପ୍ରକାରର ନିଷେଧାଜ୍ଞା ଜାରି କରାଯାଇଛି।
ମୁକୁନ୍ଦପ୍ରସାଦରେ ରାସ୍ତାରୋକ, ପୋଡ଼ାସାହିରେ ଭଙ୍ଗାରୁଜା
୧୫ମିନିଟ୍ରେ ୩୦ କାର୍, ବାଇକ୍, ଟ୍ରକ୍ ଭାଙ୍ଗିଦେଲେ
ଆଇନ୍କୁ ହାତକୁ ନିଅନ୍ତୁନି: ଡିଜିପି
ନ ମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ
ଖୋର୍ଦ୍ଧାର ୫ଟି ୱାର୍ଡରେ ଲାଗୁହେଲା ‘ବିଏନ୍ଏସ୍ଏସ୍ ଦଫା ୧୬୩’
ଥାନାରେ ମୁକୁନ୍ଦପ୍ରସାଦର ମହମ୍ମଦ ମୋହତରମ୍ଙ୍କ ଏତଲା ମୁତାବକ, ତାଙ୍କ ସାନଭାଇ ମହମ୍ମଦ ସାଜିଦ୍(୩୦) ମଧ୍ୟାହ୍ନ ୧୨ଟା ବେଳକୁ ନିଜର ଦୁଇଚକିଆ ଗାଡ଼ିରେ ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ସବରସାହିକୁ ବାହାରିଥିଲେ।ଘରୁ ବାହାରି ଯିବାର ୨୦ମିନିଟ୍ ପରେ ସାଜିଦ୍କୁ ଖଣ୍ଡାରେ ଆକ୍ରମଣ ହୋଇଛି ବୋଲି ତାଙ୍କ ନିକଟକୁ ଖବର ଆସିଥିଲା। ପୋଡ଼ାସାହି ଏବଂ ଦଧିବାମନସାହିର କିଛି ବ୍ୟକ୍ତି ସ୍ଥାନୀୟ ଅଞ୍ଚଳର ଏକ ଗ୍ୟାରେଜ୍ ଭିତରେ ପଶି ତାଙ୍କ ଭାଇକୁ ଖଣ୍ଡାରେ ହାଣିଦେଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ସୂଚନା ପାଇ ପରିବାର ଲୋକେ ତୁରନ୍ତ ସାଜିଦ୍ଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏ ହତ୍ୟାକାଣ୍ଡ ଘଟିଛି ବୋଲି ପରିବାର ଲୋକେ ଏତଲାରେ ଦର୍ଶାଇଛନ୍ତି।
ସାଜିଦ୍ଙ୍କ ମୃତ୍ୟୁଖବର ପ୍ରଚାରିତ ହେବା ପରେ ମୁକୁନ୍ଦପ୍ରସାଦରେ ଅଶାନ୍ତି ଖେଳିଯାଇଥିଲା। ସ୍ଥାନୀୟ ଲୋକେ ଟାୟାର ଜାଳି ମୁକୁନ୍ଦପ୍ରସାଦ ଛକ ଅବରୋଧ କରିଥିଲେ। ମୁକୁନ୍ଦପ୍ରସାଦର ବହୁ ଲୋକ ହାତରେ ଖଣ୍ଡା, ଭୁଜାଲି, ରଡ୍ ଧରି ପଡ଼ୋଶୀ ପୋଡ଼ାସାହିକୁ ଅତର୍କିତ ପଶିଥିଲେ। କେହି କିଛି ଜାଣିବା ଆଗରୁ ଘରେଘରେ ପଶି ଗାଡି, କବାଟ ଆଦି ଭଙ୍ଗାରୁଜା କରିଛନ୍ତି। ସ୍ବଳ୍ପ ପୁଲିସଙ୍କ ଉପସ୍ଥିତିରେ ହିଁ ଏ ସବୁ ଘଟଣା ଘଟିଥିଲା। କେଇ ମିନିଟ୍ ମଧ୍ୟରେ ପ୍ରାୟ ୩୦ରୁ ଅଧିକ କାର୍, ବାଇକ୍, ଟ୍ରକ୍ ଆଦି ଭଙ୍ଗାରୁଜି ଦେଇଥିଲେ। ସୂଚନା ପାଇ ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଖୁରାନିଆ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ଧରି ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଛନ୍ତି। ଶାନ୍ତିବଜାୟ ରଖିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି। ଯିଏ ଦୋଷୀ ତା’ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେଣୁ, କୌଣସି ପରିସ୍ଥିତିରେ କେହି ବି ଆଇନକୁ ହାତକୁ ନ ନେବାକୁ ସେ ପରାମର୍ଶ ଦେଇଛନ୍ତି। ସେହିପରି ଏ ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ରାଣା ଶାନ୍ତି ବଜାୟ ରଖିବାକୁ ସହରବାସୀଙ୍କୁ ନିବେଦନ କରିଛନ୍ତି।