ନୀଳଗିରି: ନୀଳଗିରି ବିଜ୍ଞପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷାଙ୍କ ବିରୋଧରେ ଆସିଥିବା ଅନାସ୍ଥା ଭୋଟିଂରେ ପରାସ୍ତ ହୋଇଛନ୍ତି ବିଜେଡି ସମର୍ଥିତ ଅଧ୍ୟକ୍ଷା ଅମ୍ବିକା ଦାସ। ନୀଳଗିରି ଏନଏସି ମୋଟ ୧୩ଜଣ କାଉନସିଲର ଥିବା ବେଳେ ଏହି ଭୋଟିଂରେ ମୋଟ ୧୧ ଜଣ ଉପସ୍ଥିତ ରହିଥିବା ବେଳେ ଦୁଇଜଣ ଭୋଟିଂ ପକ୍ରିୟାରେ ନିଜକୁ ସାମିଲ କରିନଥିଲେ। ୭ ନମ୍ବର ଓ ୧୩ ନମ୍ବର କାଉନସିଲର ଏହି ଭୋଟିଂ ପକ୍ରିୟାରେ ନିଜକୁ ସାମିଲ କରିନଥିଲେ। ୧୧ ଗୋଟି ଭୋଟରୁ ୧୦ଟି ଭୋଟ ସପକ୍ଷରେ ଆସିଥିବା ବେଳେ ଗୋଟିଏ ଭୋଟ ବିପକ୍ଷରେ ଆସିଥିବା ସୂଚନା ଦେଇଛନ୍ତି ନୀଳଗିରି ଉପଜିଲ୍ଲାପାଳ ଶୁଭଶ୍ରୀ ରଥ।
ସୂଚନା ମୁତାବକ, ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଅମ୍ବିକା ଦାସଙ୍କୁ ନିଜ ପଦବୀରୁ ହଟାଇବା ପାଇଁ ଗତ ଜୁଲାଇ ୩୦ ତାରିଖରେ ଏକ ପ୍ରସ୍ତାବ ଆଣି ଅଗଷ୍ଟ ୫ ତାରିଖରେ ବିଜେପି ଏବଂ ସମର୍ଥିତ ୧୧ ଜଣ କାଉନସିଲର ବାଲେଶ୍ୱର ଜିଲ୍ଲାପାଳଙ୍କଠାରେ ଆବେଦନ କରିଥିଲେl ବାଲେଶ୍ୱର ଜିଲ୍ଲାପାଳ ଆଶିଷ ଠାକରେ ଏହାକୁ ଗୁରୁତର ସହିତ ନେଇ ଅଗଷ୍ଟ ୧୪ ତାରିଖରେ ଏନଏସି ସଭା ଗୃହରେ ଏକ ବୈଠକର ଆହ୍ୱାନ କରିବା ସହିତ ଦରକାର ପଡ଼ିଲେ ମତଦାନ କରାଯିବାର ନିର୍ଦେଶନାମା ସମସ୍ତ କାଉନସିଲର, ନିର୍ବାହୀ ଅଧିକାରୀ, ଅଧ୍ୟକ୍ଷା, ଏବଂ ନୀଳଗିରି ଉପଜିଲ୍ଲାପାଳଙ୍କୁ ଅବଗତ କରାଯାଇ ଥିଲା। ମାତ୍ର ଅଗଷ୍ଟ ୧୨ ତାରିଖରେ ଅଧ୍ୟକ୍ଷା ଏହା ବିରୋଧରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେବା ପରେ ନ୍ୟାୟାଳୟ ଉକ୍ତ ମାମଲାର ରହିତାଦେଶ ଜାରି କରିଥିଲେl
ଉଚ୍ଚନ୍ୟାୟାଳୟ ସେପ୍ଟେମ୍ବର ୫ ତାରିଖରେ ଏହାର ଚୂଡ଼ାନ୍ତ ଶୁଣାଣି କରି ନୂତନ ଭାବେ ଅଗ୍ରଗତି କରିବା ପାଇଁ କର୍ତ୍ତୃପକ୍ଷଙ୍କୁ ଅନାସ୍ଥା ସଂକଳ୍ପ ଆଇନ ଅନୁଯାଇ ସ୍ୱାଧୀନତା ପ୍ରଦାନ କରାଯାଇଥିଲାl ଉକ୍ତ ଆଦେଶକୁ ପାଳନ କରାଯାଇ ଆଜି ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ସଭାଗୃହରେ ପୂର୍ବାହ୍ନ ୧୧ ଟାରୁ ଠାରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ପ୍ରସ୍ତାବିତ ସଂକଳ୍ପ ଉପରେ ଆଲୋଚନା କରାଯିବା ସହିତ ୧୨. ୧୦ମିନିଟ ରେ ମତଦାନ ଏବଂ ୧୨. ୩୦ ମିନିଟରେ ଫଳାଫଳ ପ୍ରକାଶ କରାଯାଇଥିଲା। ଏହି ନିର୍ବାଚନ ସମୟରେ ନୀଳଗିରି ଉପଜିଲ୍ଲାପାଳ ଶୁଭଶ୍ରୀ ରଥ, ତହସିଲଦାର ଦୀପ୍ତିମୟୀ ବେହେରା,ଏନଏସି ନିର୍ବାହୀ ଅଧିକାରୀ ପ୍ରସନ୍ନ ଦାସଙ୍କ ସମେତ ଇଲେକସନ ଅଧିକାରୀମାନେ ଉପସ୍ଥିତ ରହିବା ସହିତ ସ୍ବଚ୍ଛତା ଭାବରେ ଖୋଲା ନିର୍ବାଚନ ହୋଇଥିଲା। ଉପାଧ୍ୟକ୍ଷ ମହେନ୍ଦ୍ରନାଥ ବେହେରା ଏନଏସି ଅଧ୍ୟକ୍ଷ ଦାୟିତ୍ବ ସମ୍ଭାଳିବେ ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ବିଜୟ ହାସଲ କରିବା ପରେ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ସମସ୍ତ କାଉନସିଲରଙ୍କୁ ଫୁଲମାଳ ଦେଇ ସ୍ବାଗତ କରିଥିଲେ। ବିଜେପି କର୍ମୀମାନେ ବିଜୟ ପରେ ବାଣ ଫୁଟାଇବା ସହ ନାରାବାଜି କରି ବିଜୟ ଉତ୍ସବ ପାଳନ କରିଥିଲେ।
ଅପରପକ୍ଷରେ ଭୋଟିଂର ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ଉଠାଇବା ସହ ଖୁବ ଶୀଘ୍ର ଏ ବାବଦରେ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହେବେ ବୋଲି କହିଛନ୍ତି ଅମ୍ବିକା ଦାସ। କେବେ ବାଇ ଇଲେକସନ ହେଉଛି ଓ କିଏ ନୂତନ ଭାବରେ ଅଧ୍ୟକ୍ଷ ପଦ ଦାୟିତ୍ବରେ ରହୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/47rXqRuT13003ieBbgpT.jpeg)