ଜଳେଶ୍ଵର: ବାଲେଶ୍ଵର ଜିଲ୍ଲା ଦେଇ ପ୍ରବାହିତ ସୁବର୍ଣ୍ଣରେଖା ଓ ଜଳକା ନଦୀର ଅବବାହିକା ଅଞ୍ଚଳରେ ଗତ ୪୮ ଘଣ୍ଟା ଧରି ବର୍ଷା ପରିସ୍ଥିତି ଲାଗି ରହିଥିବାରୁ ଦୁଇଟି ଯାକ ନଦୀର ଜଳସ୍ତର ଗୁରୁବାର ଠାରୁ ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟର ଦ୍ବିତୀୟ ଖରସ୍ରୋତା ନଦୀ ଭାବେ ବିବେଚିତ ସୁବର୍ଣ୍ଣରେଖା ନଦୀର ଜଳପତ୍ତନ ରାଜଘାଟ ଠାରେ ଶୁକ୍ରବାର ପୂର୍ବାହ୍ନ ୯ଟାରେ ୬.୫୨ ମିଟରରେ ପ୍ରବାହିତ ହେଉଛି। ଏଠାରେ ନଦୀର ଜଳସ୍ତର ୯.୪୫ ମିଟରରେ ପ୍ରବାହିତ ହେଲେ ଏହା ସତର୍କ ସଙ୍କେତ ଓ ୧୦.୩୬ ମିଟରରେ ପ୍ରବାହିତ ହେଲେ ଏହା ବିପଦ ସଙ୍କେତ ବୋଲି କୁହାଯାଇଛି।

Advertisment

ଏହି ନଦୀର ଅବବାହିକା ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ (ଆଜି ପୂର୍ବାହ୍ନ ସୁଦ୍ଧା) ଜାମସେଦପୁରରେ ୧.୬ ଏମଏମ, ଘାଟଶିଳାରେ ୧୦.୦ ଏମଏମ, ଜାମଶୋଳାଘାଟରେ ୧.୨ ଏମଏମ, ଫେକଘାଟରେ ସର୍ବାଧିକ ୨୦.୪ ଏମଏମ ଓ ରାଜଘାଟରେ ୧୪.୪ ଏମଏମ ବର୍ଷା ହୋଇଥିବା କେନ୍ଦ୍ର ଜଳ କମିସନଙ୍କ ବନ୍ୟା ପୂର୍ବାନୁମାନ ବିଭାଗ ପକ୍ଷରୁ ରେକର୍ଡ କରାଯାଇଛି। ତେବେ ବିପଦ ସଙ୍କୁଳ ଠାରୁ ନଦୀ ବହୁତ ତଳେ ପ୍ରବାହିତ ହେଉ ଥିବାରୁ ଆଗକୁ ଯଦି ଆଉ ବର୍ଷା ବିତ୍ପାତ ନହୁଏ ତେବେ ବନ୍ୟା ଆଶଙ୍କା ନାହିଁ ବୋଲି ଜଳସେଚନ ବିଭାଗର ଜଳେଶ୍ଵରସ୍ଥିତ ଉପଖଣ୍ଡ ଯନ୍ତ୍ରୀ ପ୍ରିୟବ୍ରତ ସିଂହ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଜଳକା ନଦୀର ଜଳପତ୍ତନ ମଥାଣି ଠାରେ ସେହି ପୂର୍ବାହ୍ନ ୯ଟା ସମୟରେ ୪.୯୯ ମିଟରରେ ପ୍ରବାହିତ ହେଉଛି। ଏଠାରେ ନଦୀର ସତର୍କ ସଙ୍କେତ ୬ ମିଟର ଓ ବିପଦ ସଙ୍କେତ ୬.୫୦ ମିଟର ରହିଛି। ବୁଢ଼ାବଳଙ୍ଗ ନଦୀର ଜଳପତ୍ତନ ସାମାନ୍ୟ ବୃଦ୍ଧି ପାଇ ଆଜି ସେହି ପୂର୍ବାହ୍ନ ୯ ଟାରେ ୩.୪ ମିଟରରେ ପ୍ରବାହିତ ହେଉଛି। ଏହି ନଦୀର ଜଳପତ୍ତନ ୭.୨୧ ମିଟରରେ ପ୍ରବାହିତ ହେଲେ ସତର୍କ ସଙ୍କେତ ଓ ୮.୧୩ ମିଟରରେ ପ୍ରବାହିତ ହେଲେ ଏହା ବିପଦ ସଙ୍କେତ ବୋଲି। କୁହାଯାଇଛି। ଉପରୋକ୍ତ ତିନୋଟି ନଦୀର ନିମ୍ନ ଅବବାହିକା ଅଞ୍ଚଳରେ ତୁହାକୁ ତୁହା ବର୍ଷା ଲାଗି ରହିଥିବାରୁ ବିଭିନ୍ନ ଅଞ୍ଚଳରେ ଥିବା ଛୋଟଛୋଟ ନାଳ ଦେଇ ପ୍ରଖର ସ୍ରୋତରେ ବର୍ଷା ପାଣି ନଦୀକୁ ନିଷ୍କାସିତ ହେଉଛି।

ଏହି ଖବର ପଢ଼ନ୍ତୁ: ସୁଭଦ୍ରା ଯୋଜନା ପାଇଁ ଏସ୍‌ଓପି ଜାରି