ଜହ୍ନ।ପଙ୍କ: ବୌଦ୍ଧ ଜିଲ୍ଲାରେ ଖରାର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଗତ କିଛି ଦିନ ହେଲା ତାପମାତ୍ରା ୪୦ ଡିଗ୍ରି ଉପରେ ରହୁଛି। ତାପମାତ୍ରାକୁ ଦୃଷ୍ଟିରେ ରଖି ଗ୍ରୀଷ୍ମ ଆରମ୍ଭରୁ ରୁଦ୍ଧ ଦ୍ୱାର ବୈଠକରେ ମାର୍ଚ୍ଚ ୨୦ ସୁଦ୍ଧା ପଂଚାୟତର ସବୁ ଛକ ଗୁଡିକରେ ଜଳ ଛତ୍ର ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଥିବା ବେଳେ ଏହା କେବଳ କାଗଜ କଲମରେ ଠିକ ଥିବା ଅଭିଯୋଗ ହେଉଛି। କେତେକ ସ୍ଥାନରେ ଦୋକାନ ପାଖରେ ଜଳଛତ୍ର ଖୋଲାଯାଇଥିବା ଯୋଗୁଁ ଏକ ଗୋଲିମେ ଦୋ ଶିକାର ହେଉଛି।
ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସହର ତଥା ପ୍ରତ୍ୟେକ ଗାଁରେ ଯେମିତି ଲୋକେ ପାଣି ପାଇଁ ହନ୍ତସନ୍ତ ନ ହେବେ ସେଥିପାଇଁ ପ୍ରତ୍ୟେକ ବର୍ଷ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରୁଛନ୍ତି ହେଲେ ପାନୀୟ ଜଳ ସମସ୍ୟା ସୁଧୁରି ପାରୁନି। ଅଚଳ ସୌର ଚ।ଳିତ ପ୍ରକଳ୍ପ ମରାମତି କରାଯାଉନଥିବାରୁ ଏହା କେବଳ ଠିକାଦାର ପୋଷଣ ନୀତି ଚାଲିଛି। ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବେନ୍ଦିଲିପାଲି ଓ ଶରଧାପୁର ଗାଁରେI
ମହିଳାମାନେ ଗରା ବାଲ୍ଟି ଧରି ଗାଁ ମୁଣ୍ଡ ବରଗଛ ତଳେ ଅପେକ୍ଷା କରିଛନ୍ତି। ଆପଣମାନେ ଏ ଚିତ୍ରକୁ ଦେଖି ଭାବୁଥିବେ ଯେ ମହିଳାମାନେ ଟ୍ୟାଙ୍କରରେ ଆସୁଥିବା ପାଣି ପାଇଁ ଅପେକ୍ଷା କରିଛନ୍ତି। ହେଲେ ତା ନୁହେଁ ଏହି ରାସ୍ତା ଦେଇ ଯାଉଥିବା ସରକାରୀ ବାବୁ ଓ ପଞ୍ଚାୟତ ସରପଞ୍ଚଙ୍କୁ ଅଭିଯୋଗ ପାଇଁ ଜଗିଛନ୍ତି ହେଲେ ଏହି ବାଟ ଦେଇ କେବେ ହେଲେ ଆସନ୍ତି ନାହିଁ। ଶେଷରେ ନିରାଶ ହୋଇ ଗାଁ ର ଶତାଧିକ ମହିଳା ଗାଁରେ ଅଳ୍ପ ପାଣି ଥିବା ପୋଖରୀରୁ ଗରା ବାଲ୍ଟି ଧରି ପାଣି ଆଣିବାକୁ ଯାଇଥାନ୍ତି।
ଗାଁରେ ଏକମାତ୍ର ପୋଖରୀ ହିଁ ଭରସା, ଯେଉଁଠିକି ପ୍ରତ୍ୟେକ ଦିନ ଗାଁର ଗୋରୁଗାଈ ଓ ଗାଁର ପିଲାଛୁଆଠୁ ଆରମ୍ଭ କରି ପ୍ରତ୍ୟେକ ଲୋକ ସ୍ନାନ ଶୌଚ କରିଥାନ୍ତି ଏବଂ ସେହି ପାଣିକୁ ଆଣି ଫୁଟେଇକି ପିଇଥାନ୍ତି। ଆଉ କେହି କେହି ୩ କିମି ମହାନଦୀକୁ ଚାଲିଚାଲି ପାଣି ଆଣିବାକୁ ଯାଇଥାନ୍ତି। ଗାଁରେ ୩ଟି ନଳକୂଅ ଥିଲେ ମଧ୍ୟ ନଳକୂଅରୁ ପାଣି ବାହାରୁ ନାହିଁ। ସେପଟେ ପଞ୍ଚାୟତ ତରଫରୁ ୨୦୧୬-୧୭ ମସିହାରେ ଗୋପବନ୍ଧୁ ଗ୍ରାମୀଣ ଯୋଜନା ଅନୁଦାନରେ ୫ଲକ୍ଷ ୩୫ହଜାର ଟଙ୍କା ରେ ନିର୍ମାଣ ହୋଇଛି ସୋଲାର କ୍ଷୁଦ୍ର ପାନୀୟ ଜଳ ପ୍ରକଳ୍ପ।
ତେବେ ନିର୍ମାଣର ୫ରୁ ୬ ମାସ ପରେ ତାହା ମଧ୍ୟ ଅଚଳ ହୋଇ ପଡିଛି। ଗାଁରେ ଏଲ ଏଣ୍ଡଟି ପକ୍ଷରୁ ପାଇପ ପଡି ଷ୍ଟାଣ୍ଡ ପୋଷ୍ଟ ଅଛି ହେଲେ ପାଣି ବାହାରୁ ନାହିଁ। ପ୍ରତ୍ୟେକ ବର୍ଷ ମରାମତି ନାଁରେ ହଜାର ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ପାଣି ବୁନ୍ଦାଏଁ ପାଇଁ କିଏ ଗରା ବାଲଟି ଧରି ୩ କିମି ଯିବାକୁ ପଡୁଚି ତ ଆଉ କିଏ ଗାଁ ପୋଖରୀରୁ ଅପରିସ୍କାର ପାଣି ଆଣି ଫୁଟେଇ ପିଉଛନ୍ତି। ଏ ନେଇକି ଅଭିଯୋଗ କଲେ ବି ଶୁଣୁ ନାହାନ୍ତି କୌଣସି ଅଧିକାରୀ ବା ସରପଞ୍ଚ।
ସୂଚନାଯୋଗ୍ୟ ଯେ ପୂର୍ବତନ ପଂଚାୟତିରାଜ, ପାନୀୟ ଜଳ ଯୋଗାଣ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ୨୦୨୪ ମସିହା ମେ ୫ ତାରିଖରେ ଗାଁ କୁ ଏକ ନିର୍ବାଚନ ପ୍ରଚାର ସଭାରେ ଯୋଗ ଦେବାପାଇଁ ଆସୁଥିବା ଖବର ପାଇ ଗରା ବାଲଟି ଧରି ଗାଁ ମୁଣ୍ଡରେ ରାସ୍ତା ଅବରୋଧ କରିବାରୁ ସଭା ବାତିଲ ହୋଇଥିଲା। ଆଗାମୀ ଦିନରେ ଦିନକୁ ୨ ବେଲା ଟ୍ୟାଙ୍କର ଯୋଗେ ପାଣି ଯୋଗେଇ ଦିଆନଯାଏ ତେବେ ମହିଳାମାନେ ଗରା ବାଲ୍ଟି ଧରି ରାଜରାସ୍ତାରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।
water crisis | Boudh