ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ଦୁର୍ଗମରେ ଅଞ୍ଚଳରେ ବସୁଧା ପାଲଟିଛି ପ୍ରହସନ। ଏଠି ଠିକାଦାର ମାଲାମାଲ। କିନ୍ତୁ ଗ୍ରାମବାସୀ ବିଶୁଦ୍ଧ ପାଣି ଟୋପାଏ ପାଇଁ ହନ୍ତସନ୍ତ। ଗାଁ ମୁଣ୍ଡରେ ଛିଡ଼ା ହୋଇ ଶୋଭାବର୍ଦ୍ଧନ କରୁଛି ବସୁଧା ଟାଙ୍କି। ମାତ୍ର ଅଧିକାରୀଙ୍କ ଅପାରଗତା ପାଇଁ ଲୋକେ ଭଗୁଛନ୍ତି ଜଳ ଯନ୍ତ୍ରଣା। ଟାଙ୍କି ନିର୍ମାଣ ସଂପୂର୍ଣ୍ଣ ହେବା ହୋଇଥିଲେ ମଧ୍ୟ ଜନ ସାଧାରଣଙ୍କୁ ମିଳି ପାରୁନି ବିଶୁଦ୍ଧ ପାନୀୟ ଜଳ। ସତେ ଯେପରି ଗରିବଙ୍କୁ ଛିଡ଼ା ହୋଇ ଉପହାସ କରୁଛି ସୂଚନା ଫଳକବିହୀନ ବସୁଧା ପ୍ରକଳ୍ପ।
ସ୍କୁଲ ପାଚେରୀ ଭିତର ନଳକୂଅ ଦୂର କରୁଛି ଗ୍ରାମବାସୀଙ୍କ ଜଳ କଷ୍ଟ। ହେଲେ କୋଟିକୋଟି ଟଙ୍କା ଖର୍ଚ୍ଚ କରି ବିଭାଗ ଦୂର କରି ପାରୁନି ଜଳ ସମସ୍ୟାର ସମାଧାନ। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳୁଛି ଆଦିବାସୀ ଅଧୁଷିତ ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଶଶ ଗ୍ରାମ ପଞ୍ଚାୟତର ପାହାଡ଼ପୁର ଗ୍ରାମରେ।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ରାଇରଙ୍ଗପୁର ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ବହଳଦା ଜଳ ଯୋଗାଣ ଅଧୀନରେ ଥିବା ପାହାଡପୁର ଗ୍ରାମରେ ଦୀର୍ଘ ଦିନରୁ ବସୁଧା ଟାଙ୍କି ନିର୍ମାଣ ହୋଇସାରିଛି। ମାତ୍ର ଅଧିକାରୀଙ୍କ ଅପାରଗତା ଓ ଦାୟିତ୍ୱହୀନତା ପାଇଁ ଗ୍ରାମରେ ଲମ୍ବା ଲମ୍ବା ପାଇପ ପଡ଼ି ଦୀର୍ଘ ୩ ବର୍ଷ ହେଲା ଅଧପନ୍ତରିଆ ପଡ଼ି ରହିଛି ଏବଂ ଗ୍ରାମର ୨୦୦ରୁ ଅଧିକ ପରିବାର ସ୍କୁଲ ପାଚେରୀ ଡେଇଁ ଜୀବନକୁ ବାଜି ଲଗାଇ ଜଳ କଷ୍ଟ ଦୂର କରୁଛନ୍ତି ତୋ କିଛି ଲୋକ ଖୋଲା କୂଅରୁ ପାଣି ନେଇ ବ୍ୟବହାର କରୁଛନ୍ତି।
ସରକାର ଲୋକଙ୍କ ଜଳ କଷ୍ଟ ଦୂର କରିବା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ମାତ୍ର ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ପାଇଁ ୬ଟି ଗ୍ରାମର ହଜାର ହଜାର ଲୋକେ ଭଗୁଛନ୍ତି ଜଳ ଦୁର୍ଦଶା। ଶୁଦ୍ଧ ପାନୀୟ ଜଳ ଟୋପାଏ ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବିଭାଗ କାହିଁକି ଦାୟିତ୍ୱ ହୀନତା ସାଜି ବସିଛି ବୋଲି ପ୍ରଶ୍ନ ଉଠାଇ ଛନ୍ତି ଗ୍ରାମବାସୀ।
ତେବେ କୋଟିକୋଟି ଟଙ୍କାର ବସୁଧା ଟାଙ୍କି କାହା ପାଇଁ ତାହା ବଡ଼ ପ୍ରଶ୍ନ ଏବଂ ଯଦି ସାଧାରଣ ଲୋକଙ୍କ ପାଇଁ ହେଲେ କେବେ ମିଳିବ ବସୁଧାରୁ ପାଣି ତାହା ବଡ ପ୍ରଶ୍ନ ଏବଂ ଯଦି ଲୋକଙ୍କ ସ୍ୱାର୍ଥରେ ତେବେ କେବେ ମିଳିବ ବିଶୁଦ୍ଧ ପାନୀୟ ଜଳ ଏହା ମଧ୍ୟ ବଡ ପ୍ରଶ୍ନ? ତେଣୁ ଗ୍ରାମବାସୀ ନୂତନ ସରକାରଙ୍କୁ ଅନୁରୋଧ କରିଛନ୍ତି ଯଥା ଶୀଘ୍ର ଜଳ ଯାଗାଇବା ପାଇଁ ଏବଂ ମନ୍ଥର ଗତିରେ କାର୍ଯ୍ୟ କରୁଥିବା ଠିକାଦାର ଓ ଅଧିକାରୀଙ୍କ ଉପରେ କାର୍ଯାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି।