ଭୁବନେଶ୍ବର: ଓଡ଼ିଶା ବିଧାନସଭାରେ ମଙ୍ଗଳବାର ସନ୍ଧ୍ୟାରେ କଂଗ୍ରେସର ୧୨ ଜଣ ବିଧାୟକଙ୍କୁ ବାଚସ୍ପତି ନିଲମ୍ବନ କରିବା ପରେ ସ୍ଥିତି ଆହୁରି ଅଣାୟତ୍ତ ହେବାରେ ଲାଗିଛି। ଏହାରି ମଧ୍ୟରେ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି, ଆପଣଙ୍କ ବ୍ୟକ୍ତିଗତ ଏଜେଣ୍ଡା କ’ଣ ଜଣାନ୍ତୁ। ବିଭିନ୍ନ ଆଳ ଦେଖାଇ ବିରୋଧୀ ଦଳ ମୋସନକୁ ଗ୍ରହଣ କରୁନାହାନ୍ତି। ଜଡ଼ର ମୂଳ କୋଉଁଠି ହେଲା। ବିରୋଧୀ ଦଳ ଗୋଟେ କାର୍ଯ୍ୟକ୍ରମ କରିବା ପାଇଁ ଜଣାଇଲେ ଆପଣ ନ୍ୟାୟ ଦେବେ। କିନ୍ତୁ ଆପଣ ଏକ ଏକପାଖିଆ କଲେ। ୪୦ ବର୍ଷର ଇତିହାସରେ ଏଭଳି ଦେଖିନଥିଲୁ। ବିଧାନସଭା ଭିତରେ ପୁଲିସ ପଶିଲା, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀଙ୍କ ସୁନାଚେନ୍ ଛଡ଼ାଇଲେ। ଷ୍ଟେଟମେଣ୍ଟ ଦିଅନ୍ତୁ। ଗୃହରେ ଶାନ୍ତି ଫେରାନ୍ତୁ। ଆମର ସ୍ବର ବନ୍ଦ କରି ଯଦି ଗୃହ ଚଳାଇବେ ଆମେ ଦବିବୁ ନାହିଁ। ଓଡ଼ିଶାବାସୀ କେବେ ଗ୍ରହଣ କରିବେ ନାହିଁ। ହାଉସକୁ ଏକ ପାଖିଆ ଚଳେଇଲେ ଆମେ ଆପଣଙ୍କ ସହ ନାହୁଁ।
ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ଗତକାଲି ଯେଉଁଭଳି ଭାବରେ କଂଗ୍ରେସ ବିଧାୟକଙ୍କୁ ମାଡ଼ ମାରି ବାହାର କରାଗଲା, ତାହା ଦୁର୍ଭାଗ୍ୟଜନକ। କଂଗ୍ରେସ ବିଧାୟକମାନେ ଆହତ ହୋଇଛନ୍ତି। ଆପଣ କିଛି କହୁନାହାନ୍ତି। ଆପଣ କ’ଣ ନିର୍ଦ୍ଦେଶ ଦେଇଛନ୍ତି ଆମକୁ ମାଡ଼ ମାରିବା ପାଇଁ। ଗଲା ବେଳକୁ ପୁଲିସ ତାଲା ପକାଇଲା ଆସିଲା ବେଳେ ଅଧ ଘଣ୍ଟା ଛିଡ଼ା ହେଲୁ। ବିନା ବିରୋଧୀ ଦଳରେ ଆପଣ ଯଦି ବିଧାନସଭା ଚଳେଇବେ ଆମେ ସହଯୋଗ କରିବୁ ନାହିଁ।
ଶୂନ୍ୟକାଳରେ ପଏଣ୍ଟ ଅଫ ଅଡର ଜରିଆରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ନିଲମ୍ବନ ଘଟଣାରେ କ୍ଷୋଭ ପ୍ରକାଶ କରି କହିଛନ୍ତି, ବଳ ପୂର୍ବକ ଭାବେ ତାଙ୍କୁ କାଢ଼ିବା ଠିକ୍ ନୁହେଁ। ପ୍ରତିକ୍ରିୟାଶୀଳ ଶାସକ ଦଳ ହେବା ଠିକ୍ ନୁହେଁ। ଏ ଗୃହକୁ ପୁଲିସ ପ୍ରବେଶ କଲେ ଠିକ୍ ନୁହେଁ। ବିରୋଧୀ ଦଳ ତରଫରୁ ଆମର ଦାବି ବାଚସ୍ପତି ତାଙ୍କ ବିବୃତି ରଖନ୍ତୁ। ମାର୍ଶାଲ ବି ଦିନେ ଆମକୁ ଛୁଇଁ ନଥିଲେ। ପୁଲିସ ପଶିବା ଠିକ୍ ନୁହେଁ, ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଘଟିଛି।
ବିଧାନସଭା ଭିତରକୁ ବିଧାୟକମାନେ ପ୍ରବେଶ କରିବା ସମୟରେ ପୁଲିସ ସହିତ ଧସ୍ତାଧସ୍ତି ଘଟଣାରେ ଗୁଣୁପୁର ବିଧାୟକ ସତ୍ୟ ଗମାଙ୍ଗ ଆହତ ହୋଇଛନ୍ତି। ହାତରେ ଆଘାତ ଲାଗିବା ସହିତ ପୁଲିସ ତାଙ୍କ ସାର୍ଟ ମଧ୍ୟ ଚିରି ଦେଇଥିବାର ସେ ଅଭିଯୋଗ କରିଛନ୍ତି। ଆମେ ନିଲମ୍ବିତ ହେଲେ ଲବି ପର୍ଯ୍ୟନ୍ତ ଯାଇଥାନ୍ତୁ। ହେଲେ ଆମକୁ ଯିବାକୁ ଦେଲେ ନାହିଁ। ବରଂ ଆମ ସହିତ ଠେଲାପେଲା କରି ଲହୁଲୁହାଣ କଲେ।