ଭୁବନେଶ୍ବର (ମହେନ୍ଦ୍ର ସାହୁ): ଜୀବନରେ କିଏ ବା ଭୟ ଅନୁଭବ କରେ ନାହିଁ? ଯେତେବେଳେ ଜଣେ ବ୍ୟକ୍ତି ଭିତରେ ଥିବା ଭୟ ଶୀର୍ଷରେ ପହଞ୍ଚିଯାଏ, ସେତେବେଳେ ଏହାକୁ ମନସ୍ତତ୍ତ୍ୱର ଭାଷାରେ ଫୋବିଆ କୁହାଯାଏ। କିଛି ଲୋକ ସାପକୁ ଭୟ କରନ୍ତି, ତ କିଛି ଲୋକ କୁକୁରକୁ ଭୟ କରନ୍ତି। ସେହିପରି କିଛି ଲୋକ ଉଚ୍ଚତା ଏବଂ ପାଣିକୁ ମଧ୍ୟ ଭୟ କରନ୍ତି। ସମସ୍ତଙ୍କର ଭୟ ସମାନ ପ୍ରକାର ହୋଇ ନଥାଏ। ଭୟ ଆମ ଜୀବନର ଏକ ଅଂଶ। କିନ୍ତୁ କୌଣସି ନିର୍ଦ୍ଦିଷ୍ଟ ଜିନିଷ ବିଷୟରେ ଭୟ ରହିବା ବ୍ୟକ୍ତିକୁ କୌଣସି ସ୍ଥାନରେ ବହୁତ କ୍ଷତି ପହଞ୍ଚାଏ। ଅନେକ ସମୟରେ ଏପରି ହୁଏ ଯେ ଭୟ (ଫୋବିଆ)ରୁ ମୁକ୍ତି ପାଇବା ବହୁତ କଷ୍ଟକର ହୋଇଯାଏ ଏବଂ ବ୍ୟକ୍ତି ପୁଣି କେବେ ସେହି ଜିନିଷକୁ ଛୁଇଁ ନଥାଏ କିମ୍ବା ସେହି କାମ କରିବାକୁ ସକ୍ଷମ ନଥାଏ। ଅନେକ ପ୍ରକାରର ଭୟ ଅଛି, ଭାରତରେ ଏହି ପ୍ରକାରର ମାନସିକ ବ୍ୟାଧିରେ ପୀଡିତ ଲୋକଙ୍କ ସଂଖ୍ୟା ପ୍ରାୟ ୪.୪%।

Advertisment


ସଂକ୍ଷେପରେ କହିବାକୁ ଗଲେ ଫୋବିଆ ଏକ ପ୍ରକାରର ଚିନ୍ତା ବ୍ୟାଧି, ଯେଉଁଥିରେ ଜଣେ ବ୍ୟକ୍ତି କୌଣସି ସ୍ଥାନ, ବସ୍ତୁ, ବ୍ୟକ୍ତି କିମ୍ବା ପରିସ୍ଥିତିକୁ ନେଇ ବହୁତ ଭୟଭୀତ ହୁଏ ଏବଂ ସେ ଏହାର ସମ୍ମୁଖୀନ ହେବା ସ୍ଥିତିରେ ନଥାଏ। ଫୋବିଆ ବ୍ୟକ୍ତିକୁ ଅନାବଶ୍ୟକ ଭାବରେ ବହୁତ କ୍ଷତି ପହଞ୍ଚାଏ। ଫୋବିଆ କୌଣସି ଜିନିଷ ପ୍ରତି ପ୍ରତିଦିନର ଭୟଠାରୁ ବହୁତ ଭିନ୍ନ କାରଣ ଏହା ଏକ ନିର୍ଦ୍ଦିଷ୍ଟ ଜିନିଷ ବିଷୟରେ ଉତ୍ପନ୍ନ ହୁଏ। ସାରା ବିଶ୍ୱରେ ଅନେକ ଲୋକ ଏହି ସମସ୍ୟାରେ ପୀଡିତ ଏବଂ ଏହି କାରଣରୁ ସେମାନଙ୍କୁ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଛୋଟପିଲା ଓ ସ୍କୁଲ ପିଲାମାନଙ୍କ ମଧ୍ୟରେ ମଧ୍ୟ ଏହି ଲକ୍ଷଣ ଦେଖାଯାଇଥାଏ। କିନ୍ତୁ ଏହି ବ୍ୟାଧିରୁ ବର୍ତ୍ତିବା ପାଇଁ ଅଭିଭାବକ ଓ ଶିକ୍ଷକଙ୍କୁ ଅଧିକ ଯତ୍ନବାନ ହେବାର ଆବଶ୍ୟକତା ଅଛି। 


ରିଡିଂ ଫୋବିଆ କ’ଣ?
ପ୍ରତ୍ୟେକ ଅଭିଭାବକଙ୍କର ନିଜ ପିଲାମାନଙ୍କୁ ନେଇ ଅନେକ ସ୍ବପ୍ନ ରହିଥାଏ। ଯେତେବେଳେ ପିଲାଟି ପାଠପଢ଼ାରେ ମନ ନଦିଏ, ‌ତାହା ହେଲେ ସବୁ ଅଭିଭାବକଙ୍କର ଚିନ୍ତା ବଢ଼ି ଯାଇଥାଏ। କିଛି ପିଲା ପାଠ ପଢ଼ିବାକୁ କିମ୍ବା ପାଠପଢ଼ା ଜନିତ କଥାରେ ଭୟ କରିବା ବା ଡରିଥାନ୍ତି। ଏହାର କାରଣ ପିଲା ପାଠ୍ୟକ୍ରମରେ ଯେକୌଣସି ବିଷୟରେ ଦୁର୍ବଳ ରହିବା ଯୋଗୁଁ ପାଠ ପଢ଼ିବାକୁ ଭୟ କରିଥାଏ। ଏହାକୁ ‘ରିଡିଂ’ ଫୋବିଆ’ କୁହାଯାଏ। 


ପିଲାଙ୍କୁ ଉତ୍ସାହିତ କରନ୍ତୁ ଅଭିଭାବକ:ଯଦି ଆପଣଙ୍କ ପିଲାକୁ ‘ରିଡିଂ ଫୋବିଆ’ ହୋଇଛି ତେ‌ବେ ଆପଣ କେତୋଟି କଥାକୁ ଗୁରୁତ୍ବ ଦିଅନ୍ତୁ। ଯେମିତିକି ପ୍ରଥମେ ‌ବୁଝିବାକୁ ଚେଷ୍ଟା କରନ୍ତୁ, ସେ କେଉଁ ବିଷୟରେ ଦୁର୍ବଳ ଏବଂ ଏଥି ପାଇଁ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ସହାୟତା ନେଇପାରନ୍ତି। ଦୁର୍ବଳ ଥିବା ବିଷୟକୁ ନେଇ ପିଲା ଉପରେ ଚାପ ପ୍ରୟୋଗ ନକରି ଉତ୍ସାହିତ କରି ସରଳରୁ ଆରମ୍ଭ କରନ୍ତୁ। କିଛି ମନେ ରଖିଲା ପରେ ତାକୁ ଉତ୍ସାହିତ କରି ହଁ’ ହେଲାଣି…, ତୁ ନିଶ୍ଚୟ ପାରିବୁ କହି ଉତ୍ସାହିତ ଜାରି ରଖନ୍ତୁ। 

୍


ଶିକ୍ଷା ବର୍ଷ ୨୦୨୪-୨୫ରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ତଥା ମାଲକାନଗିରିଜିଲ୍ଲା କୋଣ୍ଡେଲ ସରକାରୀ ନୋଡାଲ ଉନ୍ନୀତ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବସନ୍ତ କୁମାର ରଣାଙ୍କ କହିବା ଅନୁସାରେ, ରିଂଡିଂ ଫୋବିଆ ହ୍ରାସ ପାଇଁ ଆମ ସମାଜରେ ସଚେତନତା ଆବଶ୍ୟକ। କାରଣ ଶିକ୍ଷକ ଏବଂ ପିତାମାତା ପିଲାମାନଙ୍କୁ ଛୋଟ ବୟସରୁ ପ୍ରତିଯୋଗୀ ମନୋଭାବ ନେଇ ଗଢ଼ିବାକୁ ଚେଷ୍ଟା କରିଥାନ୍ତି। କେବଳ ପରୀକ୍ଷାକୁ ଆଖି ଆଗରେ ରଖି ଅଧିକ ନମ୍ବର ପାଇବା, ଭଲ ଚାକିରି କରିବା, ଅର୍ଥ ରୋଜଗାର କରିବା ଏବସବୁକୁ ଦୃଷ୍ଟିରେ ରଖି ପିଲାମାନଙ୍କୁ ‌ଛୋଟରୁ ଗଢ଼ିବାକୁ ଚେଷ୍ଟା କରିଥାନ୍ତି।ଯାହା ଫଳରେ ପିଲାମାନେ ପାଠରୁ ମଜା ବା ଆନନ୍ଦ ନେଇପାରନ୍ତି ଆଜ୍ଞା। ଦୁନିଆକୁ ବୁଝିବା, ଜାଣିବା ଆଉ ପ୍ରତ୍ୟେକ ବିଷୟରୁ ମଜା ଓ ଆନନ୍ଦ ନେବା ପାଇଁ ଯଦି ପିଲାମାନଙ୍କୁ ଅନୁପ୍ରେରିତ କରିବା ତେବେ ପିଲାମାନେ ଚାପମୁକ୍ତ ହୋଇ ଖୁସିରେ ପାଠ ପଢ଼ିବା ପାଇଁ ‌ପ୍ରେରିତ ‌ହେବେ। ଏହା ଦ୍ବାରା ସେମାନେ ଭଲ ମାର୍କ ଓ ଡିଭିଜନ ଆଣିପାରିବେ। ଚାକିରି ଓ ଅର୍ଥ ସମୟ କ୍ରମେ ଉପହାର ସ୍ବରୂପ ମିଳିଯିବ। କିନ୍ତୁ ଅର୍ଥ ପଛରେ ଗୋଡେଇବା ଠିକ୍‌ ହେବ ନାହିଁ। ମେସିନ ଭଲି ପିଲାଙ୍କୁ ବ୍ୟବହାର କରିବା ଉଭୟ ଶିଶୁ ଓ ସମାଜ ପାଇଁ ହାନୀକାରକ। ଏଥିରେ ଶିଶୁର ସୃଜନଶୀଳତା ହ୍ରାସ ପାଇଥାଏ। କେବଳ ପିତାମାତାଙ୍କର ଉଚ୍ଚାକାଂକ୍ଷା ଏକ ମାଧ୍ୟମ ପାଲଟି ଯାଇଥାଏ। 

ପାଠ ପଢ଼ି ମନେ ରଖିବାକୁ କଷ୍ଟ ହେଉଥିଲେ ପିଲାମାନଙ୍କୁ ବାରମ୍ବାର ଲେଖାଇ ତାକୁ ମନେ ରଖିବାକୁ ଅଭ୍ୟାସ କରାନ୍ତୁ। ଘରର ସବୁଠାରୁ ଶାନ୍ତିପୂର୍ଣ୍ଣ କୋଠରୀରେ ପିଲାର ପଢ଼ିବା ପାଇଁ ବ୍ୟବସ୍ଥା କରନ୍ତୁ। ୩/୪ ଘଣ୍ଟା ବଳପୂର୍ବକ ତାକୁ ବହି ପାଖରେ ବସିବାକୁ ନକହି ତାକୁ ଖେଳ, କାର୍ଟୁନ ଭଳି ପାଠ ବି ଦରକାର ବୁଝାଇ ସେ ଚାହୁଁଥିବା ସମୟରେ ପଢ଼ିବାକୁ କୁହନ୍ତୁ। କୌଣସି ପରିସ୍ଥିତିରେ ପାଠ ପଢ଼ିବାକୁ ଚାପ ପ୍ରୟୋଗ କରନ୍ତୁ ନାହୁଁ। କିମ୍ବା ନୈରାଶ୍ୟଜନକ କଥା ଯେମିତି କି ତୁ ପାରିବୁ ନାହିଁ, ତାଙ୍କ ପିଲା ଏମିତି ସେମିତି ଇତ୍ୟାଦି କୁହନ୍ତୁ ନାହିଁ। ବରଂ ତାର ମାନସିକ ଅବସ୍ଥାକୁ ଲକ୍ଷ୍ୟ କରି ପାଠ ପଢ଼ିବାର ମହତ୍ତ୍ବ କଥା ବୁଝନ୍ତୁ। ବିଭିନ୍ନ ଉଦହାରଣ ଏବଂ ଗପ ମାଧ୍ୟମରେ ପାଠ ପଢ଼ିବା ପରର ସଫଳ କାହାଣୀ କହି ବୁଝାନ୍ତୁ। ବ୍ୟତିବ୍ୟସ୍ତ ନହୋଇ ଧୈର୍ଯ୍ୟ ସହକାରେ ଚେଷ୍ଟା କରନ୍ତୁ। ଦେଖିବେ କିଛି ଦିନ ପରେ ଆପଣଙ୍କ ପିଲା ‘ରିଡିଂ ଫୋବିଆ’ରୁ ବାହାରି ନିଜେ ନିଜ ପାଠ୍ୟକ୍ରମକୁ ଗୁରୁତ୍ବ ଦେବ।

-ଡା. ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଭବାନୀପାଟଣା

Education