ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ଆକାଶବାଣୀ ଶିିଶୁଠାରୁ ବୟସ୍କ ସବୁବର୍ଗର ଶ୍ରୋତାଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ପ୍ରସ୍ତୁତକରି ପ୍ରସାରଣ କରି ଆସୁଅଛି। ଦିନଥିଲା ଯେତେବେଳେ ଦେଶରେ ଦୂରଦର୍ଶନର ଆବିର୍ଭାବ ହୋଇନଥିଲା ସେବେ ପ୍ରାୟତଃ ଗରିବ କୁଡିଆରୁ ଆରମ୍ଭକରି ରାଜଭବନ ପର୍ଯ୍ୟନ୍ତ ଆକାଶବାଣୀ ପହଂଚି ପାରିଥିଲା। ସମୟ ବଦଳିଛି, ଦୂରଦର୍ଶନ ସମେତ ଘରୋଇ ଟିଭି ଆଦି ଇଲେକଟ୍ରୋନିକ୍ସ ଗଣମାଧ୍ୟମର ସଂଖ୍ୟା ବଢିଛି ତଥାପି ଦେଶବାସୀଙ୍କ ହୃଦୟରୁ ରେଡିଓ ସମ୍ପୂର୍ଣ୍ଣ ରୂପେ ଅପସାରିତ ହୋଇଯାଇନାହିଁ। କାହିଁକି ନା ଏବେବି ଗାଁ ଗହଳିରେ ରେଡିଓ ହିଁ ଖବର ଓ ମନୋରଞ୍ଜନର ଏକମାତ୍ର ମାଧ୍ୟମ। 
Advertisment
ରାଜ୍ୟର ସର୍ବବୃହତ ମୟୂରଭଞ୍ଜ ଜିଲ୍ଲାର ପାହାଡ ପର୍ବତ ଘେରା ସବୁଜ ବନାନୀ ପରିବେଷ୍ଟିତ ଆଦିବାସୀ ବହୁଳ ରାଇରଙ୍ଗପୁର  ଏବଂ କରଞ୍ଜିଆ ଉପଖଣ୍ଡର ଆଦିବାସୀମାନେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନଆଦି କ୍ଷେତ୍ରରେ ପଛୁଆ। ବିଷେଶକରି ଘାଟୀ ଉପରକୁ ରହିଥିବା ଶିମିଳିପାଳ ଜୈବମଣ୍ଡଳର ପରିସୀମା ଭିତରେ ରହିଛି ଅନେକ ଗାଁ। ଯେଉଁ ଗାଁ’କୁ ଯିବା ପାଇଁ ରାସ୍ତା ଅଗମ୍ୟ। ସେହି ଦୁର୍ଗମ ଅଞ୍ଚଳର ଏହି ଅଧିବାସୀଙ୍କ ନିକଟରେ ବିଜୁଳି ବ୍ୟବସ୍ଥା ସାତ ସପନ ହୋଇପଡ଼ିଛି। ସହରୀ ସଭ୍ୟତାର ଚାକଚକ୍ୟ ଠାରୁ ଏମାନେ ବହୁତ ଦୂରରେ। ଦେଶ ଦୁନିଆର ଖବର ଜାଣିବା ପାଇଁ କୌଣସି ସାଧନର ସୁବିଧା ନାହିଁ। ନା’ ଖବରକାଗଜ, ନା’ମୋବାଇଲ ସିଗିନାଲ୍ କେବଳ ବେତାର ଯନ୍ତ୍ରଟିଏ ସାହାଭରସା।
୧୯୯୧ ଫେବ୍ରୁଆରି ୨୫ରେ ଜିଲ୍ଲାର ସଦର ମହୁକୁମା ବାରିପଦାଠାରେ ଓଡିଶାର ଏପ୍ଞ୍ଚଏମ୍ ଆକାଶବାଣୀ କେନ୍ଦ୍ର ଭାବେ ପ୍ରତିଷ୍ଠା କରାଯାଇଥିବା ଏହି କେନ୍ଦ୍ର ‘ବହୁଜନ ହିତାୟ ବହୁଜନ ସୁଖାୟ’ ମନ୍ତ୍ରରେ ଅଭିମନ୍ତ୍ରିତ ହୋଇ ବିଭିନ୍ନ ଲୋକପ୍ରିୟ କାର୍ଯ୍ୟକ୍ରମ ପରିବେଷଣ କରିଆସୁଅଛି। ଏହି କେନ୍ଦ୍ରର କାର୍ଯ୍ୟକ୍ରମ ଜରିଆରେ ମୟୂରଭଞ୍ଜ ଜିଲ୍ଲାର ବାରିପଦା ଆଖପାଖ କିଛି ଅଂଚଳ ସମେତ ବାଲେଶ୍ୱର, ଭଦ୍ରକ,କେନ୍ଦୁଝର ତଥା ପଡୋଶୀ ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟର ଉପାନ୍ତ ଅଂଚଳରେ ଓଡ଼ିଆ ଭାଷାଭାଷୀ ପ୍ରାୟ ୧୫ ଲକ୍ଷ ଶ୍ରୋତା ଉପକୃତ ହେଉଛନ୍ତି । କିନ୍ତୁ ପରିତାପର ବିଷୟ ବାରିପଦା କେନ୍ଦ୍ରରୁ ପ୍ରସାରିତ ବିଭିନ୍ନ ଶିକ୍ଷଣୀୟ ଓ ମନୋରଞ୍ଜନ ଧର୍ମୀ ବହୁ ଉପାଦେୟ କାର୍ଯ୍ୟକ୍ରମ ଜିଲ୍ଲାର ବାମନଘାଟୀ ଓ ପାଂଚପୀଢ଼ ଉପଖଣ୍ଡରେ ଶୁଣିବାକୁ ମିଳେନାହିଁ।
publive-image
ଶିମିଳିପାଳର ନଭଶ୍ଚୁମ୍ଭୀ ପର୍ବତମାଳା ଏହାର ବାଧକ ସାଜିଛି। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ରାଇରଙ୍ଗପୁରଠାରେ ଏକ ଏଫ୍ଏମ୍ ବେତାରକେନ୍ଦ୍ର ସ୍ଥାପନ କରାଯାଇଥିôଲା।  ଶିକ୍ଷା,ସୂଚନା ଓ ମନୋରଞ୍ଜନର ମାଧ୍ୟମ ଆକାଶବାଣୀ କଳାର ପ୍ରାଣକେନ୍ଦ୍ର ଅଟେ। ଖୁବ୍ ସହଜରେ, ଅଳ୍ପ ସମୟରେ ଆକାଶବାଣୀର କାର୍ଯ୍ୟକ୍ରମ ପହଁଂଚିି ପାରେ ଦୁର୍ଗମ ଅଂଚଳରେ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରେଡିଓ ମାଧ୍ୟମରେ ଲୋକେ ଖବର ଶୁଣନ୍ତି, ପାଣିପାଗ, କୃଷି ସମ୍ବନ୍ଧୀୟ ସୂଚନା, ସ୍ୱାସ୍ଥ୍ୟ ସୂଚନା, ପାଲା, ଦାଶକାଠିଆ ଆଦି ଲୋକଗୀତ, କ୍ରିକେଟ କ୍ରମେ ପ୍ରଭୃତି ଏବେବି ଗାଁ ଲୋକେ ଏକାଠି ଶୁଣି ଆନନ୍ଦିତ ହୁଅନ୍ତି। ଦିନ ମଜୁରିଆ ହେଉ ଅବା ପଥଚାରୀ ଛୋଟ ଟ୍ରାନ୍ଜିଷ୍ଟରରୁ ଗୀତ ଶୁଣି ଶୁଣି କାମ କରେ, ବାଟ ଚାଲେ, ଶ୍ରମ ଲାଘବ କରେ। କେଉଁ ସମୟରେ କେତେ ସାର,ବିହନ ଓ ଔଷଧର ଉପଯୋଗ କରାଯିବ କୃଷିଜୀବୀଟିଏ ସେସବୁର ସୂଚନା ପାଇଥାଏ ରେଡିଓରୁ। 
ରାଇରଙ୍ଗପୁର ନିକଟସ୍ଥ ଅସନବଣୀଠାରେ ସ୍ଥାପିତ ଏହି କେନ୍ଦ୍ରର ନିର୍ମାଣକାର୍ଯ୍ୟର ପ୍ରାୟ ୭ବର୍ଷ ପରେ ଗତ ବର୍ଷ ୨୪ ଅପ୍ରେଲ ୨୦୧୪ ଠାରୁ କଟକ ଆକାଶବାଣୀ କେନ୍ଦ୍ରର ରିଲେ ସକାଳ ୫ଟା ୫୦ ମିନିଟରୁ ଦିନ ୩ଟା ୧୦ ଏବଂ ସନ୍ଧ୍ୟା ୫ଟାରୁ ୧୧ଟା ୧୫ମିନିଟ ଯାଏଁ ଏଫଏମ ୧୦୨.୦ ମେଗାହର୍ଜରେ ଶ୍ରୋତା ଶୁଣି ପାରୁଛନ୍ତି। ବର୍ତମାନ ଉକ୍ତ କେନ୍ଦ୍ରରେ ଏସଇଏ ପଦବି ଖାଲି ରହିଛି, ଇଏ-୨ ଜଣ ବଦଳରେ ଜଣେ, ସିନିୟର୍ ଟେକନିସିଆନ ଜଣେ, ଟେକନିସିଆନ ୩ ଜଣ, ହେଲପର୍ ଜଣେ, ସୁଇପର୍ (କାଜୁଆଲ୍) ଜଣେ ଆକାଶବାଣୀର  କର୍ମଚାରୀରେ ଚାଲିଛି ଏହି ସାମୟିକ ପ୍ରସାରଣ ସେବା।  କର୍ମଚାରୀ ଅଭାବରୁ କୋଟି କୋଟି ଟଙ୍କା ବ୍ୟୟରେ ସମସ୍ତ ଭିତିଭୂମି ଥାଇ ନିଜସ୍ୱ ୨୪ ଘଂଟିଆ ପ୍ରସାରଣ ହୋଇ ପାରୁନଥିବା ଜଣା ପଡିଛି।
ଅନ୍ୟପକ୍ଷରେ ଠାକୁରମୁଣ୍ଡା, କରଂଜିଆ ବିଜ୍ଞାପିତ ଅଂଚଳ ପରିଷଦ ତଥା ଶୁକୃଳି, ରରୁଆଁ, ଯଶିପୁର, କୁସୁମୀ, ବିଜାତଳା, ବହଳଦା, ତିରିଂ, ଜାମଦା, ବିଶୋଇ, ରାଇରଙ୍ଗପୁର ପୌରପରିଷଦ ତଥା ବ୍ଲକର ଅଗଣିତ ଶ୍ରୋତା ଆକାଶବାଣୀର ବହୁମୂଲ୍ୟ ସେବାରୁ ବଂଚିତ ହେଉଛନ୍ତି। ସୂଚନା, ଶିକ୍ଷା ଓ ମନୋରଂଜନର ମାଧ୍ୟମ କୁହାଯାଉଥିବା ଆକାଶବାଣୀ ଏବେବି ଗ୍ରାମାଂଚଳରେ ନିଜର ସ୍ୱାତନ୍ତ୍ରତା ବଜାୟ ରଖିବା ସହ ଶ୍ରୋତାଙ୍କ ହୃଦୟର ରାଣୀ ପାଲଟିଛି।  ମଝିରେ ଉକ୍ତ କେନ୍ଦ୍ରର ନିୟନ୍ତଣ ଜାମସେଦପୁରରୁ ହେବା ପାଇଁ ମସୁଧା ଚାଲିଥିବା ବେଳେ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଚିଠି ପ୍ରକାଶନ ପରେ ଏହିପରି କୌଣସି ଚରମ ନିଷ୍ପତି ଏଯାବତ ବିଭାଗୀୟ ଉଚ୍ଚପଦାଧିକାରୀ  ନେଇନଥିବା ଜଣା ପଡିଛି।

କେନ୍ଦ୍ରର ଏତାଦୃଶ ଅଚଳାବସ୍ଥା ପାଇଁ ଜନୈକ ବରିଷ୍ଠ କର୍ମଚାରୀ ପ୍ରଶାସନିକ ତଥା ରାଜନୈତିକ ଉଦାସୀନତାକୁ ଦାୟୀ କରିଛନ୍ତି। ବହୁ ଆକାଂକ୍ଷିତ ଆକାଶବାଣୀ ରାଇରଙ୍ଗପୁର କେନ୍ଦ୍ରକୁ ତୁରନ୍ତ ନିଜସ୍ୱ ପ୍ରସାରଣ କରାଇବା ଦିଗରେ ଏ ଅଂଚଳର ନେତା ଏବଂ ବିଭାଗୀୟ ଉଚ୍ଚ ପଦାଧିକାରୀ ପଦକ୍ଷେପ ନେବାକୁ କଳାପ୍ରେମୀ ଜନସାଧାରଣ,ସମାଜସେବୀ,ଶ୍ରୋତା ତଥା ବୁଦ୍ଧିଜୀବି ମହଲରେ ମତପ୍ରକାଶ ପାଉଛି। 

ସୂଚନାଯୋଗ୍ୟ ଯେ ଉକ୍ତ ରେଡିଓ ଷ୍ଟେସନଟି ୨୦୧୬ ଜାନୁଆରି ୧୦ରେ କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଉଦଘାଟନ କରିଥିଲେ କିନ୍ତୁ ବର୍ତମାନ ତାହା ଅବହେଳିତ ଅବସ୍ଥାରେ। ଯଦି ବାରିପଦା ଭଳି ରାଇରଙ୍ଗପୁର ଆକାଶବାଣୀ କେନ୍ଦ୍ରରୁ ରିଲେ ହେଲେ ବାମନଘାଟୀ ଓ ପାଂଚପୀଢ ଉପଖଣ୍ଡର ବହୁ ଗାୟକ, କଳାକାର, ବାଦ୍ୟଯନ୍ତ୍ର ବଜାଉଥିବା କଳାକାରଙ୍କ ଗୀତ ନାଟକ ପ୍ରଚାର ପ୍ରସାର ହୋଇପାରନ୍ତା ବୋଲି ଚର୍ଚ୍ଚା ହେଉଛି। ଏହା ବ୍ୟତିତ ବର୍ତମାନ ୧ କିଲୋ ୱାଟ୍‌ର ଟ୍ରାନ୍ସମିଟରକୁ ବୃଦ୍ଧି କରାଯାଇ ୫ କିଲୋ ୱାଟ୍ର ଟ୍ରାନ୍ସମିଟର ଲାଗିଲେ ଅଂଚଳବାସୀ ଉପକୃତ ହୋଇପାରନ୍ତେ। ଏଣୁ ୫ କିଲୋ ୱାଟ୍ର ଟ୍ରାନ୍ସମିଟର ଲଗାଯାଉ ବୋଲି ଦାବି ହେଉଛି। 
ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ରେଡିଓ ମାଧ୍ୟମରେ ବାର୍ତା ଦେଇଥାନ୍ତି ଏବଂ ବର୍ତମାନ ରାଇରଙ୍ଗପୁର ମାଟିର ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ରାଇରଙ୍ଗପୁର ଆକାଶବାଣୀ କେନ୍ଦ୍ରରୁ ରିଲେ ହେବ ବୋଲି ଅଂଚଳବାସୀ ଆସାବାଦୀ ଅଛନ୍ତି। ଆସନ୍ତା ୨୩ ଅକ୍ଟୋବରରେ ରାଷ୍ଟ୍ରପତିଙ୍କ ରାଇରଙ୍ଗପୁର ଗସ୍ତ ସମୟରେ ଅଂଛଳବାସୀ ଏନେଇ ଦାବି କରିବେ ବୋଲି ଜଣାପଡିଛି।