କୋରାପୁଟ: କୋରାପୁଟ ଜିଲ୍ଲାର ପ୍ରମୁଖ କିଛି ସହରର ଜନସଂଖ୍ୟା ବୃଦ୍ଧି ଓ ଟ୍ରାଫିକ ସମସ୍ୟା ଆଦି ଦୁରେଇବା ପାଇଁ ବାଇପାସ୍ ରାସ୍ତା ନିର୍ମାଣକୁ ଜାତୀୟ ରାଜପଥ ପ୍ରାଧିକରଣ ବି ଅନୁମୋଦନ କରିଛି। ଏଥି ମଧ୍ୟରେ ଜୟପୁର, କୋଟପାଡ ବାଇପାସ୍ ରାସ୍ତା ନିର୍ମାଣ ଜାରୀ ରହିଥିବା ବେଳେ କୋରାପୁଟ ଓ ବୋରିଗୁମ୍ମା ଘୋଷଣାରେ ସୀମିତ ହୋଇରହିଛି।
ଜିଲ୍ଲା ସଦରମହକୁମା କୋରାପୁଟରେ ଧୀରେଧୀରେ ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ନୂଆ ନୂଆ ଘର, କଲୋନି, ବ୍ୟବସାୟୀକ ପ୍ରତିଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ସଂଖ୍ୟା ବି ବଢ଼ିଛି। ପୂର୍ବରୁ ସରକାରୀ କାର୍ଯ୍ୟାଳୟ ଅଧିକା ରହିଥିବା ବେଳେ କାଳକ୍ରମେ ଧୀରେଧୀରେ ସହରର ଆକାରରେ ବୃଦ୍ଧି ପାଇଛି। ସହର ମଧ୍ୟ ଦେଇ ଯାଇଛି ଜିଲ୍ଲାର ଲାଇଫଲାଇନ୍ ଏନଏଚ ୨୬, ଏନଏଚ ୩୨୬ ଓ ବିଜୟୱାଡା ରାଂଚି କରିଡ଼ର। ଫଳରେ ପ୍ରତ୍ୟେକ ଦିନ ସହର ମଧ୍ୟ ଦେଇ ଶହଶହ ଭାରୀଯାନ, ବସ, ଟ୍ୟାକ୍ସି, ବାଇକ୍ ଆଦିର ଚଳାଚଳ ବି ଅଧିକା। ତେବେ ରାସ୍ତାର ଦୁଇପାର୍ଶ୍ବରେ ଥିବା ଦୋକାନୀମାନେ ରାସ୍ତା ମାଡ଼ି ବସୁଥିବାରୁ ବନଭାରତୀ ବିଦ୍ୟାପୀଠ ଛକରୁ ଟ୍ରାଫିକ ଛକ ଯାଏଁ ପ୍ରତ୍ୟେକ ୧୦ମିନଟରେ ହେଉଛି ଟ୍ରାଫିକ ଜାମ୍।
ପ୍ରକାଶଯୋଗ୍ୟ, ଗତ ୧୬ ବର୍ଷ ତଳେ କୋରାପୁଟ-ଜୟପୁର ରାସ୍ତାର କଫିବୋର୍ଡ ନିକଟରୁ ଏହି ବାଇପାସ ରାସ୍ତା ବାହାରି ପୂଜାରୀପୁଟ ଷ୍ଟାଡିୟମ ଦେଇ ମହିଳା କଲେଜ ଛକ ନିକଟରେ ଜାତୀୟ ରାଜପଥକୁ ସଂଯୋଗ କରିବା ପାଇଁ ଯୋଜନା କରାଯାଇଥିଲା। ପ୍ରଶାସନ ପକ୍ଷରୁ ୨୦୧୬ମସିହାରେ ଏହାର ସର୍ଭେ କାମ ସାରି ସରକାରଙ୍କ ନିକଟକୁ ପ୍ରସ୍ତାବ ପଠାଯାଇଥିଲା। ୭ କି.ମି. ଲମ୍ବ ବିଶିଷ୍ଟ ଏହି ବାଇପାସ ପାଇଁ ପ୍ରାୟ ୨୮ ଏକର ଜମି ଆବଶ୍ୟକ ଥିବାବେଳେ ଏଥିପାଇଁ ୪୮ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ୨୩ଟି ସରକାରୀ ପ୍ଲଟ ଓ ୫୫ଟି ବେସରକାରୀ ପ୍ଲଟର ଜମି ଯାଉଥିବା ସମ୍ପର୍କିତ ଏକ ବିଜ୍ଞପ୍ତି ଜାତୀୟ ରାଜପଥ ପ୍ରାଧିକରଣଙ୍କ ପକ୍ଷରୁ ପ୍ରକାଶ ପାଇଥିଲା। ତେବେ ରେଳ ବିଭାଗର କିଛି ଜାଗା ଅଧିଗ୍ରହଣ ହୋଇ ନ ପାରିବାରୁ ରାସ୍ତା ନିର୍ମାଣ ଆରମ୍ଭ ହୋଇ ନ ଥିଲା। ଏହି ସମସ୍ୟା ନେଇ ବାରମ୍ବାର ରେଳ ବିଭାଗ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ଆଲୋଚନା ଓ ଚିଠି ଦେଣନେଣ ହୋଇଥିଲେ ମଧ୍ୟ ସେସବୁ ସଫଳ ହୋଇ ନ ଥିଲା।
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ହସ୍ତକ୍ଷେପ କରିବା ପରେ ସେ ରେଳ ବିଭାଗ ଅଧିକାରୀଙ୍କୁ ଜମି ହସ୍ତାନ୍ତର ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। ବାଇପାସ ରାସ୍ତାର ଲମ୍ବ ୩.୮ କି.ମି. ରହିଥିବାବେଳେ ଏଥିପାଇଁ ବ୍ୟୟ ଅଟକଳ ୭୫ କୋଟି ଆକଳନ କରାଯାଇଛି। ଏବଂ ଏହା ଅନୁମୋଦନ ହୋଇ ଆସଛି। ଅପରପକ୍ଷରେ ଗତ ସେପ୍ଟମ୍ବର ୨୦ତାରିଖ ଜିଲ୍ଲାପରିଷଦ ବୈଠକ ଦିନ ବାଇପାସ୍ ରାସ୍ତା ନିର୍ମାଣ ପ୍ରକ୍ରିୟା କାହିଁକି ଅଗ୍ରଗତି ହୋଇପାରୁନି ବୋଲି ବୈଠକରେ ଯୋଗ ଦେଇଥିବା ବିଧାୟକ ଓ ଜନପ୍ରତିନିଧି ମାନେ ପ୍ରଶ୍ନ ଉଠାଇଥିଲେ। ତା ପରେ ସର୍ଭେ କରାଯିବାକୁ ଜିଲ୍ଲାପାଳ ଭି.କୀର୍ତ୍ତିୱାସନ୍ ନିର୍ଦ୍ଦେଶ ଦେଇଥିଲେ।
ଏହାରି ମଧ୍ୟରେ ୨ଟି ପ୍ରସ୍ତାବର ସର୍ଭେ ସରିଥିବା କହିଛନ୍ତି ଜିଲ୍ଲାପାଳ। ଗୋଟିଏ ସର୍ଭେରେ ରାସ୍ତା ଲମ୍ବ ଅଧିକା ଏବଂ ଅଧିକା ପାହାଡଓ ଗଛ କାଟିବାକୁ ପଡ଼ିବ। ଅନ୍ୟଟି ଠିକ ରହିଥିବାରୁ ତାକୁ କାର୍ଯ୍ୟକାରୀ କରାଯିବାକୁ ଯୋଜନା ରହିଛି ବୋଲି କହିଛନ୍ତି ଜିଲ୍ଲାପାଳ। ବାଇପାସ୍ ଟି ପରବ ପଡ଼ିଆକୁ ଯିବା ଆସିବା ପାଇଁ ଆଉ ଗୋଟିଏ ଭଲ ରାସ୍ତା ହୋଇ ପାରିବ। ଏହି ରାସ୍ତାଟି ଜୟପୁର-କୋରାପୁଟ ରାସ୍ତାର ମାଛରା ନିକଟରୁ ପଣ୍ଡି, ରଙ୍ଗବାଲିକୁମ୍ଭା, କହ୍ନେଇପୁଟ ,ରେଳଷ୍ଟେସନ ଛକ ତଥା ମହିଳା ମହାବିଦ୍ୟାଳୟ ଆଗ ପର୍ଯ୍ୟନ୍ତ ସର୍ଭେ କରାଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/01/21/McJIeMlI7I8gMLHVjDeE.jpg)