ରାଉରକେଲା: ସ୍ଥାଣୁ ପାଲଟିଥିବା ରାଉରକେଲା ସହରାଞ୍ଚଳର ସାମଗ୍ରିକ ଅଭିବୃଦ୍ଧି ପାଇଁ ‘ବୃହତ୍ ରାଉରକେଲା’ ଏକମାତ୍ର ବିକଳ୍ପ। ଏଥିପାଇଁ ସହରର ବିଭିନ୍ନ ସଂଗଠନ ବୃହତ୍ ରାଉରକେଲା ଗଠନ ପାଇଁ ସ୍ବର ଉତ୍ତୋଳନ କରିଛନ୍ତି। ବିଧାୟକ ଦୁର୍ଗାଚରଣ ତନ୍ତୀଙ୍କ ସମେତ ଏକାଧିକ ସ୍ବେଚ୍ଛାସେବୀ, ସାମାଜିକ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀ, ନଗର ଉନ୍ନୟନ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ଦାବି ତୀବ୍ର ହେଉଥିବାବେଳେ ଗତ ମାର୍ଚ୍ଚ ମାସରେ ରାଜ୍ୟ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଘୋଷଣା ସହର ସଂପ୍ରସାରଣ ପାଇଁ ଆଶା ଦେଖାଇଥିଲା। ରାଉରକେଲା ଚାରିକଡ଼େ ୧୦୦ କିଲୋମିଟର ବିଶିଷ୍ଟ ରିଂରୋଡ୍ ନିର୍ମାଣ ଓ ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ମନ୍ତ୍ରୀ କହିବାପରେ ପ୍ରକଳ୍ପ ବାସ୍ତବ ରୂପ ନେବାନେଇ ଆଶା ସଞ୍ଚାର ହୋଇଥିଲା। ତେବେ ଏନେଇ ଏଯାବତ୍ ସାମାନ୍ୟ ପଦକ୍ଷେପ ନିଆଯାଇନାହିଁ। ଫଳରେ ପ୍ରକଳ୍ପର ଭବିଷ୍ୟତ ତଥା ସହରବାସୀଙ୍କ ଦାବିପୂରଣ ହେବ ନା ଏହା କେବଳ ଘୋଷଣାରେ ସୀମିତ ରହିବ, ସେନେଇ ଭିନ୍ନଭିନ୍ନ ମତ ପ୍ରକାଶ ପାଇଛି।
ସେତେବେଳେ ପୂର୍ତ୍ତ ମନ୍ତ୍ରୀ କହିଥିଲେ, ରାଉରକେଲାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ଏକାଧିକ ଯୋଜନା ହାତକୁ ନିଆଯିବ। ଆଗାମୀ ୫୦ ବର୍ଷ ପର୍ଯ୍ୟନ୍ତ ଆଖି ଆଗରେ ରଖି ଟ୍ରାଫିକ୍ ସମସ୍ୟାର ସମାଧାନ ପାଇଁ ଆଉଟର୍ ରିଂରୋଡ୍ ନିର୍ମାଣ ପାଇଁ ଯୋଜନା ଚାଲିଥିବା କହିଥିଲେ। ମନ୍ତ୍ରୀଙ୍କ ଘୋଷଣାପରେ ସହରବାସୀ ଆଶାବାଦୀ ହେବା ସ୍ବାଭାବିକ୍। ଆଉଟର୍ ରିଂ ରୋଡ୍ ପାଖାପାଖି ୧୬ କିଲୋମିଟର ବ୍ୟାସାର୍ଦ୍ଧ ହେବ ଓ ଏହାର ପରିସୀମା ଭିତରେ ବିଶ୍ରା-ଲାଠିକଟା-ନୂଆଗାଁ-କାଂଶବାହାଲ ଆଦି ଅଞ୍ଚଳ ରହିବ ବୋଲି ଆକଳନ କରାଯାଉଛି। ଏହାଦ୍ବାରା ଜମି ସମସ୍ୟା ଦୂର ହେବ ଓ ନୂତନ ଭିତ୍ତିଭୂମି ବିକାଶ ସମ୍ଭବ ହେବ।
ତେବେ ଏହି ପ୍ରକଳ୍ପ ପାଇଁ ନିର୍ଦ୍ଦିଷ୍ଟ ଭାବରେ କେଉଁ କେଉଁ ଯୋଜନା ରହିଛି ତାହା ଏଯାଏ ସ୍ପଷ୍ଟ ହୋଇପାରିଲାନି। ଏହି ପ୍ରକଳ୍ପ ପାଇଁ ନିର୍ଦ୍ଦିଷ୍ଟ କେତେ ଟଙ୍କାର ବଜେଟ୍ ରହିଛି, ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ ହେଲାଣି ନା ନାହିଁ ତାହା ଅସ୍ପଷ୍ଟ। ଅପରପକ୍ଷରେ ଗତ ଫେବ୍ରୁଆରିରେ ଉପସ୍ଥାପିତ ବଜେଟ୍ରେ ଭୁବନେଶ୍ୱରର ଟ୍ରାଫିକ୍ ଭିଡ଼ ଦୂର କରିବା ଓ ଭିତ୍ତିଭୂମି ବୃଦ୍ଧି କରିବା ପାଇଁ ୧୩ ହଜାର କୋଟି ଟଙ୍କା ବ୍ୟୟ କରାଯିବାନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।
ସୁନ୍ଦରଗଡ଼ ଜିଲ୍ଲାରୁ ବହୁ ପରିମାଣର ରାଜସ୍ବ ଆଦାୟ ହେଉଛି, କିନ୍ତୁ ତଦନୁଯାୟୀ ଭାଗ ମିଳୁନଥିବା ଅଭିଯୋଗ ହୁଏ। ଏଠାରେ ଜମିଅଭାବ ଯୋଗୁଁ ବାସଗୃହ ପ୍ରକଳ୍ପ ନିର୍ମାଣ ହୋଇପାରୁନି। ଯଦ୍ବାରା ବହୁସଂଖ୍ୟକ ଲୋକ ଏବେ ରାଉରକେଲା ଛାଡ଼ି ଅନ୍ୟତ୍ର ରହିବାକୁ ପ୍ରାଥମିକତା ଦେଉଛନ୍ତି। ଏଭଳି ସ୍ଥିତିରେ ସହରର ପରିସୀମା ବୃଦ୍ଧି ନିତାନ୍ତ ଆବଶ୍ୟକ। ଏଥିପାଇଁ ବୃହତ୍ ରାଉରକେଲା ପ୍ରକଳ୍ପକୁ ବାସ୍ତବ ରୂପ ଦେବାର ଆବଶ୍ୟକତା ରହିଥିବା ବୁଦ୍ଧିଜୀବୀ ଯୁକ୍ତି ବାଢ଼ିଛନ୍ତି।
Rourkela
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/07/01/3ac68835-bfee-430f-99c9-495d95353339-2025-07-01-22-42-50.jpg)