ଘୁ.ଉଦୟଗିରି:  କେନ୍ଦ୍ର ଓ ରାଜ୍ୟ ସରକାର ଗରିବଙ୍କ ପାଇଁ ମାଳମାଳ ଯୋଜନା ପ୍ରସ୍ତୁତ କରୁଛନ୍ତି ତଥାପି ହଟୁନି ଗରିବୀ ସରୁନି ଗରିବଙ୍କ ଦୁଃଖ।ଆଜିବି ଏମିତି ବହୁ ପରିବାର ଅଛି ଯେଉଁମାନେ ଓଳିଏ ଖାଇବାକୁ ପାଉନାହାନ୍ତି କି ସାହାରା ବୋଲି କେହି ନାହାନ୍ତି। ଅସହାୟ ଅବସ୍ଥାରେ ଭଙ୍ଗା ଝାଟିମାଟି ଘରେ ତିନି ଭାଇ ଭଉଣୀ ପୁଣି ଜଣେ ଭିନ୍ନକ୍ଷମ ଦୁଃଖ କଷ୍ଟରେ ଜୀବନ ଜିଇଁବା ନିମନ୍ତେ ସଂଘର୍ଷ କରୁଛନ୍ତି।ଏହିଭଳି ଏକ ବିକଳ ଚିତ୍ର ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ପେଟାପାଙ୍ଗା ଗ୍ରାମ ପଞ୍ଚାୟତ ଅଧିନରେ ଥିବା ଶ୍ରାମୁନାଜୁ ଗ୍ରାମର  ଅନୁସୂଚିତ ଜନଜାତି ବର୍ଗର ଏକ ଅସହାୟ ପରିବାର  ପିଲା ବେଳୁ ତାଙ୍କ ବାପାମାଆଙ୍କୁ ହରେଇ ବର୍ତ୍ତମାନ ଏକ ଭଙ୍ଗା କୁଡ଼ିଆରେ ବହୁତ୍ କଷ୍ଟରେ ଜୀବନ ବିତାଉଛନ୍ତି।

Advertisment

ତିନିଜଣ ଅନାଥ ଅସହାୟ ସନ୍ତାନ ପ୍ରଥମ ଝିଅ ଯମୁନା ପ୍ରଧାନ ବୟସ ୧୫ ବର୍ଷ ବର୍ତ୍ତମାନ ଦଶମ ଶ୍ରେଣୀ ପାସ୍ କରି ଘରେ ବେକାର ବସିଛନ୍ତି । ଦ୍ୱିତୀୟ ପୁଅ କାଂହା ପ୍ରଧାନ (୧୨ ବର୍ଷ ) ଷଷ୍ଠ ଶ୍ରେଣୀରୁ ପାଠ ଛାଡି ଘରେ ଅଛନ୍ତି  ଏବଂ ତୃତୀୟ ଝିଅ ସମ୍ପୂର୍ଣା ପ୍ରଧାନ (୮ ବର୍ଷ) ସେ ଜଣେ  ସଂପୂର୍ଣ୍ଣ ମାନସିକ ଭିନ୍ନକ୍ଷମ ଅଟନ୍ତି ସେ କୌଣସି ବିଷୟ ଜାଣି ପାରୁନାହାନ୍ତି। ଆଜି ପର୍ଯ୍ୟନ୍ତ ତାଙ୍କୁ ଭତ୍ତା ଟିଏ ମଧ୍ୟ ମିଳୁନି।ଦୁଃଖ ପରିତପର ବିଷୟ। ସ୍ଥାନୀୟ ଜନପ୍ରତିନିଧି ପ୍ରଶାସନିକ ଅଧିକାରୀ ଅଛନ୍ତି ହେଲେ ଏହି ଦୁଃଖି ପରିବାରର କରୁଣ ଚିତ୍ର ତାଙ୍କୁ ଦେଖାଯାଉନି।

ଆଶ୍ଚର୍ଯ୍ୟର ବିଷୟ ଧନୀକ ଶ୍ରେଣୀଙ୍କ ପାଖରେ ସବୁ ଯୋଜନା ପହଂଚି ପାରୁଛି ହେଲେ ଏହି ଦୁଃଖୀ ଅସହାୟ ଅନାଥ ତିନି ଭାଇଭଉଣୀଙ୍କ ବିକଳ ଚିତ୍ର ଦୃଶ୍ୟମାନ ନ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।ଏହି ତିନି ଅନାଥ ଅସହାୟ ଭାଇ ଭଉଣୀଙ୍କ ଅବସ୍ଥା ଜିଏବି ଦେଖିବ ଆଖିରୁ ଲୁହ ଝରିଯିବ।ଚିନ୍ତା କରିବ ଆଜି ବି ଏହିଭଳି ମଣିଷ ରହୁଛନ୍ତି ଯିଏ ଦେଶ ଦୁନିଆ ଠାରୁ ଅଲଗା ନା ବାପା ନା ମା ନା କେହି ସମ୍ପର୍କୀୟ ଏହିଭଳି ତିନି ଭାଇ ଭଉଣୀ ପୁଣି ନାବାଳକ ନାବାଳିକା ସେଥିରେ ଜଣେ ଭିନ୍ନକ୍ଷମ ସମ୍ପୂର୍ଣ୍ଣ ଶଯ୍ୟାଶାୟୀ ଅବସ୍ଥାରେ ଥିବା ବେଳେ ବଡ଼ ଭଉଣୀ ଉପରେ ପରିବାର ଭାର।

ଏହି ଭିନ୍ନକ୍ଷମ ନାବାଳିକାର ଚିକିତ୍ସା ହୋଇପାରିଲେ ସେ ସୁସ୍ଥ ହୋଇପାରିବ ଏଣୁ ରାଜ୍ୟ ସରକାର ଏହି ପରିବାରର ସମ୍ପୂର୍ଣ୍ଣ ଦାୟିତ୍ୱ ନେଇ ଏମାନଙ୍କ ପାଠପଢା ଠାରୁ ଆରମ୍ଭ କରି ସେମାନଙ୍କ ସମସ୍ତ ଖର୍ଚ୍ଚ ବହନ କଲେ ଏହିପରିବାର ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବ। ଆଜକୁ ୭ ବର୍ଷ ପୂର୍ବେ ତାଙ୍କ ମାଆ ନିରଳା ପ୍ରଧାନ ସାନଝିଅ ସମ୍ପୂର୍ଣ ପ୍ରଧାନଙ୍କୁ ଜନ୍ମ ଦେଇ ଘରେ ଛାଡ଼ି କୁଆଡେ ଚାଲିଗଲେ ଆଜି ପର୍ଯ୍ୟନ୍ତ ତାଙ୍କର କୌଣସି ଖୋଜ ଖବର ମିଳୁନି।

ମା’ ଚାଲିଯିବା ପରେ ତାଙ୍କ ପିତା ପରିବାର ପ୍ରତିପୋଷଣ କରୁଥିଲେ ଗତ ଫେବ୍ରୁଆରି ୨୪ ତାରିଖ ଦିନ ତାଙ୍କ ପିତା ବୁଦନା ପ୍ରଧାନଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଛି। ବର୍ତ୍ତମାନ ଏହି ତିନିଜଣ ଅସହାୟ ଅନାଥ ଶିଶୁଙ୍କ ଭବିଷ୍ୟତ ଅନ୍ଧକାରରେ ଏମାନଙ୍କ ଦେଖା ଶୁଣା କରିବା ନିମନ୍ତେ ତାଙ୍କ ପରିବାରରେ ଆଉ କେହି ନାହାଁନ୍ତି। ତାଙ୍କ ବଡ଼ ବାପା ମାଧବ ପ୍ରଧାନ ଅଛନ୍ତି କିନ୍ତୁ ସେ ଜଣେ ଶାରୀରିକ ଭିନ୍ନକ୍ଷମ। ଏଣୁ ଏହି ତିନୋଟି ଅସହାୟ ଅନାଥ ଶିଶୁଙ୍କ ଉଜ୍ଜଳ ଭବିଷ୍ୟତ ଯେପରି ହୋଇପାରିବ ସଂପୂର୍ଣ୍ଣ ଦାୟିତ୍ଵ ସରକାର ନିଅନ୍ତୁ ବୋଲି ଅଞ୍ଚଳବାସୀଙ୍କ ସହ ସମାଜ ସେବୀ ଆମନ ଚନ୍ଦ୍ର ନାୟକ ଏବଂ ତିନିଜଣ ଶିଶୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଅନୁରୋଧ କରିଛନ୍ତି।