ନବରଙ୍ଗପୁର: କ୍ରୀଡାବିତ୍ ରହିଛନ୍ତି ତେବେ କ୍ରୀଡା ବିକାଶର ଅନୁସଙ୍ଗିକ ଭିତ୍ତିଭୁମି ନବରଙ୍ଗପୁର ସହର ଓ ଜିଲ୍ଲାରେ ନାହିଁ। ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ପାର୍ଶ୍ବରେ ଷ୍ଟାଡିୟମଟି ରହିଛି। ଏହାର କେବଳ ଚାରିପଟେ ପାଚେରୀକୁ ବାଦ୍ ଦେଲେ ସେଭଳି କିଛି ଆଖି ଦୃଷ୍ଟିଆ ବିକାଶ ହୋଇପାରିନି। ପାଚେରୀ ମଧ୍ୟରେ ଷ୍ଟାଡିୟମ ସୀମିତ୍ ହୋଇ ରହିଥିବା ବେଳେ କ୍ରୀଡାବିତ୍ ମାନେ ଉପେକ୍ଷିତ ହୋଇ ରହିଛନ୍ତି। ନିଜସ୍ବ ଉଦ୍ୟମରେ କ୍ରୀଡାବିତ୍ ମାନେ ଦୌଡ କୁଦ୍ କରୁଥିଲେ ହେଁ ସଂହପ୍ରତି ପ୍ରତିଯୋଗିତା ଗୁଡିକ ସିନ୍ଥେଟିକ୍ ଟ୍ରାକରେ ଦୌଡ଼ିବା ବେଳେ ବହୁ ହଇରାଣର ଶୀକାର ହେଉଛନ୍ତି। 

Advertisment

ଜିଲ୍ଲାର ବିଭିନ୍ନ ଗାଁରେ ଜାତୀୟ, ଅର୍ନ୍ତଜାତୀୟସ୍ତରୀୟ କ୍ରୀଡାବିତ୍ ମାନେ ରହିଥିଲେ ହେଁ ସରକାରୀ ଭାବେ ସେମାନଙ୍କର କ୍ରୀଡାର ବିକାଶ ପାଇଁ ଯେଭଳି ଅନୁସଙ୍ଗିକ ଭିତ୍ତିଭୁମି, ସିନ୍ଥେଟିକ୍ ଟ୍ରାକ, ଭଲିଭଲ କୋର୍ଟ କିମ୍ବା ଫୁଟବଲ କୋର୍ଟ, ଆଦି ଏଥିରେ ନାହିଁ। ଏହାରି ମଧ୍ୟରେ ଓଡିଶା କ୍ରିକେଟ ଆସୋସିଏସନ୍ ଏହି ଷ୍ଟାଡିୟମ ପରିସରକୁ କ୍ରିକେଟ ଆକାଡେମୀ ଭାବେ ପରିଗଣିତ କରିଛି। ୧୨କୋଟିର ଗୋଟିଏ ଟର୍ଫ ପିଚ୍ ନିର୍ମାଣ ହୋଇଛି। ତେବେ ଷ୍ଟାଡିୟମ ପରିସରରେ ବିଭିନ୍ନ ବୟସ ବର୍ଗର କ୍ରିକେଟ ଖେଳାଳୀଙ୍କ ଚୟନକୁ ବାଦ ଦେଲେ ଅନ୍ୟ ଖେଳକୁଦ, ଦୌଡକୁଦ୍ ପ୍ରତିଯୋଗିତା ପ୍ରଶାସନ ଆୟୋଜନ କରୁଥିବା ନଜିର ନାହିଁ।  

ପଡିଆର ଚାରିପଟେ ଘାସ ଟିକକ୍ ବି ନାହିଁ। ମଂଚ ଓ ବ୍ୟାୟମଶାଳାର ଅବସ୍ଥା ନ କହିବା ଭଲ। ସହର ମଧ୍ୟରେ ଭଲ ଷ୍ଟାଡିୟମ ଖଣ୍ତିକ ନଥିବାରୁ ବହୁ ଭଲ କ୍ରୀଡାବିତ୍ ଓ ଆଥଲେଟ୍ ମାନେ ସହର ମଧ୍ୟରେ ଥିବା କଲେଜ ପଡିଆରେ ଯାଇ ଅଭ୍ୟାସ କରୁଛନ୍ତି। କ୍ରୀଡାର ବିକାଶ ପାଇଁ ସମନ୍ବିତ କ୍ରୀଡା କଂପ୍ଲେକ୍ସର ନିର୍ମାଣ ହେବ ଏବଂ ତାହା ତାରାଗାଁ ନିକଟସ୍ଥ ଚିକିଲିରେ କରାଯିବ ବୋଲି ଚର୍ଚ୍ଚା ହେଉଛି। ତେବେ  ଜିଲ୍ଲାକ୍ରୀଡା ଅଧିକାରୀଙ୍କ ନିକଟରେ ଏ ନେଇ କିଛି ସୂଚନା  ନାହିଁ।

ଅପରପକ୍ଷରେ ପୁରୁଣା ଷ୍ଟାଡିୟମ ପାର୍ଶ୍ବରେ ସୁଇମିଂ ପୁଲ୍ ନିର୍ମାଣ କରିବା ପାଇଁ ୨ ଏକର ଜମି ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପର ବିଭାଗ ପକ୍ଷରୁ ମଗାଯାଇଥିବା କହିଛନ୍ତି ଜିଲ୍ଲା କ୍ରୀଡା ଅଧିକାରୀ। ଜମି ଚିହ୍ନଟ କରି ରାଜ୍ୟ ସରକାରଙ୍କୁ ଜଣାଇ ଦେଇଥିବା କହିଛନ୍ତି ଡିସିଓ। ଅପରପକ୍ଷରେ ଅନୁସଙ୍ଗିକ କ୍ରୀଡା ଭିତ୍ତିଭୂମି ନଥିବାରୁ କ୍ରୀଡାବିତ୍ ମାନେ ବିଭିନ୍ନ କ୍ରୀଡା ପ୍ରତି ଯେଭଳି ଉତ୍ସାହିତ ହୋଇ ଅଭ୍ୟାସ କରିବା କଥା କରି ପାରୁନାହାନ୍ତି। ଏହି ସ୍ଥିତିରେ ଦୌଡକୁଦ , ହକି, ଫୁଟବଲ ଭଳି କ୍ରୀଡା ଛାଡି ଅଧିକାଂଶ ପିଲା କ୍ରିକେଟରେ ହିଁ ମାତିଛନ୍ତି। ସମନ୍ବୀତ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣ ହେଲେ ବହୁ ଲୁକ୍କାୟିତ କ୍ରୀଡା ପ୍ରତିଭା ପରିସ୍ପୁଟିତ ହୋଇ ପାରିବେ , ବଣ ମଲ୍ଲୀ ବଣରେ ଝଡିବ ନାହିଁ ବୋଲି ବହୁ ବୁଦ୍ଧିଜୀବୀ, ପୂର୍ବତନ କ୍ରୀଡାବିତ୍ ଓ ବରିଷ୍ଟ କ୍ରୀଡାବିତ୍ତ ମାନେ କହିଛନ୍ତି।  

Nabarangpur