କୋରାପୁଟ: ସବୁ ସରକାରଙ୍କ ପ୍ରାଥମିକ ଲକ୍ଷ୍ୟ ଗାଁ ଖେଳ ପଡିଆ। କାର୍ଯ୍ୟକାରୀ କରିବା ପାଇଁ ଆଖିବୁଜା ଅନୁଦାନ ବି କେନ୍ଦ୍ର ଓ ରାଜ୍ୟ ଦେଉଛନ୍ତି। ଜିଲ୍ଲାର ୧୪ବ୍ଲକରେ ମନରେଗା ଆରମ୍ଭ ହେବା ଦିନରୁ ୨୧୩ଟି ପଡିଆ ନିର୍ମାଣ କରାଯାଇଥିବା ବିଭାଗୀୟ ଅନଲାଇନରେ ଦର୍ଶାଉଛନ୍ତି। ବାସ୍ତବରେ କିନ୍ତୁ ଚିତ୍ର ଅଲଗା। ଜିଲ୍ଲାର ବହୁ ଗ୍ରାମଞ୍ଚଳରେ ଖେଳପଡ଼ିଆ ନାହିଁ। ଗାଁ ପ୍ରତିଭାମାନେ ସ୍କୁଲ୍ ପଡ଼ିଆ, ନହେଲେ ପାହାଡ ତଳର ପଡିଆରେ ଖେଳୁଛନ୍ତି। ଯେଉଁ ଅଞ୍ଚଳରେ ଖେଳ ପଡ଼ିଆ ନିର୍ମାଣ କରାଯାଇଛି, ତାହା ବହୁତ ଛୋଟ ଏବଂ ଖାଲଖମାରେ ଭରି ହୋଇ ରହିଛି। ଆଉ କିଛି ପଡିଆରେ ଏବେ ଲତାବୁଧା ଭରିଗଲାଣି। ଆଉ କିଛି ପଡ଼ିଆ ପାହାଡ଼ ଉପରେ କରାଯାଇଛି ତ ଆଉ କିଛିକୁ ଯିବା ପାଇଁ ରାସ୍ତା ନାହିଁ। ଏହି ସ୍ଥିତିରେ ଏବେ ଏହି ଖେଳ ପଡିଆ ଦିଶୁନି। ପ୍ରଶ୍ନ ଉଠୁଛି ମନରେଗାରେ ଏତେ ସଂଖ୍ୟକ ଖେଳ ପଡ଼ିଆ ଗଲା କୁଆଡେ। ଏହାର ପ୍ରକୃତ ତଦନ୍ତ ହେଉ ବୋଲି ବିଭିନ୍ନ ମହଲରେ ଦାବି ହୋଇଛି।
କୋରାପୁଟ ଜିଲ୍ଲାର ୧୪ଟି ବ୍ଲକର ୨୪୦ଟି ପଂଚାୟତରେ ୧୮୮୭ଟି କରାଯିବା ଲକ୍ଷ୍ୟ ରହିଥିବା ବେଳେ ଏଯାଏଁ ୨୧୩ଟିର କାମ ସରିଛି। ୪୮୭ଟିର କାମ ଜାରି ରହିଛି। ଏଥି ପାଇଁ ୧୧କୋଟି ୪୨ଲକ୍ଷ ଖର୍ଚ୍ଚ ହୋଇଛି। ୧୧୮୭ଟି ପଡିଆ ନିର୍ମାଣ କରିବା ବଳକା ରହିଥିବା କାଗଜପତ୍ରରେ ଦର୍ଶାଯାଉଛି।
ଜିଲ୍ଲାର ବନ୍ଧୁଗାଁ ବ୍ଲକରେ ୮୮ଟିରୁ ୨ଟି ନିର୍ମାଣ ସରିଛି। ବୈପାରୀଗୁଡାର ୧୦୬ରୁ ୧୨ଟି , ବୋରିଗୁମ୍ମା ୩୧୦ରୁ ୮୯ଟି, ଦଶମନ୍ତପୁର ୮୧ରୁ ୪ଟି, ଜୟପୁର ୨୦୯ରୁ ୨୬ଟି, କୋରାପୁଟ ୪୧ରୁ ଗୋଟିଏ, କୋଟପାଡ୨୯୬ରୁ ୩୮ଟି, କୁନ୍ଦ୍ରା ୧୪୪ରୁ ୧୧ଟି, ଲମତାପୁଟ ୧୬୨ରୁ ୧୦ଟି, ଲକ୍ଷ୍ମୀପୁୀର୧୨୮ରୁ ୨ଟି, ନନ୍ଦପୁର ୧୦୯ରୁ୯ଟି, ନାରାୟଣପାଟଣା ୭୪ରୁ ୨ଟି, ପଟାଙ୍ଗୀ ୧୧୪ରୁ ୫ଟି ଓ ସେମିଳିଗୁଡା ବ୍ଲକରେ ୨୫ଟିରୁ ୨ଟି ଏଭଳି ୨୧୩ଟି ଏମଜିନରେଗାର ଖେଳପଡ଼ିଆ ନାଁରେ ବିଭାଗୀୟ ତଥ୍ୟ ରହିଛି।
ବଳକା ୪୮୭ଟି ଏମଜିନରେଗାର ମାଟି ସଜାଡ଼ିବା କାମରେ ଦର୍ଶା ଯାଇଥିବା ସୂଚନା ମିଳିଛି। ଏପରି ଜିଲ୍ଲାରେ ୭୦୦ଟି ଖେଳପଡିଆ ରହିଥିବା ଦର୍ଶା ଯାଉଥିବା ବେଳେ ଗୋଟିଏ ବି ଖେଳ ପଡ଼ିଆର ଚିହ୍ନବର୍ଣ୍ଣ ଦିଶୁନି। ପିଆର ମାଟି ସଜାଡି ଦେଲେ ଖେଳ ପଡିଆ ହୋଇପାରିବ କି ବୋଲି ବହୁ କ୍ରୀଡାବିତ୍ ପ୍ରଶ୍ନ କରିଛନ୍ତି। କୋରାପୁଟ ବ୍ଲକର ବଡକେରେଙ୍ଗା, ବଡ଼ସୁକୁ, ଦେଓଘାଟି, ତୁମୁରିପଦର, କେନ୍ଦାର, ଲଙ୍କାପୁଟ, ଲିଟିଗୁଡ଼ା, ମାନବାର, ମାଥାଲପୁଟ, ମରିଚମାଳ, ମହାଦେଇପୁଟ, ମସ୍ତିପୁଟ, ପଦ୍ମପୁର ଓ ଉମୁରି ଆଦି ପଞ୍ଚାୟତର ଭଲିବଲ୍ ଓ ଫୁଟବଲ୍ ଟିମ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ଖେଳୁଛନ୍ତି।
ତେବେ ସେମାନେ ଗାଁ ସ୍କୁଲ୍ ପଡ଼ିଆ ତଥା ଡଙ୍ଗର ପଡ଼ିଆରେ ଖେଳୁଛନ୍ତି। ସେମାନେ ଗାଁରେ ଖେଳ ପଡିଆ ନିର୍ମାଣ କରାଯାଇଥିବା ଜାଣି ନଥିବା କ୍ରୀଡାବିତ୍ ମାନେ କହିଛନ୍ତି। ଖେଳ ପଡିଆ ନାଁରେ ଜିଲ୍ଲାରେ ଦୁର୍ନିତୀ ହୋଇଛି ଏହାର ତଦନ୍ତ କରିବା ଆବଶ୍ୟକ ବୋଲି ଉଠିଛି ଦାବି। ନିଶ୍ଚିତ ରୁପେ ପଡିଆ ରହିଥିବ, ତଥାଫି ଏଭଳି ଅଭିଯୋଗର ତଦନ୍ତ ନିହାତି ରୁପେ ବୈଷୟିକ ଟିମ୍ ଦ୍ବାରା କରାଯିବ ବୋଲି କହିଛନ୍ତି ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବେଣୁଧର ଶବର।
Koraput