ଜଳେଶ୍ଵର(ସତ୍ୟବ୍ରତ ପ୍ରଧାନ): ଖରସ୍ରୋତା ସୁବର୍ଣ୍ଣରେଖାର ବନ୍ୟା ପ୍ରତିକାର ପାଇଁ ପ୍ରସ୍ତାବିତ ସୁବର୍ଣ୍ଣରେଖା ସଂସ୍କାର ଯୋଜନା କାର୍ଯ୍ୟକାରୀ ହେଉନଥିବାରୁ ବାଲେଶ୍ଵର ଜିଲ୍ଲାର ଉତ୍ତର ବାଲେଶ୍ଵର ଅଞ୍ଚଳରେ ଥିବା ୪ଟି ବ୍ଲକର ଅଧିବାସୀଙ୍କ ଦୁଃଖ ବଢୁଛି। ପ୍ରତିବର୍ଷ ସୁବର୍ଣ୍ଣରେଖାରେ ଆସୁଥିବା ପ୍ରଳୟଙ୍କାରୀ ବନ୍ୟାରେ ଅଞ୍ଚଳବାସୀ ସର୍ବସ୍ବ ହରାଉଥିବା ବେଳେ ଏବେ କେନ୍ଦ୍ର ଓ ରାଜ୍ୟରେ ବିଜେପିର ଡବଲ ଇଞ୍ଜିନ ସରକାର ଥିବାରୁ ସୁବର୍ଣ୍ଣରେଖା ସଂସ୍କାର ଯୋଜନାକୁ ଅବିଳମ୍ବେ କାର୍ଯ୍ୟକାରୀ କରାଯାଉ ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ସମଗ୍ର ରାଜ୍ୟରେ ଦେବୀ ନଦୀ ପରେ ସୁବର୍ଣ୍ଣରେଖା ଦ୍ବିତୀୟ ଖରସ୍ରୋତା ନଦୀ। ଝାରଖଣ୍ଡର ଛୋଟନାଗପୁର ମାଳଭୂମିରୁ ସୁବର୍ଣ୍ଣରେଖା ନଦୀ ବାହାରି ବାଲେଶ୍ଵର ଜିଲ୍ଲାର କୀର୍ତ୍ତନିଆ ମୁହାଣ ନିକଟରେ ସମୁଦ୍ର ରେ ବିଲୀନ ହୋଇଛି। ନଦୀର ମୋଟ ଦୈର୍ଘ୍ୟ ୩୯୫ କିମି ହୋଇଥିବା ବେଳେ ଏହାର ଅବବାହିକା ଅଞ୍ଚଳ ୧୮୯୫୧ ବର୍ଗ କିମି ଅଟେ। ଝାଡ଼ଖଣ୍ଡର ଷଢେଇକଳା, ଖରସୁଆଁ, ପୂର୍ବ ସିଂହଭୂମି, ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁର ଓ ଓଡ଼ିଶାର ମୟୂରଭଞ୍ଜ ଏବଂ ବାଲେଶ୍ବର ଜିଲ୍ଲା ଦେଇ ପ୍ରବାହିତ ହୋଇଥିବା ଏହି ନଦୀ ଏକଦା ଉତ୍ତର ବାଲେଶ୍ଵର ଅଞ୍ଚଳବାସୀଙ୍କ ଜୀବନ ଜୀବିକାର ରାହା ଥିଲା।
ନଦୀ ତଟବର୍ତ୍ତୀ ଇଲାକାର ଉର୍ବର ମାଟିରେ ପର୍ଯ୍ୟାପ୍ତ ପରିମାଣରେ ଧାନ, ପାନ, ମୀନ ସହ ଉଦ୍ୟାନ ଚାଷ ହେଉଥିଲା, ଯାହା ଉତ୍ତରବାଲେଶ୍ଵରର ଜଳେଶ୍ଵର, ଭୋଗରାଇ, ବାଲିଆପାଳ ଓ ବସ୍ତାର ଅର୍ଥନୈତିକ ଅଭିବୃଦ୍ଧିକୁ ସୁନିଶ୍ଚିତ କରୁଥିଲା। ବର୍ତ୍ତମାନ ସୁବର୍ଣ୍ଣରେଖା ନଦୀ ଅଞ୍ଚଳବାସୀଙ୍କ ପାଇଁ ଦୁଃଖ ପାଲଟିଛି। ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ବିଭାଗର ରିପୋର୍ଟ ଅନୁଯାୟୀ ଗତ ୨୦ ବର୍ଷ ମଧ୍ୟରେ ଏହି ନଦୀରେ ପାଖାପାଖି ୧୨୩ ଥର ବନ୍ୟା ଆସିଛି। ୪ଟି ଗାଁ ନଦୀ ଗର୍ଭରେ ଲୀନ ହୋଇଥିବା ବେଳେ ୫୬ ଜଣକ ଜୀବନ ନେଇଛି। ହଜାର ହଜାର ଏକର ଶସ୍ୟ ଶ୍ୟାମଳା ଜମି ବାଲିଚରରେ ପରିଣତ ହେଉଛି। ବିଶେଷ କରି ୨୦୦୮ ମସିହା ଜୁନ ମାସରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାକୁ ଲୋକେ ଏବେବି ଭୁଲି ନାହାନ୍ତି।
ସୁବର୍ଣ୍ଣରେଖା ବନ୍ୟା ଇତିହାସରେ ୨୦୦୮ ମସିହା ବନ୍ୟା ସବୁଠାରୁ ବଡ଼ ବନ୍ୟା ହୋଇଥିବା ବେଳେ ଏହି ସମୟରେ ରାଜଘାଟ ଠାରେ ନଦୀର ଜଳପତ୍ତନ ୧୨.୪୨ରେ ପହଞ୍ଚି ଥିଲା, ଯାହା ସର୍ବକାଳୀନ ରେକର୍ଡ଼ ବୋଲି କୁହାଯାଇଛି। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପରେ ସୁବର୍ଣ୍ଣରେଖାରେ ବନ୍ୟା ହେବା ନିଶ୍ଚିତ। ଚଳିତ ବର୍ଷ ସେହି ଜୁନ ମାସରେ ସେ ବି ପୁଣି ଗୋଟିଏ ସପ୍ତାହ ମଧ୍ୟରେ ଦୁଇ ଦୁଇଟି ବନ୍ୟା ଲୋକଙ୍କ ଆଖିରୁ ନିଦ ଛଡାଇ ନେଇଛି। ଚଳିତବର୍ଷର ବନ୍ୟାରେ ଉତ୍ତର ବାଲେଶ୍ଵରର ୫୬ଟି ପଞ୍ଚାୟତର ୧୦୭ଟି ଗାଁରେ ସୁବର୍ଣ୍ଣରେଖା ପ୍ରଳୟ ରଚିଛି ବୋଲି ଜିଲ୍ଲା ପ୍ରଶାସନ ରିପୋର୍ଟରେ ଉଲ୍ଲେଖ କରିଛି। ହଜାର ହଜାର ହେକ୍ଟର ପନିପରିବା ଚାଷକୁ ବନ୍ୟା ଧୋଇ ନେଇଛି।ବନ୍ୟା ଛାଡ଼ିବା ପରେ ପ୍ରକୃତ କ୍ଷୟକ୍ଷତିର ରିପୋର୍ଟ ଆସିବ ବୋଲି ଜିଲ୍ଲା ପ୍ରଶାସନର ଜଣେ ଅଧିକାରୀ କହିଛନ୍ତି। କିନ୍ତୁ ସୁବର୍ଣ୍ଣରେଖାରେ କାହିଁକି ଏଭଳି ପ୍ରଳୟଙ୍କାରୀ ବନ୍ୟା ଆସୁଛି ଓ ଏହାର ପ୍ରତିକାର କଣ ତାହା ଏବେ ପୁଣି ଉତ୍ତର ବାଲେଶ୍ଵର ଅଞ୍ଚଳବାସୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।
କୁହାଯାଇଛି ସୁବର୍ଣ୍ଣରେଖା ନଦୀର ଶଯ୍ୟାର ଗତି ଅତ୍ୟନ୍ତ ସର୍ପିଳ।ସେଥିପାଇଁ ନଦୀରେ ବନ୍ୟା ଆସିଲେ ଅତଡା ଖସି ଶଯ୍ୟା ପରିବର୍ତ୍ତନ ହେଉଛି। ଏବେ ସୁବର୍ଣ୍ଣରେଖା ମୁହାଣ ପୋତି ହୋଇ ରହିଥିବାରୁ ବନ୍ୟା ସମୟରେ ସୁରୁଖୁରୁରେ ସମୁଦ୍ରକୁ ଜଳ ନିଷ୍କାସନ ହୋଇ ନପାରିବା ଏକ ପ୍ରମୁଖ କାରଣ ବୋଲି କୁହାଯାଇଛି। ସେହିପରି କେନ୍ଦ୍ର ଜଳ ଆୟୋଗର ରିପୋର୍ଟ ଅନୁଯାୟୀ ନଦୀରେ ପ୍ରତି ସେକେଣ୍ଡକୁ ୩ ଲକ୍ଷ କ୍ୟୁସେକ ପାଣି ପ୍ରବାହିତ ହେବା ଭଳି ନଦୀ ବନ୍ଧର କ୍ଷମତା ଥିବା ବେଳେ ୧୯୯୯ ମସିହା ପରଠାରୁ ପ୍ରତିବର୍ଷ ବନ୍ୟା ସମୟରେ ୪ ଲକ୍ଷ କ୍ୟୁସେକ କିମ୍ବା ତାଠାରୁ ଅଧିକ ପାଣି ପ୍ରବାହିତ ହୋଇ ଆସୁଛି। ଫଳରେ ସୁବର୍ଣ୍ଣରେଖା ପ୍ରଳୟ ସୃଷ୍ଟି କରୁଛି। ଆଉ ସୁବର୍ଣ୍ଣରେଖାର ବନ୍ୟା ପ୍ରତିକାର ପାଇଁ ପ୍ରସ୍ତାବିତ ସୁବର୍ଣ୍ଣରେଖା ସଂସ୍କାର ଯୋଜନାକୁ କାର୍ଯ୍ୟକାରୀ କରିବା ଜରୁରୀ ହୋଇ ପଡିଛି ବୋଲି ଅଞ୍ଚଳବାସୀଙ୍କ ପକ୍ଷରୁ ପୁଣି ଦାବି ଆରମ୍ଭ ହୋଇଛି।
୨୦୦୮ ମସିହା ବନ୍ୟାରେ ସମଗ୍ର ଉତ୍ତର ବାଲେଶ୍ଵର ଅଞ୍ଚଳ ଧ୍ବସ୍ତ ବିଧ୍ବସ୍ତ ହୋଇଥିବା ବେଳେ ତତ୍କାଳୀନ ବିଧାୟକ ଅନନ୍ତ ଦାସ ଓ ସୁବର୍ଣ୍ଣରେଖା ସୁରକ୍ଷା ସେନାର ଆବାହକ ସୁଦର୍ଶନ ଦାସ ସୁବର୍ଣ୍ଣରେଖା ରେ ବନ୍ୟା ପ୍ରତିକାର ପାଇଁ ସଂସ୍କାର ଯୋଜନା କାର୍ଯ୍ୟକାରୀ କରାଯାଉ ବୋଲି ଦାବି କରିଥିଲେ। ତତ୍କାଳୀନ ରାଜ୍ୟ ସରକାର ଏହି ଦାବିକୁ ମାନି ଜଳସମ୍ପଦ ବିଭାଗର ସେହି ସମୟର ମୁଖ୍ୟ ଯନ୍ତ୍ରୀ ଇଂ ଶ୍ରୀଧର ବେହେରାଙ୍କ ନେତୃତ୍ବରେ ଏକ ଉଚ୍ଚ ବୈଷୟିକ କମିଟି ଗଠନ କରିଥିଲେ। ଏହି କମିଟି ବନ୍ୟାଞ୍ଚଳ ଗସ୍ତ କରି ୯୭୦.୨୫ କୋଟିର ଏକ ଯୋଜନା ପ୍ରସ୍ତୁତ କରିଥିଲା। ଯୋଜନା କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାରର ମଧ୍ୟ ସହମତି ପ୍ରକାଶ କରିବା ସହ ପ୍ରାଥମିକ ପର୍ଯ୍ୟାୟରେ ନଦୀର ମୁହାଣ ଖନନ ଜରୁରୀ ବୋଲି କହି ଏକ ବିସ୍ତୃତ ରିପୋର୍ଟ ମାଗିଥିଲେ। ଫଳରେ ଏକ ବୈଷୟିକ ସର୍ଭେ ପାଇଁ ମାଡ୍ରାସ ଆଇଆଇଟିର ଡିପାର୍ଟମେଣ୍ଟ ଅଫ୍ ଓସେନ ଇଂଜିନିୟରିଂ ବିଭାଗକୁ ଦାୟୀତ୍ବ ଦିଆଯାଇଥିଲା।
ଏରିଏଲ ସର୍ଭେ ଓ ଡିଜିଟାଲ ସର୍ଭେ କରାଯାଇଥିବା ବେଳେ ସର୍ଭେ ବାବଦରେ ରାଜ୍ୟ ସରକାର ମାଡ୍ରାସ ଆଇଆଇଟିକୁ ୨୦ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। କିନ୍ତୁ ପରେ ଏହି ଯୋଜନାକୁ କେନ୍ଦ୍ର ତୃଟିପୂର୍ଣ୍ଣ ଦର୍ଶାଇଥିଲା ଓ ଏହାକୁ ନେଇ ରାଜ୍ୟ କେନ୍ଦ୍ର ମଧ୍ୟରେ ଚିଠି ଯୁଦ୍ଧ ଲାଗିଲା। ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ୬୮୭.୮୯ ଏକର ଜମିର ଆବଶ୍ୟକତା ରହିଛି ବୋଲି କୁହାଯାଇଛି।
ସେହିପରି ସୁବର୍ଣ୍ଣରେଖା ଓଡ଼ିଶାରେ ୬୦ କିମି ଅଞ୍ଚଳରେ ପ୍ରବାହିତ ହୋଇଥିବା ବେଳେ ନଦୀର ଉଭୟ ପାର୍ଶ୍ବରେ ୧୭୫ କିମି ବନ୍ଧ ରହିଛି। ସେଥିରୁ ୬୮ କିମି ଟେଷ୍ଟ ରିଲିଫ ବନ୍ଧ, ୬୭ କିମି ବନ୍ୟା ପ୍ରତିରୋଧ ବନ୍ଧ, ୨୧ କିମି ଅଞ୍ଚଳରେ ଲୁଣା ଘେରୀ ବନ୍ଧ ଓ ୧୯ କିମି ଅଞ୍ଚଳରେ କୈାଣସି ବନ୍ଧ ନଥିବା କୁହାଯାଇଛି। ଏହାକୁ ଆଖି ଆଗରେ ରଖି ବନ୍ୟା ପ୍ରତିକାର ପାଇଁ ନଦୀର ଉଭୟ ପାର୍ଶ୍ବରେ ୭୨ କିମି ବନ୍ଧକୁ ଉଚ୍ଚ ଓ ସୁଦୃଢ କରିବା, ୫୦ କିମି ସ୍ଥାନରେ ନଦୀ ବନ୍ଧର ଚିହ୍ନବର୍ଣ୍ଣ ନଥିବାରୁ ସେଠାରେ ନୂଆ କରି ନିର୍ମାଣ କରିବା, ୬୩ କିମି ସ୍ଥାନରେ ପଥର ଲଚିଂ ପେକିଂ କରିବା, ନଦୀର ପାଣି ସ୍ରୋତକୁ ନିୟନ୍ତ୍ରଣ କରିବା ପାଇଁ ୪୦ ଟି ହାଇ ଲେବଲ ସ୍ପର ନିର୍ମାଣ ହେବାକୁ ଏହି ଯୋଜନାରେ ଉଲ୍ଲେଖ ରହିଥିଲା।
ନଦୀକୁ ସଂଯୋଗ କରୁଥିବା ବିଭିନ୍ନ ଉପନଦୀ ବା ନାଳ ଗୁଡିକର ମଧ୍ୟ ପୁନରୁଦ୍ଧାର କରାଯିବ ଓ ଜଳନିଷ୍କାସନ ବିଭାଗ ଠାରୁ ଏକ ଚୁଡାନ୍ତ ରିପୋର୍ଟକୁ ମଧ୍ୟ ନିଆଁ ଯାଇଥିଲା। ଯୋଜନାକୁ କାର୍ଯ୍ୟକାରୀ କରିବାପାଇଁ ଜଳନିଷ୍କାସନ ବିଭାଗର ଏସଇ ବା ଅଧୀକ୍ଷଣ ଯନ୍ତ୍ରୀଙ୍କୁ ରାଜ୍ୟ ସରକାର ନୋଡାଲ ଅଫିସର ଭାବେ ଦାୟିତ୍ଵ ଦେଇଥିଲେ। ଏବେ କିନ୍ତୁ ସେହି ଯୋଜନା ସରକାରଙ୍କ ଶୀତଳ ଭଣ୍ଡାରରେ ପଡିଛି। ଯୋଜନାରେ ଥିବା କେତେକ ପ୍ରସ୍ତାବକୁ ସରକାର କାର୍ଯ୍ୟକାରୀ କରି ସଂସ୍କାର ଯୋଜନାର ଆବଶ୍ୟକତା ନାହିଁ ବୋଲି କହୁଥିବା ବେଳେ ଉତ୍ତର ବାଲେଶ୍ଵର ଅଞ୍ଚଳବାସୀ କିନ୍ତୁ ପ୍ରତି ବର୍ଷ ସୁବର୍ଣ୍ଣରେଖା ବନ୍ୟାରେ ଏକାଧିକବାର ଦହଗଞ୍ଜ ହେଉଛନ୍ତି। ଏବେ ବିଜେପିର ସରକାର କେନ୍ଦ୍ର ଓ ରାଜ୍ୟ ରେ ଥିବାରୁ ଏହି ଯୋଜନା କାର୍ଯ୍ୟକାରୀ କରାଯିବା ପାଇଁ ପଦକ୍ଷେପ ନିଆଯାଉ ବୋଲି ଦାବି ହୋଇଛି।
Balasore