ଆଜିକାଲି ଅଧିକାଂଶ କ୍ଷେତ୍ରରେ ଟ୍ରାକ୍ଟରରେ ଚାଷ କରାଯାଉଛି। ବଳଦର ଆବଶ୍ୟକତା ପଡ଼ୁନି। ତେଣୁ ଅଣ୍ଡିରା ବାଛୁରିର ଚାହିଦା ନାହିଁ। ପୁଣି ଦେଶୀ ଗାଈ କମ୍ କ୍ଷୀର ଦେଉଥିବାରୁ ଲୋକମାନେ ଜର୍ସି ଗାଈକୁ ବେଶି ପସନ୍ଦ କରୁଛନ୍ତି। ଦେଶୀ ଗାଈ ଥିଲେ ତାକୁ ଜର୍ସି ବ‌ା ସିନ୍ଧି ଷଣ୍ଢର ଇଂଜେକ୍ସନ ଦେଇ ସଙ୍କର ବାଛୁରି ଜନ୍ମ କରାଉଛନ୍ତି। ଯଦି ଦେଶୀ ଗାଈ ଦେଶୀ ମାଈ ବାଛୁରି ପକାଇଲା, ତେବେ ତା’ର ବି ଆଦର ନାହିଁ। ତେଣୁ ଏ ଅଣ୍ଡିରା ବାଛୁରି ଓ ଦେଶୀ ମାଈ ବାଛୁରିମାନଙ୍କୁ ରଖି ଖୁଆଇପିଆଇ ବଡ଼ କରି ଲାଭ କ’ଣ? ତାକୁ କଂସେଇକୁ ବିକି ଦିଆଯାଉଛି। କଅଁଳା ବାଛରିକୁ କଂସେଇ ନେଇ କାଟୁଛି। ନ ହେଲେ ଗଉଡ଼ ଗାଈଠାରୁ ସବୁ କ୍ଷୀର ଦୁହିଁ ନେଉଥିବାରୁ ଖାଦ୍ୟ ଅଭାବରୁ ରୋଗଣା ହୋଇ ବାଛୁରି ମରିଯାଉଛି।  

Advertisment

ବାଛୁରି ନ ଥିବା ଗାଈ ସହଜରେ କ୍ଷୀର ଦିଅନ୍ତି ନାହିଁ। ତାଙ୍କୁ ଇଂଜେକ୍ସନ ଦେଇ ଛନ୍ଦ କରି ଜବରଦସ୍ତ କ୍ଷୀର ଦୁହାଁଯାଉଛି। କ୍ଷୀର ଦେଲେ ବି ଯାହାର ବାଛୁରି ମରିଯାଇଛି ବା ଯାହାର ବାଛୁରିକୁ କଂସେଇକୁ ବିକି ଦିଆଯାଇଛି, ସେ କ’ଣ ମନଖୁସିରେ କ୍ଷୀର ଦେଇପାରିବ? ମଣିଷ ମନରେ ବିଭିନ୍ନ ପ୍ରକାର ଭାବ ଉଦୟ ହେଲେ (ହସ, ଖୁସି, କାନ୍ଦ, ଉଦ୍‌ବେଗ, କାମ, କ୍ରୋଧ, ଲୋଭ ଇତ୍ୟାଦି) ତା’ର ବିଭିନ୍ନ ଗ୍ରନ୍ଥିରୁ ନାନା ପ୍ରକାର ରସ କ୍ଷରଣ ହୁଏ, ବାଛୁରିକୁ ହରାଇଥିବା ଦୁଃଖିନୀ ଗାଈର ବି ସେମିତି ବିଭିନ୍ନ ଗ୍ରନ୍ଥିରୁ ରସ କ୍ଷରଣ ହୁଏ। ସେ ରସ କ୍ଷୀରରେ ବି ମିଶି ତାକୁ ଖରାପ କରିଦିଏ। ସେଥିପାଇଁ ଆୟୁର୍ବେଦ ଶାସ୍ତ୍ରରେ ଚରକ ଲେଖିଛନ୍ତି ବିବତ୍ସା (ବାଛୁରି ନ ଥିବା) ଗାଈର କ୍ଷୀର ପିଇବ ନାହିଁ। ନିର୍ଦ୍ଦଶା, ସନ୍ଧିନୀ ଓ ବିବତ୍ସା ଗାଈର କ୍ଷୀର ନ ପିଇବା ପାଇଁ କେବଳ ଚରକ ନୁହନ୍ତି, ମନୁ, ଯାଜ୍ଞବଳ୍କ୍ୟ ପ୍ରଭୃତି ଋଷିମାନେ ବି କହିଛନ୍ତି। ଚରକ ସଂହିତାରେ ଅଛି:
‘‘ବର୍ଜୟେତ୍ ସନ୍ଧିନୀକ୍ଷୀରଂ ବିବତ୍ସାୟାଃଽପି ଗୋଃ ପୟଃ।’’

ଅର୍ଥାତ୍ ସନ୍ଧିନୀ ଓ ବିବତ୍ସା ଗାଈର କ୍ଷୀର ବର୍ଜନୀୟ। ସନ୍ଧିନୀମାନେ ଷଣ୍ଢସଙ୍ଗିନୀ, ବୃଷାକ୍ରାନ୍ତା ଋତୁମତୀ ଗାଭୀ, ନିଷ୍ପାଦିତମୈଥୁନା ଗାଭୀ, ଅକାଳରେ ଦୁଗ୍ଧଦାୟିନୀ ଗାଭୀ। ଯେଉଁ ଗାଈ ଏଣେ କ୍ଷୀର ଦେଉଛି, ତେଣେ ପୁଣି ଫଳ ଗଲାଣି ବା ଗର୍ଭବତୀ ହେଲାଣି, ତା’ କ୍ଷୀର ପିଇବ ନାହିଁ। କାରଣ ଗର୍ଭବତୀ ହେଲା ପରେ ତା’ ଶରୀରରେ ବିଭିନ୍ନ ପ୍ରକାର ରାସାୟନିକ ପ୍ରତିକ୍ରିୟା ଘଟେ, ଯାହା ତା’ କ୍ଷୀରକୁ ପ୍ରଭାବିତ କରେ। କିନ୍ତୁ ଆମର ପ୍ରାଣୀ ପାଳନ ବିଭାଗର ଡାକ୍ତର ଓ ବିଶେଷଜ୍ଞମାନଙ୍କ ଦ୍ବାରା ଚାଷୀମାନଙ୍କୁ ଗାଈ ମାସେ ଦୁଇମାସ କ୍ଷୀର ଦେଲା ପରେ ତାକୁ କୃତ୍ରିମ ନିଷେଚନ ଦ୍ବାରା (ଇଞ୍ଜେକ୍ସନ ଦେଇ) ପୁନଃ ଗର୍ଭବତୀ କରିଦେବାକୁ ପରାମର୍ଶ ଦିଆଯାଉଛି। କାରଣ ଗାଈ ବର୍ଷେ କ୍ଷୀର ଦେଲେ ବର୍ଷେ ପଡ଼ିଆ ପଡ଼ିବା କଥା। କିନ୍ତୁ ଏହାଦ୍ବାରା ଚାଷୀର ଲାଭ କମିଯିବ। ବିନା ଲାଭରେ ବର୍ଷଟାଏ ଦାନାଚୋକଡ଼ କିଣି ଖାଇବାକୁ ଦେବାକୁ ପଡ଼ିବ। ତେଣୁ ଗାଈ ଯେପରି ପଡ଼ିଆ ନ ପଡ଼ିବ, ସେଥିପାଇଁ ବୈଜ୍ଞାନିକମାନଙ୍କ ଦ୍ବାରା କୃତ୍ରିମ ନିଷେଚନ ବ୍ୟବସ୍ଥା କରାଯାଇଛି। କିନ୍ତୁ ପ୍ରତିବର୍ଷ ଛୁଆ ଜନ୍ମ କରିବା ଦ୍ବାରା ଗାଈକୁ କେତେ କଷ୍ଟ ସହିବାକୁ ପଡ଼େ, ତା’ର ସ୍ବାସ୍ଥ୍ୟ ଉପରେ କି ପ୍ରଭାବ ପଡ଼େ ଏବଂ ତା’ର କ୍ଷୀର ଉପରେ ବି କି ପ୍ରଭାବ ପଡ଼େ, ସେ ବିଷୟରେ ଭାବିବାକୁ ବା ଗବେଷଣା କରିବାକୁ ସେମାନଙ୍କର ସମୟ ନାହିଁ। ସମ୍ବେଦନାହୀନ ବୈଜ୍ଞାନିକ ଏମାନେ।

ସନ୍ଧିନୀ ଓ ବିବତ୍ସା ଗାଈ ଛଡ଼ା ନିର୍ଦ୍ଦଶା ଗାଈର କ୍ଷୀର ବି ପିଇବାକୁ ମନା କରାଯାଇଛି। ନିର୍ଦ୍ଦଶାମାନେ ବାଛୁରି ପକାଇବାର ଦଶ ଦିନ ଅତିକ୍ରାନ୍ତ ହୋଇ ନ ଥିବା ଗାଈ। ବାଛୁରି ପକାଇବାର ଦଶ ଦିନ ଭିତରେ ଗାଈର କ୍ଷୀର ଅତ୍ୟନ୍ତ ବହଳିଆ ହୋଇଥାଏ, ଯେଉଁଥିରେ କିଛି ଅଧିକ ପୋଷକ ତତ୍ତ୍ବ ଥାଏ, ଯାହା ବାଛୁରିର ସୁସ୍ଥତା ଓ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧିରେ ସାହାଯ୍ୟ କରେ। ଆମ ଘରେ ପିଲାଦିନେ ଦେଖିଛି, ଗାଈ ବାଛୁରି ପକାଇଲେ ବାପା ତାକୁ ୨୧ ଦିନ ଯାଏ ନ ଦୁହିଁ କେବଳ ବାଛୁରି ପିଇବାକୁ ଛାଡ଼ିଦିଅନ୍ତି। ତା’ପରେ ବାଛୁରି ପିଇ ସାରିବା ପରେ କ୍ଷୀର ଦୁହାଁଯାଏ। ବାଛୁରି ବଡ଼ ହେଲେ ଅଧିକ ଖାଦ୍ୟର ଆବଶ୍ୟକତା ଥିବାରୁ ତାକୁ କ୍ଷୀର ପିଇବା ପରେ ଅନ୍ୟ ସମୟରେ ବିରି ବା କୋଳଥ ବାଟି ଖାଇବାକୁ ଦିଆଯାଏ।

ଡାକ୍ତର ଯେମିତି ନବଜାତ ଶିଶୁକୁ ମାଆର କଷକ୍ଷୀର ଦେବାକୁ କହନ୍ତି, ଗାଈର ପ୍ରଥମ ଦଶ ଦିନର ଏ କଷକ୍ଷୀର ସେମିତି ବାଛୁରି ପାଇଁ ଅତ୍ୟନ୍ତ ଉପଯୋଗୀ। ତେଣୁ ଏହାକୁ ମଣିଷ ପିଇବା ଉଚିତ ନୁହେଁ। ତା’ଛଡ଼ା ଏହା ମଣିଷ ପାଇଁ ଉପକାରୀ ବି ବୋଧହୁଏ ନୁହେଁ, ଯେଉଁଥିପାଇଁ ଏହାକୁ ପିଇବାକୁ ଶାସ୍ତ୍ରରେ ମନା କରାଯାଇଛି। କିନ୍ତୁ ଲୋଭୀ ଗୋପାଳକମାନେ ଏ କଷକ୍ଷୀର ବି ଦୁହିଁ ବିକ୍ରି କରୁଛନ୍ତି। କାରଣ ଏହା ବହଳିଆ ଓ ସେଥିରେ ଅଧିକ ପାଣି ମିଶାଇ ବିକ୍ରି କରିବାକୁ ସୁବିଧା ହୁଏ। ପଞ୍ଚାମୃତ ଭିତରୁ ତିନିଟି ଉପାଦାନ କ୍ଷୀର, ଦହି ଓ ଘିଅ ଗାଈଠାରୁ ଆସେ (ଅନ୍ୟ ଦୁଇଟି ହେଲା ଗୁଡ଼ ଓ ମହୁ), ଯାହା ଆଜି ନକଲି, ଅପମିଶ୍ରିତ ଓ ବର୍ଜନୀୟ (ସନ୍ଧିନୀ, ବିବତ୍ସା, ନିର୍ଦ୍ଦଶା କ୍ଷୀର) ହେତୁ ବିଷରେ ପରିଣତ ହୋଇଛି। ବଜାରର କିଣା କ୍ଷୀର ଓ ଅନେକ କ୍ଷେତ୍ରରେ ଗଉଡ଼ କ୍ଷୀରରେ ବି ଉପରୋକ୍ତ ଏକ ବା ଏକାଧିକ ଦୋଷ ନିଶ୍ଚୟ ଥିବାରୁ ତାହା ପିଇବା ପୂର୍ବରୁ ଏ ସବୁ ବିଷୟ ଭାବିବା ଉଚିତ। 

-ଜ୍ୟୋତିର୍ବିଦ୍ ଦୋ‌ଳଗୋବିନ୍ଦ ପଣ୍ଡା, 
ମୋ- ୭୦୦୮୯୬୦୫୦୨