ରାଉରକେଲା: ଥାନା, ସ୍ବାସ୍ଥ୍ୟକେନ୍ଦ୍ର ପରେ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ରାଉରକେଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଅଚାନକ ପରିଦର୍ଶନ କରିଥିଲେ। କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ଠିକ୍ ସମୟରେ ଆସୁଛନ୍ତି କି ନାହିଁ, ତା’ର ସ୍ଥିତି ପରଖିଥିଲେ। କିଛି ସରକାରୀ କାର୍ଯ୍ୟାଳୟରେ ତାଲା ଝୁଲୁଥିଲା ତ ଅନ୍ୟ କିଛି କାର୍ଯ୍ୟାଳୟରେ ଅଧିକାରୀ ଓ କର୍ମଚାରୀଙ୍କୁ ସିଟ୍ରେ ଦେଖିବାକୁ ମିଳି ନଥିଲା।
ଏମିତିକି ସରକାରୀ କାର୍ଯ୍ୟାଳୟ ଭିତରେ ବସିଥିବା ଜଣେ ଠିକାଦାର ବିଧାୟକ ଶ୍ରୀ ତନ୍ତୀଙ୍କୁ ତୁମେ କିଏ ବୋଲି ପଚାରିବାକୁ ମଧ୍ୟ ପଛାଇନଥିଲେ। ଯାହା ସେଠାରେ ଉପସ୍ଥିତ ବିଧାୟକ ସମର୍ଥକ ଓ କାର୍ଯ୍ୟାଳୟର କର୍ମଚାରୀଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ବିଧାୟକଙ୍କ ସମର୍ଥକ ତାଗିଦ୍ କରିବା ପରେ ଠିକାଦାର ଜଣକ ନିଜର ଭୁଲ ମାନିବା ସହିତ କ୍ଷମା ମାଗିଲେ। ଯଦି ଜଣେ ବିଧାୟକଙ୍କୁ ଠିକାଦାର ସରକାରୀ କାର୍ଯ୍ୟାଳୟ ଭିତରେ ଏମିତି ବ୍ୟବହାର କରୁଛନ୍ତି, ସାଧାରଣ ଲୋକଙ୍କୁ ଅଧିକାରୀ ଓ କର୍ମଚାରୀମାନେ କେମିତି ଦେଖୁଥିବେ ବୋଲି ବିଧାୟକ ଶ୍ରୀ ତନ୍ତୀ ପ୍ରଶ୍ନ କରିଛନ୍ତି। ଆର୍ଡବ୍ଲ୍ୟୁଏସ୍ଏସ୍ କାର୍ଯ୍ୟାଳୟରେ ଠିକାଦାରମାନେ ରାଜୁତି କରୁଥିବା ଦେଖି ବିଧାୟକ ଅସନ୍ତୋଷ ବ୍ୟକ୍ତ କରିବା ସହ ବିଭାଗୀୟ ଅଧିକାରୀ ଏମିତି ନ ହେବାକୁ ପରାମର୍ଶ ଦେଇଥିଲେ।
ଆହୁରି ପଢ଼ନ୍ତୁ: Chief Minister Baitarani River ବୈତରଣୀରେ ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ
ଅଧିକାରୀଙ୍କୁ ଫୋନ୍ କରି ଜଣାଇଥିଲେ ବିଧାୟକ
ବିଧାୟକ ଶ୍ରୀ ତନ୍ତୀ ପ୍ରଥମେ ପାନପୋଷ ସମନ୍ବିତ ଆଦିବାସୀ ବିକାଶ ସଂସ୍ଥା (ଆଇଟିଡିଏ) ଅଫିସକୁ ଯାଇଥିଲେ। ଯେଉଁଠି ଅନେକ କର୍ମଚାରୀ ଆସିନଥିବା ବେଳେ ଜଣେ ଅଧିକାରୀଙ୍କ ଅନୁପସ୍ଥିତି ଥିବା ଦେଖିବାକୁ ପାଇଥିଲେ। ଏ ସଂକ୍ରାନ୍ତରେ ଅଧିକାରୀଙ୍କୁ ଫୋନ୍ କରି ଜଣାଇଥିଲେ। ଯୋଗାଣ ବିଭାଗ କାର୍ଯ୍ୟାଳୟରେ ହିତାଧିକାରୀଙ୍କ କାମ ଠିକ୍ ହେଉ ନଥିବାଦେଖି ଅସନ୍ତୋଷ ବ୍ୟକ୍ତ କରିଥିଲେ। ଅଧିକାରୀମାନଙ୍କୁ ଉତ୍ତମ ସେବା ଯୋଗାଇ ଦେବାକୁ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ। ରାସ୍ତା ଓ ଗୃହ ନିର୍ମାଣ, ଗ୍ରାମ୍ୟ ଉନ୍ନୟନ ଓ ତହସିଲ ଅଫିସ ପରିଦର୍ଶନ କରି ବିଭାଗୀୟ ଅଧିକାରୀଙ୍କ ସହ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଅବକାରୀ ଅଧୀକ୍ଷକଙ୍କୁ ସାକ୍ଷାତ କରିବାକୁ ଯାଇଥିବାବେଳେ ଜୋନ୍ କାର୍ଯ୍ୟାଳୟରେ ତାଲା ଝୁଲୁଥିବା ଦେଖିବାକୁ ପାଇଥିଲେ। ପାନପୋଷ ରୋଡ଼ସ୍ଥ ଗ୍ରାମ୍ୟ ଉନ୍ନୟନ ବିଭାଗରେ ସ୍ଥିତି ସାଂଘାତିକ ଥିଲା। କର୍ମଚାରୀ ନଥିବା ବେଳେ ଠିକାଦାରମାନେ କାର୍ଯ୍ୟାଳୟ ଭିତରେ ସିଟ୍ରେ ବସି ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏମିତି ଜଣେ ଠିକାଦାର ବିଧାୟକ ଶ୍ରୀ ତନ୍ତୀଙ୍କୁ ଆପଣ କିଏ ବୋଲି ପଚାରିବାକୁ ପଛାଇ ନଥିଲେ।
ଆହୁରି ପଢ଼ନ୍ତୁ: Sold Baby Girl Rescued ଭଦ୍ରକରେ ବିକ୍ରି ହୋଇଥିବା ଶିଶୁକନ୍ୟା କଟକରୁ ଉଦ୍ଧାର
ଏହି ଘଟଣା ପରେ ସଂପୃକ୍ତ ଠିକାଦାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଧାୟକ ଶ୍ରୀ ତନ୍ତୀ ଉପସ୍ଥିତ ଥିବା ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ତେବେ ବିଧାୟକ ଶ୍ରୀ ତନ୍ତୀଙ୍କ ବିଭିନ୍ନ କାର୍ଯ୍ୟାଳୟ ଗସ୍ତ ପରେ ଅଧିକାରୀ ଓ କର୍ମଚାରୀ ଲୋକଙ୍କୁ ଠିକ୍ ସେବା ଦେଇପାରୁଛନ୍ତି କି ନାହିଁ, ତା’ ଉପରେ ସହରବାସୀଙ୍କ ନଜର ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2026/01/14/untitled-2026-01-14-14-49-44.png)