ଝିଅ,‌ ବୋହୂମାନଙ୍କୁ ବୁଢ଼ୀମାଆମାନେ ରାତିରେ ମୁଣ୍ଡ କୁଣ୍ଡାଇବାକୁ ମନା କରନ୍ତି। କହନ୍ତି ଏହା ଆମର ପରମ୍ପରା ନୁହେଁ। ପୂର୍ବପୁରୁଷମାନେ ବାରଣ କରିଛନ୍ତି। କେତେକ ସ୍ମୃତିଶାସ୍ତ୍ରରେ ଏପରି କଥା କୁହାଯାଇଛି। କିନ୍ତୁ ତା’ର ବୈଜ୍ଞାନିକ କାରଣ ଜାଣି ନ ଥିବାରୁ ଆଜିକା ପିଲା ମାନିବାକୁ ରାଜି ନୁହନ୍ତି। ରାତିରେ ମୁଣ୍ଡ କୁଣ୍ଡାଇଲେ କ୍ଷତି କ’ଣ? 

Advertisment

ଆମ କେଶରେ ଆର୍ସେନିକ୍ ନାମକ ଏକ ଧୀର ବିଷ ରହିଥାଏ। ଓଡ଼ିଆରେ ଏହାକୁ ଶଙ୍ଖବିଷ ବା ଶଙ୍ଖୁଆ ବିଷ କୁହାଯାଏ। ମୂଷା ମାରିବା ପାଇଁ ଏହି ବିଷ ବ୍ୟବହାର କରାଯାଏ। କୁହାଯାଏ ସମ୍ରାଟ୍ ନେପୋଲିଅନଙ୍କୁ ନିୟମିତ ଭାବେ ଏହି ଧୀର ବିଷ ଦିଆଯାଉଥିଲା, ଯାହା ତାଙ୍କ ମୃତ୍ୟୁର କାରଣ ହୋଇଥିଲା। ପରୀକ୍ଷାରୁ ତାଙ୍କ କେଶରେ ଆବଶ୍ୟକ ମାତ୍ରାଠାରୁ ଯଥେଷ୍ଟ ଅଧିକ ପରିମାଣର ଆର୍ସେନିକ୍ ଥିବା ଜଣାପଡ଼ିଥିଲା। ତେଣୁ ଆମେ ଖାଇଲା ବେଳେ ଯଦି ଖାଦ୍ୟରୁ କେଶ ବାହାରେ ତେବେ କେଶଟିକୁ କାଢ଼ି ଖାଦ୍ୟ ଖାଇବା ବଦଳରେ ସମ୍ପୂର୍ଣ୍ଣ ଖାଦ୍ୟ ଥାଳିକୁ ଫୋପାଡ଼ିବାକୁ ପରାମର୍ଶ ଦିଆଯାଇଥାଏ।

ଆଗକାଳରେ ବିଜୁଳି ଆଲୁଅର ପ୍ରଚଳନ ନ ଥିଲା। ତେଣୁ ରାତିରେ ମୁଣ୍ଡ କୁଣ୍ଡାଇଲେ ମୁଣ୍ଡରୁ କେଶ ଝଡ଼ି ଘରେ ଏଣେତେଣେ ପଡ଼ିବା ଓ ଖାଦ୍ୟରେ ପଡ଼ିବାର ସମ୍ଭାବନା ଥାଏ। ସେଥି‌ପାଇଁ ରାତିରେ ମୁଣ୍ଡ କୁଣ୍ଡାଇବାକୁ ବାରଣ କରାଯାଉଥିଲା। 

କେହି କହିପାରନ୍ତି ଆଜିକାଲି ତ ବିଜୁଳି ଆଲୁଅ ଅଛି, ତେବେ କାହିଁକି ମୁଣ୍ଡ କୁଣ୍ଡାଇବୁ ନାହିଁ। ଏହା ଉପରେ ଆମର ଉତ୍ତର ହେଉଛି, ବିଜୁଳି ଆଲୁଅ ଥିଲେ ବି ତାହା ଦିନର ଆଲୁଅ ପରି ତୋଫା ନୁହେଁ। କେଶ ଅତି ସୂକ୍ଷ୍ମ ହୋଇଥିବାରୁ ତାହା ଦେଖା ନ ଯାଇପାରେ। ତେଣୁ ସୁରକ୍ଷା ଦୃଷ୍ଟିରୁ ରାତିରେ ମୁଣ୍ଡ ନ କୁଣ୍ଡାଇବା ଭଲ। ତେବେ ଯଦି କିଏ ଦିନରେ ମୁଣ୍ଡ କୁଣ୍ଡାଇ ନ ଥାଏ, ରାତିରେ ବାହାରକୁ କୌଣସି କାମରେ ବା ପାର୍ଟିରେ ଯୋଗ ଦେବାକୁ ଯିବାର ଥାଏ ଏବଂ ମୁଣ୍ଡ କୁଣ୍ଡାଇବାର ଜରୁରୀ ଆବଶ୍ୟକତା ଥାଏ, ତେବେ ସେ ସତର୍କତାର ସହ ମୁଣ୍ଡ କୁଣ୍ଡାଇପାରିବ। ତଳେ ବସି ଖାଦ୍ୟ ଖାଉଥିବା ସ୍ଥାନଠାରୁ ଓ ରୋଷେଇଘର ନିକଟରୁ ଟିକେ ଦୂରରେ ଅଥବା ଘର ବାହାରେ, ଦୁଆରେ ବା ବାଲ୍‌କୋନିରେ ମୁଣ୍ଡ କୁଣ୍ଡାଇବା ଉଚିତ। କିନ୍ତୁ ଜରୁରୀ ଆବଶ୍ୟକତା ନ ଥିଲେ ରାତିରେ ମୁଣ୍ଡ କୁଣ୍ଡାଇବା ଅନୁଚିତ। 

ସମାନ କାରଣରୁ ମୁଣ୍ଡର କେଶ ମୁକୁଳା ରଖିବା ପରିବେର୍ତ୍ତ ଖୋଷା ପକାଇବା ଓ ବେଣୀ ବାନ୍ଧିବା ହେଉଛି ଆମର ପରମ୍ପରା। କାରଣ ମୁକୁଳା କେଶରୁ ଚୁଟି ଝଡ଼ି, ଉଡ଼ି ଏଣେତେଣେ ପଡ଼ିବା, ଏପରି କି ଖାଦ୍ୟପଦାର୍ଥରେ ପଡ଼ିବାର ସମ୍ଭାବନା ଥାଏ। ପୁନଶ୍ଚ ମୁକୁଳା କେଶ ଯୌନୋଦ୍ଦୀପକ ହୋଇଥିବାରୁ ଅଯଥାରେ କେଶ ମୁକୁଳା ରଖିବାକୁ ବାରଣ କରାଯାଇଥାଏ। ଆମ ପୂର୍ବପୁରୁଷମାନଙ୍କର ପ୍ରତ୍ୟେକ ବିଧିନିଷେଧ ଓ ପରମ୍ପରା ଭିତରେ କିଛି ନା କିଛି ବୈଜ୍ଞାନିକ କାରଣ ନିହିତ ଅଛି। ତେଣୁ ନ ଜାଣି ଅବହେଳା କରିବା ବା ଅନ୍ଧବିଶ୍ବାସ କହି ଉଡ଼ାଇଦେବା ଉଚିତ ନୁହେଁ।

hair-style

-ଦୋଳଗୋବିନ୍ଦ ପଣ୍ଡା