ଭୁବନେଶ୍ବର: ଗୁହାଳରୁ ଫିଟିବା ପରେ ନିଜକୁ ମୁକ୍ତ ଭାବିଥିଲେ ମଇଁଷି ପଲ । ଆଉ ଯେତେବେଳେ ପଦାରେ ଛନଛନ ସବୁଜ ଘାସ ପାଇଥିଲେ ସେତେବେଳେ ଭୋକକୁ ନିୟନ୍ତ୍ରଣରେ ରଖି ପାରିନଥିଲେ… ମନ ଭରି ଖାଇଥିଲେ ଘାସ, ତାପରେ ଲାଗିଥିଲା ପ୍ରବଳ ଶୋଷ । ଭୋକ ଶୋଷ ତ ଜୀବର ଲକ୍ଷଣ- ହେଲେ ସେ ଲକ୍ଷଣ ଯେ ଜୀବନ ଦୀପ ଲିଭାଇଦେବ ସେକଥା କି ଜାଣିଥିଲେ ନିରିହୀ ଜୀବମାନେ । ଶୋଷ ମେଣ୍ଟାଇବାକୁ ନଦୀରେ ପଶି ଢକ ଢକ କରି ପାଣି ପିଇବାକୁ ଲାଗିଥିଲେ… କିନ୍ତୁ ସେ ଶୋଷ ପାଲଟିଗଲା ବିଷ । ଜଳ ପାଲଟିଲା ଜହର । ଶୋଷ ମେଣ୍ଟିବା ଆଗରୁ ଶେଷ ହୋଇଯାଇଥିଲା ଜୀବନ । 

Advertisment

New Project (18)

ଶୋଷ ମାରିବାକୁ ଯାଇ ନଦୀରେ ପଶିଥିବା ମଇଁଷି ପଲ ସେହି ପାଣିରେ ମରିପଡ଼ିଥିଲେ । ନଦୀରେ ପାଣି ପିଇବାର କିଛି ସମୟ ପରେ ଅସୁସ୍ଥ ହୋଇପଡ଼ିଥିଲେ। ନଦୀଟି ଗହୀର ଓ ଅଣଓସାରିଆ ଥିବାରୁ ମଇଁଷି ପଲ ଫେରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରି ନ ଥିଲେ। ବଡ଼ ଆଶ୍ଚର୍ଯ୍ଯ ପାଣିରେ ଘଣ୍ଟାଘଣ୍ଟା ଧରି ପହଁରି ପାରୁଥିବା ମଇଁଷି କିନ୍ତୁ ନଦୀରେ ସେତେବେଳେ ପହଁରି ପାରିବାକୁ ସକ୍ଷମ ନଥିଲେ, ଗୋଟିକ ପରେ ଗୋଟିଏ ମଇଁଷି ପା‌ଣିରେ ମରି ଭାସିଥିଲେ । ଗୋଟେ କି ଦୁଇଟି ନୁହେଁ ଏକାଥରେ ୭୩ଟି ମଇଁଷି ଶୋଷ ମେଣ୍ଟାଇବାର ସନ୍ଧାନରେ ଯାଇ ଜଳସମାଧି ନେଇଥିଲେ… ଆଃ କରୁଣ ଏ କାହାଣୀ, କି ଅବିଶ୍ବସନୀୟ ଏ ଘଟଣା…

WhatsApp Image 2025-08-18 at 18.46.41

କିନ୍ତୁ ବିଡ଼ମ୍ବନାର ବିଷୟ କଣ ଜାଣନ୍ତି- ୭୩ଟି ମଇଁଷି ମରିଯିବା ପରେ ବି କାହାରି କିଛି ଫରକ ପଡୁନି କି କାହା ଆଖିରୁ ଲୁହ ଟୋପେ ଗଡୁନି । ସବୁ ମିଡିଆରେ ଖବରଟେ ହୋଇଛି ସତ, ଟିଭିରେ ଏଭିଓଟେ ବାଜିଛି ସତ କିନ୍ତୁ କାଇଁ କେଉଁଠି ଏ ଖବରକୁ ନେଇ ଚର୍ଚ୍ଚା ଆଲୋଚନା, ତର୍କ ବିତର୍କ ଏବଂ କାରଣ ଖୋଜା ଚାଲୁନି…କି ଲାଇଭ ଡିସକସନ ହେଉନି । ଏହାର ବଡ କାରଣଟେ କଣ ଜାଣନ୍ତି ? କାରଣ ଏମାନେ ପଶୁ… ଆଉ ପଶୁ ବୋଲି ତ ଏତିକି ଅବହେଳା । ପୁଣି ଗାଈ କି ଗୋରୁ ନୁହେଁ ମଇଁଷି । ଥରେ ଭାବିଲେ ୭୩ଟି ମଇଁଷି ଜାଗାରେ ଯଦି ଆଜି ୭୩ଟି ମଣିଷ ଥାନ୍ତେ…? କିମ୍ବା ମଇଁଷି ମଡ଼କ ସ୍ଥାନରେ ଯଦି ନଦୀରେ ବୁଡ଼ି କିମ୍ବା ବିଷକ୍ରିୟାରୁ ମଣିଷ ମଡ଼କ ହେଇଥାନ୍ତା ଏତେବେଳକୁ କଣ ହେଉଥାନ୍ତା ପରିସ୍ଥିତି ? କଣ ଥାଆନ୍ତା ରାଜ୍ୟର ସ୍ଥିତି ? ଗଣମାଧ୍ୟମରେ ହେଡଲାଇନରୁ ହଟୁନଥାନ୍ତା ସେ ଖବର । ଟିଭିରେ ଚାଲିଥାନ୍ତା ନନଷ୍ଟପ୍ ଲାଇଭ କଭରେଜ୍ । ରେସ୍କ୍ୟୁ ଅପରେସନ ଠାରୁ ମୃତ୍ୟୁର କାରଣ ଖୋଜା ଯାଏଁ ସବୁ ଚାଲିଥାନ୍ତା । ତତ୍ପର ହୋଇ ସାରନ୍ତାଣି ପ୍ରଶାସନ, ସକ୍ରିୟ ହୋଇ ଆକ୍ସନ ପରେ ଆକ୍ସନ ମୋଡରେ ଥାନ୍ତେ ସରକାର । ଘଟଣା ପଛର କାରଣ ଖୋଜି ଦୋଷୀକୁ ବି ବନ୍ଧା ସରନ୍ତାଣି । ବିରୋଧୀ ସରକାରକୁ ଉକ୍ତ ପ୍ରସଙ୍ଗରେ କାଠଗଡ଼ାକୁ ଟାଣି ସାରନ୍ତେଣି… ଶବକୁ ନେଇ ସମବେଦନା, ମୃତଦେହକୁ ନେଇ ରାଜନୀତି, ମାଳମାଳ ମଣିଷର ଶବ ପଛର କାହାଣୀ ବି ସାମ୍ନାକୁ ଆସନ୍ତାଣି… କହିବାକୁ ଗଲେ ପୂରା ରାଜ୍ୟରୁ ଦେଶ ଶୋକରେ ବୁଡନ୍ତାଣି… କ୍ଷତିପୂରଣ ବି ଘୋଷଣା ସରନ୍ତାଣି… ଦାବି, ପ୍ରତିବାଦ, ନାରାବାଜି ଆଉ ଆନ୍ଦୋଳନ ବି ହୁଅନ୍ତାଣି… ନଦୀରେ ବିଷ ପକାଇ ଚିଙ୍ଗୁଡି ମାରିଥିବା ସେ ଦୁର୍ବୃତ୍ତଙ୍କୁ ଖୋଜା ସରନ୍ତାଣି । ନଦୀରେ ବିଷ ପକାଇଥିବା ସେ ବ୍ୟକ୍ତିଙ୍କୁ ହତ୍ୟାକାରୀ ବୋଲି କୁହା ସରନ୍ତାଣି…

WhatsApp Image 2025-08-18 at 18.46.42

ହେଲେ ଏମାନେ ପଶୁ ନା, ତେଣୁ ୟାଙ୍କ ପାଇଁ କାହାରି ପାଟି ଖୋଲୁନି କି କାହା ଛାତିରେ ବି ଦରଦ ଦିଶୁନି । ମଇଁଷି ମଡ଼କ ହୋଇଛି, ମଣିଷ ତ ମରି ନାହାନ୍ତି ନା ତେଣୁ ହୋହଲ୍ଲା ହେଉନି କି ଘଟଣାକୁ ନେଇ ଆଲୋଚନା ବି ହେଉନି । ମଣିଷ ପାଇଁ ସିନା ମଣିଷ ପାଟି ଖୋଲିପାରେ ହେଲେ ଏମାନେ ତ ପଶୁ, ଏମାନଙ୍କ ପାଇଁ କଣ ପଶୁମାନେ ପାଟି ଖୋଲି ପ୍ରତିବାଦ କରିପାରିବେ କି ? ନା, ଏ ସରଳ ଜୀବମାନଙ୍କ ପାଇଁ କେହି ନାହିଁ… ନା ମଣିଷ, ନା ପଶୁପ୍ରେମୀର ଟ୍ୟାଗ୍ ଲଗାଇ ବୁଲୁଥିବା କିଛି ଲୋକ ? କେହି ବି ନୁହେଁ… ସେମାନେ ଯଦି ପାଟି ଖୋଲି କହିପାରୁଥାନ୍ତେ ହୁଏତ ଶୋଷ ଯେବେ ବିଷ ସାଜିଲା ସେ କଷ୍ଟର କାହାଣୀକୁ ନଦୀ କୂଳରେ ଥିବା ମଇଁଷିମାନେ କହି ପାରୁଥାନ୍ତେ… ସେମାନେ ତ ଚୁପ୍, ତେଣୁ ନା ତାଙ୍କ କଥା କେହି ଶୁଣି ପାରିବେ ନା ତାଙ୍କ କଷ୍ଟର ଭାଷାକୁ କିଏ ବୁଝିପାରିବେ ? ସେମାନଙ୍କ ପାଇଁ କିଏ କହିବ ? କହିଲେ ବି ଶୁଣିବ କିଏ ଯେ ? 

ଘଟଣାକୁ ୨୪ ଘଣ୍ଟାରୁ ଅଧିକ ବିତି ସାରିଲାଣି ହେଲେ ସେମାନଙ୍କ ପାଇଁ କାହା ଆଖିରେ ଲୁହ ନାହିଁ- କେବଳ ସେ କ୍ଷତିଗ୍ରସ୍ତ ଦୁଗ୍ଧଚାଷୀଙ୍କ ଛଡା । ସେମାନଙ୍କ ପାଇଁ କେହି ବି ସ୍ବର ଉଠାଉ ନାହାନ୍ତି… କେହି ବି ସେମାନଙ୍କ ପାଇଁ କହୁ ନାହାନ୍ତି, ଚର୍ଚ୍ଚା କରୁ ନାହାନ୍ତି କି ଲିଭି ଯାଇଥିବା ୭୩ଟି ଜୀବନ ପାଇଁ ଆହା ପଦେ ବି କହୁ ନାହାନ୍ତି…

ସତରେ ବୋଧେ ଆମେ ଏମିତି ଏକ ସମାଜରେ ବଞ୍ଚୁଛେ ଯେଉଁଠି ମଣିଷପଣିଆ ଧିରେଧିରେ ମରିଗଲାଣି… ଏଠି କେବଳ ଆପଣାର ଛଡା ଅନ୍ୟ ପାଇଁ କହିବାକୁ, ଲୁହ ଢାଳିବାକୁ କେହି ଚାହୁଁ ନାହାନ୍ତି… ଧିକ୍ ! ଧିକ୍ ଆମ ମଣିଷ ଜନ୍ମକୁ… ଭାବିଲେ ବେଳେ ବେଳେ ନିଜକୁ ବି ଘୃଣା ଲାଗୁଛି… ଏ କାହାଣୀ ପଢି ସାରିଲା ପରେ ଥରେ ଆପଣ ବି ନିଜକୁ ପ୍ରଶ୍ନ କରନ୍ତୁ- ୭୩ଟି ମଇଁଷିଙ୍କ ମୃତ୍ୟୁ ଖବର ଆପଣଙ୍କ ପାଖରେ ପହଞ୍ଚିଛି କି ନାହିଁ  ? ଯଦି ପହଞ୍ଚିଛି ଆପଣ ସେମାନଙ୍କ ପାଇଁ ସ୍ବର ଉଠାଇଛନ୍ତି କି  ? ଆହା ପଦେ କହିଛନ୍ତି କି  ? ଯଦି ନା ତାହାଲେ ଆମେ ମଣିଷ ତ  ?