ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନରେ କେଉଁ ଦଳରୁ କିଏ ପ୍ରାର୍ଥୀ ହେବେ ସେନେଇ ଆଲୋଚନା ଲାଗି ରହିଥିବା ବେଳେ ଏବେ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟଙ୍କୁ ନେଇ ଭିନ୍ନ ପ୍ରକାରର ଚର୍ଚ୍ଚା ହେଉଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ରାଜନୀତି ବେଶ ସରଗରମ ହୋଇଛି। ଜୟ ଢୋଲକିଆ କୁଆଡ଼େ ବିଜେଡି ନୁହେଁ , ବରଂ କ୍ଷମତାସୀନ ବିଜେପି ପକ୍ଷରୁ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଜୋର ଧରିଛି। ଆହୁରି ମଧ୍ୟ କୁହାଯାଉଛି ଯେ ଜୟ ବିଜେପିର କେନ୍ଦ୍ରୀୟ ନେତୃତ୍ବଙ୍କୁ ବି ଭେଟିସାରିଲେଣି। ଜୟ ଓ ତାଙ୍କ ପରିବାରର କେତେକ ସଦସ୍ୟଙ୍କର ଗୁଜୁରାଟର ସୁରଟରେ ବ୍ୟବସାୟ ରହିଛି। ଗୁଜୁରାଟରେ ଦୀର୍ଘ ୨୫ ବର୍ଷରୁ ଅଧିକ ସମୟ ହେବ ବିଜେପି ସରକାର ଅଛି।  ସେହି ସରକାରଠାରୁ ସେମାନେ ଲାଭ ବି ଉଠାଇଛନ୍ତି। ଏଣୁ ଜୟ କୁଆଡ଼େ ନୂଆପଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା ଲାଗି ଅଧିକ ଆଗ୍ରହୀ। ତା’ଛଡ଼ା ରାଜେନ୍ଦ୍ର ଢୋଲକିଆ  ପ୍ରଥମେ ସ୍ବାଧୀନ ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ। ପରେ ସ୍ଥାନୀୟ ଆବଶ୍ୟକତାକୁ ଆଖି ଆଗରେ ରଖି କ୍ଷମତାସୀନ ବିଜେଡିରେ ଯୋଗ ଦେଇଥିଲେ। ଏବେ ଓଡ଼ିଶାରେ ବିଜେପି ସରକାର ଅଛି। ଆଉ ଯଦି ଜୟ ବିଜେପିରେ ଯୋଗ ଦେଇ ଟିକେଟ୍ ହାତେଇବାରେ ସଫଳ ହୁଅନ୍ତି, ତେବେ ତାଙ୍କର ବିଜୟ ସହଜସାଧ୍ୟ ହେବ ବୋଲି ତାଙ୍କ ସମର୍ଥକମାନେ ବିଚାର କରୁଛନ୍ତି।

Advertisment

ଏଣେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବ୍ୟକ୍ତିଗତ ଭାବେ ନୂଆପଡ଼ା ଯାଇ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀ କଳ୍ପନା ଢୋଲକିଆ, ପୁଅ ଜୟ ଢୋଲକିଆ ଓ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ରାଜେନ୍ଦ୍ର ଢୋଲକିଆଙ୍କ ବିୟୋଗରେ ନୂଆପଡ଼ା ଜିଲ୍ଲାବାସୀ ଜଣେ ଭଲ ନେତାଙ୍କୁ ହରାଇଛନ୍ତି। ସେ କେବଳ ଜଣେ ଦରଦୀ ନେତା ନ ଥିଲେ, ସମାଜସେବୀ ହିସାବରେ ମଧ୍ୟ ତାଙ୍କର ପରିଚୟ ଥିଲା। ତେବେ ତାଙ୍କ ଅବର୍ତ୍ତମାନରେ ନୂଆପଡ଼ା ଜିଲ୍ଲାର ବିକାଶ ପ୍ରକ୍ରିୟା ଜାରି ରହିବ। ଜିଲ୍ଲାବାସୀଙ୍କ ଦାୟିତ୍ବ ମୁଁ ନେବି। ଯେତେବେଳେ ଜିଲ୍ଲାବାସୀ ଚାହିବେ ମତେ ଭେଟି ପାରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ରାଜ୍ୟ ପଣ୍ୟାଗାର ପରିସରରେ ଆୟୋଜିତ ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇ କହିଛନ୍ତି। ରାଜେନ୍ଦ୍ରଙ୍କ ସ୍ମୃତିଚାରଣ କରି ମୁଖ୍ୟମନ୍ତ୍ରୀ କହିଥିଲେ, ସେ  ମୋର ଜଣେ ଭଲ ବନ୍ଧୁ ଥିଲେ। ତାଙ୍କର ରାଜନୈତିକ ପ୍ରତିଦ୍ବନ୍ଦ୍ବୀ ଥାଇପାରନ୍ତି, କିନ୍ତୁ ରାଜନୈତିକ ଶତ୍ରୁ କେହି ନଥିଲେ। ଦଳମତ ନିର୍ବିଶେଷରେ ସମସ୍ତଙ୍କୁ ସେ ନିଜର କରି ପାରିଥିଲେ। ବିଧାନସଭାରେ ସେ ମୋ ପାଖରେ ବସୁଥିଲେ। ଆମ ଦୁଇଜଣଙ୍କ ମଧ୍ୟରେ ଘନିଷ୍ଠତା ଥିଲା, ଆଜି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି।

ଏଣେ ଆଜି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ନୂଆପଡ଼ା ଗସ୍ତରେ ଯାଇ ସେଠାକାର ରାଜନୈତିକ ପାଣିପାଗ ଉପରେ ଅନୁଧ୍ୟାନ କରିଛନ୍ତି।

ଜୟ ଢୋଲକିଆ କୁଆଡ଼େ ବିଜେଡି ନୁହେଁ , ବରଂ କ୍ଷମତାସୀନ ବିଜେପି ପକ୍ଷରୁ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଜୋର ଧରିଛି। ଆହୁରି ମଧ୍ୟ କୁହାଯାଉଛି ଯେ ଜୟ ବିଜେପିର କେନ୍ଦ୍ରୀୟ ନେତୃତ୍ବଙ୍କୁ ବି ଭେଟିସାରିଲେଣି। ଜୟ ଓ ତାଙ୍କ ପରିବାରର କେତେକ ସଦସ୍ୟଙ୍କର ଗୁଜୁରାଟର ସୁରଟରେ ବ୍ୟବସାୟ ରହିଛି। ଗୁଜୁରାଟରେ ଦୀର୍ଘ ୨୫ ବର୍ଷରୁ ଅଧିକ ସମୟ ହେବ ବିଜେପି ସରକାର ଅଛି।  ସେହି ସରକାରଠାରୁ ସେମାନେ ଲାଭ ବି ଉଠାଇଛନ୍ତି। ଏଣୁ ଜୟ କୁଆଡ଼େ ନୂଆପଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା ଲାଗି ଅଧିକ ଆଗ୍ରହୀ। ତା’ଛଡ଼ା ରାଜେନ୍ଦ୍ର ଢୋଲକିଆ  ପ୍ରଥମେ ସ୍ବାଧୀନ ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ। ପରେ ସ୍ଥାନୀୟ ଆବଶ୍ୟକତାକୁ ଆଖି ଆଗରେ ରଖି କ୍ଷମତାସୀନ ବିଜେଡିରେ ଯୋଗ ଦେଇଥିଲେ। ଏବେ ଓଡ଼ିଶାରେ ବିଜେପି ସରକାର ଅଛି। ଆଉ ଯଦି ଜୟ ବିଜେପିରେ ଯୋଗ ଦେଇ ଟିକେଟ୍ ହାତେଇବାରେ ସଫଳ ହୁଅନ୍ତି, ତେବେ ତାଙ୍କର ବିଜୟ ସହଜସାଧ୍ୟ ହେବ ବୋଲି ତାଙ୍କ ସମର୍ଥକମାନେ ବିଚାର କରୁଛନ୍ତି।

ତେଣେ ନୂଆପଡ଼ା ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ହେବା ଲାଗି ଉଭୟ ପିତା ବସନ୍ତ ପଣ୍ଡା ଓ ପୁତ୍ର ଅଭିନନ୍ଦନ ପଣ୍ଡା (ଗତ ଥର ପରାଜିତ ହୋଇଥିଲେ) ପ୍ରସ୍ତୁତ ଅଛନ୍ତି। ଆଉ ସେଦୁହେଁ ଜିଲ୍ଲା ବିଜେପିକୁ ସେଠାରେ ସଞ୍ଚାଳନ ବି କରୁଛନ୍ତି। ଏଣୁ ଉଭୟଙ୍କୁ ବାଦ୍ ଦେଇ ଯଦି ବିଜେପି ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରେ, ତେବେ ପରିସ୍ଥିତି ଭିନ୍ନ ହେବ କି? ତାକୁ ନେଇ ଅଙ୍କ କଷା ବି ଆରମ୍ଭ ହୋଇଛି। ତେବେ ଯେହେତୁ ବସନ୍ତ ପଣ୍ଡା ପୂର୍ବତନ ରାଜ୍ୟ ବିଜେପି ସଭାପତି ଓ ପୂର୍ବତନ ସାଂସଦ, ତେଣୁ ତାଙ୍କୁ କେନ୍ଦ୍ରୀୟ ନେତୃତ୍ବ ବୁଝାଇବାରେ ସକ୍ଷମ ହେବେ ଏଥିରେ ସନ୍ଦେହର ଅବକାଶ ନାହିଁ। କାରଣ ସେ ନିଜର ସ୍ବାର୍ଥ ଅପେକ୍ଷା ଦଳର ବିଜୟକୁ ଅଧିକ ଗୁରୁତ୍ବ ଦେବେ ବୋଲି ବିଶ୍ବାସ କରାଯାଉଛି। ଯଦି ଜୟଙ୍କୁ ବିଜେପି ପ୍ରାର୍ଥୀ କରେ ତେବେ ହୁଏତ ପରବର୍ତ୍ତୀ ସମୟରେ ବସନ୍ତ ପଣ୍ଡାଙ୍କୁ ରାଜ୍ୟସଭାକୁ ନେଇପାରେ ବା ଅନ୍ୟ କୌଣସି ବଡ଼ ପଦ ଦେଇପାରେ। ଏଭଳି ଆକଳନ ବି ଜୋର୍ ଧରିଛି।

କିନ୍ତୁ ଏସବୁ ଆକଳନ ଓ ଚର୍ଚ୍ଚା ଭିତରେ ସୀମିତ। ଆଉ କିଛି ଦିନ ପରେ କିଏ ବିଜେପି ପ୍ରାଥୀ ହେବେ ଓ ଜୟ ‌ପ୍ରାର୍ଥୀ ହେଉଛନ୍ତି କି ନା, ତାହା ସ୍ପଷ୍ଟ ହୋଇଯିବ।