ରାଉରକେଲା: ପୂର୍ବତଟ ରେଳତଟ ଅଧିନସ୍ଥ ତିନି ରେଳଡିଭିଜନ ମଧ୍ୟରୁ ୱାଲ୍‌ଟିୟର ହଟିବାକୁ ଯାଉଛି। ପୂର୍ବତଟ ରେଳତଟ ଅଧୀନରେ ଖୋର୍ଦ୍ଧା, ୱାଲ୍‌ଟିଟୟର ଓ ସମ୍ବଲପୁର ଡିଭିଜନ ରହିଛି। ଦକ୍ଷିଣପୂର୍ବ ରେଳତଟ ଅଧୀନରେ ଆଦ୍ରା, ଚକ୍ରଧରପୁର, ଖଡଗପୁର ଓ ରାଞ୍ଚି ଡିଭିଜନ୍‌ ରହିଛି। ପୂର୍ବତଟ ରେଳତଟରୁ ୱାଲ୍‌ଟିୟର ହଟିବା ପରେ ଆଉ ଏକ ନୂଆ ଡିଭିଜନ ପ୍ରତିଷ୍ଠା କରିବାକୁ ରେଳବିଭାଗ ନିଷ୍ପତ୍ତି ନିଆଯାଇଛି। ତେବେ ଦୀର୍ଘଦିନରୁ ଦାବି ହୋଇଆସୁଥିବା ରାଉରକେଲାକୁ ସ୍ବତନ୍ତ୍ର ରେଳ ଡିଭିଜନ କରି ପୂର୍ବତଟ ରେଳବାଇ ଅଧୀନରେ ସାମିଲ କରିବାକୁ ଦାବି ଜୋରଧରିଛି। ସହରର ବିଭିନ୍ନ ରେବଳାଇ ସଙ୍ଗଠନ ଚକ୍ରଧରପୁର ଡିଭିଜନ ଅଧିନରୁ ରାଉରକେଲାକୁ ଅଲଗା କରି ସ୍ବତନ୍ତ୍ର ଡିଭିଜନ କରିବାକୁ ଦାବି କରିଆସୁଛନ୍ତି। ଦକ୍ଷିଣପୂର୍ବ ରେଳବାଇ ଅଧୀନରେ ଚକ୍ରଧରପୁର ଓ ରାଞ୍ଚି ଦୁଇଟି ଡିଭିଜନ ପାଖାପାଖି ହୋଇଥିଲାବେଳେ ରାଉରକେଲାକୁ କାହିଁକି କରାଯିବ ବୋଲି ରେଳବାଇ ସଙ୍ଗଠନଗୁଡ଼ିକ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଛି। ସୁନ୍ଦରଗଡ଼ ପାଣି ପବନ ସହ ଜଡିତ ରେଳମନ୍ତ୍ରୀ ଅଶ୍ବିନ ବୈଷ୍ଣବଙ୍କଠୁ ଜିଲ୍ଲାବାସୀ ଆଶା ରଖିଛନ୍ତି। ତାଙ୍କ ସମୟରେ ଜିଲ୍ଲାର ବହୁ ପ୍ରତୀକ୍ଷିତ ରେଳ ପ୍ରକଳ୍ପଗୁଡ଼ିକ ଆଗେଇବ ଜିଲ୍ଲାବାସୀ ବେଶ୍ ଆଶାବାଦୀ। ୧୯୮୦ରୁ  ରାଉର‌‌କେଲାକୁ ସ୍ବତନ୍ତ୍ର ରେଳ ଡିଭିଜନ କରିବାକୁ ଜୋରଦାର୍‌ ଦାବି  ହୋଇଆସୁଛି। କିନ୍ତୁ ଏଯାଏଁ ଜିଲ୍ଲାବାସୀଙ୍କୁ ରେଳମନ୍ତ୍ରଣାଳୟ ଭଣ୍ଡାଇ ଚାଲିଛି।

Advertisment

ଦକ୍ଷିଣ-ପୂର୍ବ ରେଳବାଇ ଅଧୀନରେ ଚକ୍ରଧରପୁର,  ଖଡଗପୁର, ଆଦ୍ରା ଓ ରାଞ୍ଚି ଡିଭିଜନ୍‌ ରହିଛି। ଏହା ଅଧୀନରେ ଓଡ଼ିଶାର ବାଲେଶ୍ବର, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ ଓ ଝାରସୁଗୁଡା ଅଛି। ପ୍ରତିବର୍ଷ ଦକ୍ଷିଣ-ପୂର୍ବ ରେଳବାଇ ଯେତିକି ରାଜସ୍ବ ପାଉଛି, ତା’ର ୭୦% କେବଳ ଓଡ଼ିଶାର ଏହି ୫ଟି ଜିଲ୍ଲାରୁ ଯାଉଛି। ପୁଣି ଚକ୍ରଧରପୁର ରେଳ ଡିଜିଜନ ଅଧୀନରେ ଅଛି ସୁନ୍ଦରଗଡ, ଝାରସୁଗୁଡା ଓ କେନ୍ଦୁଝର ଜିଲ୍ଲା। ଏ ଡିଭିଜନ ବାର୍ଷିକ ପ୍ରାୟ ୧୦ ହଜାର ୫୦୦ କୋଟି ଟଙ୍କାରୁ ଅଧିକ ରାଜସ୍ବ ପାଉଛି। ଯାହାର ୭୦%ରୁ ଅଧିକ ଯାଉଛି ଓଡ଼ିଶାର ଏହି ୩ଟି ଜିଲ୍ଲାରୁ। ତେଣୁ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ କେନ୍ଦୁଝର ଜିଲ୍ଲାକୁ ଚକ୍ରଧରପୁରରୁ ଅଲଗାକରି ରାଉରକେଲାରେ ଏକ ସ୍ବତନ୍ତ୍ର ଡିଭିଜନ ସ୍ଥାପନ କରିବାର ଦାବି ନିଶ୍ଚିତ ରୂପେ ଯୁକ୍ତିଯୁକ୍ତ।  ଭିତ୍ତିଭୂମି ଦୃଷ୍ଟିରୁ ରାଉରକେଲା ବନ୍ଧମୁଣ୍ଡା ଏଥିପାଇଁ ଉପଯୁକ୍ତ ସ୍ଥାନ। ଏଠାରେ ଏଆର୍‌ଏମ୍‌ ଅଫିସ୍‌ ରହିଛି। ଏଆର୍‌ଏମ୍‌ ଅଫିସକୁ ଡିଆର୍‌ଏମ୍‌ ଅଫିସ୍‌ କରାଯାଇ ପାରିବ। ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ଆବଶ୍ୟକ ଶହ ଶହ ରେଳବାଇ କ୍ବାର୍ଟର୍ସ ମଧ୍ୟ ଖାଲି ପଡିଛି। ଏଠାରେ ରେଲୱେର ସ୍ବତନ୍ତ୍ର ହସ୍ପିଟାଲ ଅଛି। ଏସବୁ ଦୃଷ୍ଟିରୁ ରାଉରକେଲାକୁ ସ୍ବତନ୍ତ୍ର ଡିଭିଜନ୍‌ କରିବାର କୌଣସି ଅସୁବିଧା ନାହିଁ। ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଥିବାରୁ ଡିଭିଜନ ପ୍ରତିଷ୍ଠା ହେବାର କୌଣସି ସମସ୍ୟା ସୃଷ୍ଟି ହେବ ନାହିଁ। ଏଥିପ୍ରତି ଧ୍ୟାନ ଦିଆଗଲେ ଜିଲ୍ଲାବାସୀଙ୍କ ବହୁ ଦିନର ଆଶା ଓ ଆବଶ୍ୟକତା ପୂରଣ ହୋଇପାରନ୍ତା।