କୋଇଡା: ସପ୍ତାହେ ଭିତରେ ପୁଣି ଥରେ ତୀରମାଡ଼ ଘଟଣା ସାମ୍ନାକୁ ଆସିଛି। ସେହି ସୁନ୍ଦରଗଡ଼ ଜିଲ୍ଲା ଏବଂ ମହିଳାଙ୍କ ଉପରେ ତୀରମାଡ଼ ହୋଇଛି। ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ବାରମ୍ବାର ଏଭଳି ଅଭାବନୀୟ ଘଟଣା ଘଟୁଛି। ଲହୁଣୀପଡ଼ା ଥାନା ଅନ୍ତର୍ଗତ ଗମଲେଇ ଗାଁର ମହିଳା ତୀରମାଡ଼ର ଶିକାର ହେଲା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରତର ମହିଳା ହେଲେ ଲକମୀ କିସାନ। ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି।
ସୂଚନା ଅନୁସାରେ ଅପ୍ରୀତିକର ଘଟଣାକୁ ଆଧାର କରି ଲକମି କିସାନଙ୍କୁ ଅଭିଯୁକ୍ତ ଯୁବକ ତୀର ମାଡ଼ କରିଛି। ଏହି ତୀରଟି ଯାଇ ଲକମୀଙ୍କ ଛାତିରେ ଭେଦ କରିଛି। ତାଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇ ବଣାଇଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ଶୋଚନୀୟ ଥିବାରୁ ପରେ ରାଉରକେଲା ସରକାରୀ ହସପିଟାଲକୁ ସ୍ଥାନତରିତ କରାଯାଇଛି।
ଧନୁ ଓ ତୀର ହେଉଛି ପାରଂପରିକ ଅସ୍ତ୍ର। ଆଦିବାସୀମାନେ ପୂର୍ବକାଳରେ ବନ୍ୟପ୍ରାଣୀ ଶିକାର ଉଦ୍ଦେଶ୍ୟରେ ଏହାକୁ ଘରେ ସାଇତି ରଖୁଥିଲେ। ସଂପ୍ରତ୍ତି ଜଙ୍ଗଲରୁ ଜନ୍ତୁ ଶିକାର ନିଷେଧ ଥିବା ବେଳେ ଆଦିବାସୀମାନେ ଏବେ ମଧ୍ୟ ଘରେ ଧନୁତୀର ରଖୁଛନ୍ତି। ଏହା ସମୟ ସମୟରେ ସମାଜକୁ ବିପଦ ମୁଖକୁ ଠେଲି ନେଉଛି। ବିଗତ ଦିନରେ ଧନୁତୀର ମାଧ୍ୟମରେ ଆକ୍ରମଣ ଘଟଣା ଅନେକ ଥର ଦେଖିବାକୁ ମିଳିଛି।
ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ତୀର ମାରିଥିବା ଯୁବକ ଲୁକୁ କିସାନକୁ ଅଟକ ରଖି ପଚରାଉଚରା କରୁଛି। ପୁଲିସର ତଦନ୍ତ ପ୍ରକ୍ରିୟା ସରିବା ପରେ ଘଟଣାକ୍ରମ ସଂପର୍କରେ ଅଧିକ କୁହାଯାଇପାରିବ।
ସୂଚନାଯେଗ୍ୟ, ୪ଦିନ ପୂର୍ବରୁ ସୁନ୍ଦରଗଡ଼ରେ ତୀରମାଡ଼ଜନିତ ଏକ ଘଟଣା ଘଟିଥିଲା। କୁମୁଦିନୀ ଓ ତାଙ୍କ ସ୍ବାମୀ ନିତ୍ୟାନନ୍ଦ ଗତ ୨୫ ତାରିଖ ଦିନ ଭିଣୋଇଙ୍କ ଦଶାହକର୍ମରେ ଯୋଗଦେବାକୁ ବିରକେରା ଝରିଆଟୋଲା ଆସିଥିଲେ। ଦଶାହକର୍ମ ସରିବା ପରଦିନ ଅର୍ଥାତ୍ ୨୬ ତାରିଖରେ ବିର୍ସା କୁସୁମା ନାମକ ଜଣେ ଯୁବକ କୁମୁଦିନୀଙ୍କ ଭଉଣୀଘରେ ପହଞ୍ଚିଥିଲେ। ସେ କୁମୁଦିନୀଙ୍କ ବିଧବା ବଡ଼ଭଉଣୀଙ୍କୁ ନିଜସାଙ୍ଗରେ ରଖିବେ ବୋଲି ଘରଲୋକଙ୍କୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଭିଣୋଇଙ୍କ ବିୟୋଗକୁ ମାତ୍ର ୧୦ ଦିନ ବିତିଥିବାରୁ ଆଉ ଏକ ନୂଆ ସମ୍ପର୍କକୁ ଘରଲୋକ କଡ଼ା ବିରୋଧ କରିଥିଲେ। ଏମିତି କି ଭଉଣୀଜ୍ବାଇଁ ନିତ୍ୟାନନ୍ଦ ମଧ୍ୟ ସମ୍ପର୍କକୁ ବିରୋଧ କରିଥିଲେ। ସେଠାରେ ବିର୍ସା ଓ ନିତ୍ୟାନନ୍ଦଙ୍କ ମଧ୍ୟରେ ବଚସା ହେବା ସହ ଉଭୟ ପିଟାମରା ମଧ୍ୟ ହୋଇଥିଲେ। ସମ୍ପର୍କକୁ ବିରୋଧ କରିବା ଓ ପାଟିତୁଣ୍ଡ କରିବାରୁ ବିର୍ସା ରାଗିଯାଇ ସେଠାରୁ ପଳାଇଥିଲା। ଘରକୁ ଆସି ପ୍ରତିଶୋଧ ନେବାକୁ ଯୋଜନା କରିଥିଲା। ଗତ ମଙ୍ଗଳବାର ସକାଳେ ନିତ୍ୟାନନ୍ଦ ଓ ପତ୍ନୀ କୁମୁଦିନୀ ଅଟୋରେ ନିଜଘର ସମ୍ବଲପୁର ଅଭିମୁଖେ ବାହାରିଥିଲେ। ଘରଠୁ କିଛିଦୂରରେ ବାଗଡ଼େଗା ଘାଟି ନିକଟରେ ସେମାନଙ୍କ ଅଟୋ ପହଞ୍ଚିବାବେଳକୁ ବିର୍ସା ଆଉ ୨ ଜଣ ବ୍ୟକ୍ତିଙ୍କ ସହ ବାଇକ୍ରେ ସେଠାରେ ପହଞ୍ଚିଥିଲେ। ନିତ୍ୟାନନ୍ଦଙ୍କୁ ଦେଖି ତୁରନ୍ତ ପେଟକୁ ଲକ୍ଷ୍ୟକରି ଏକ ତୀରମାଡ଼ କରି ସେଠାରୁ ଚମ୍ପଟ୍ ମାରିଥିଲେ ବିର୍ସା। କୁମୁଦିନୀ ତୁରନ୍ତ ଭଉଣୀ ଘରଲୋକଙ୍କୁ ଖବରଦେବା ସହ ସ୍ବାମୀଙ୍କୁ ରାଉରକେଲା ସରକାରୀ ହସ୍ପିଟାଲ(ଆର୍ଜିଏଚ୍)ରେ ଭର୍ତ୍ତି କରିଥିଲେ।
sundargarh