ଲକ୍ଷ୍ମୀପ୍ରସାଦ: ଭାରତୀୟ ଷ୍ଟେଟ ବ୍ୟାଙ୍କର ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଂଚାୟତ ନାରାୟଣନଗରର ଜହ୍ନାପଙ୍କ ଶାଖାରେ କେୱାସି ପାଇଁ ମହିଳାଙ୍କୁ ଲମ୍ବା ଧାଡ଼ିରେ ରହିବାକୁ ପଡୁଛି। ଭୋର ୫ଟାରୁ ଲାଇନ୍ରେ ନରହିଲେ କେୱାଇସି ଅପ୍ଡେଟ୍ ହୋଇପାରୁ ନାହିଁ। ଆସନ୍ତା ୯ ତାରିଖ ଦିନ ସୁଭଦ୍ରା କିସ୍ତି ଦେବାକୁ ରାଜ୍ୟ ସରକାର ଘୋଷଣା କରିଥିବା ବେଳେ କେୱାଇସି ଅପଡେଟ୍ ପାଇଁ ମହିଳାମାନେ ବ୍ୟାଙ୍କରେ ଧାଡ଼ି ଲମ୍ବାଇଛନ୍ତି।
ବ୍ୟାଙ୍କ ପୂର୍ବାହ୍ଣ ୧୦ଟାରେ ଖୋଲିବାକୁ ଥିବା ବେଳେ ମହିଳାମାନେ ଭୋର ୫ଟାରୁ କେୱାସି ପାଇଁ ଆବଶ୍ୟକ କାଗଜପତ୍ର ନେଇ ଧାଡି ବାନ୍ଧୁଛନ୍ତି। ଦୀର୍ଘ ୫ ଘଣ୍ଟା ପରେ ବ୍ୟାଙ୍କ ଖୋଲିବା ପରେ ମହିଳାମାନେ କେୱାସି କରୁଥିବା ଦେଖିବାକୁ ମିଳୁଛି। ବ୍ୟାଙ୍କରେ ଟୋକନ ବ୍ୟବସ୍ଥା କରାଯାଇଛି। ତେଣୁ ଏହି ଟୋକନ ପାଇବା ପାଇଁ ପାଞ୍ଚ ଘଣ୍ଟା ପୂର୍ବରୁ ମହିଳାମାନେ ଲାଇନରେ ରହିବା ଆଶ୍ଚର୍ଯ୍ୟକର କଥା।
ବ୍ରାହ୍ମଣୀପାଳି, ମୁଣ୍ଡାପଡ଼ା, ମୁଣ୍ଡିପଦର ପଂଚାୟତରୁ ଆସୁଥିବା କେତେକ ମହିଳା ନିଜ ସମ୍ପକୀୟ ଘରେ ଦୁଇ ତିନି ଦିନ ରହି କେୱାସି କରିଥିବା ଦେଖିବାକୁ ମିଳିଛି। ସୁଭଦ୍ରା ଯୋଜନାରେ ଟଙ୍କା ପାଇବା ଆଶାରେ ମହିଳାମାନେ ଛୋଟଛୋଟ ଶିଶୁଙ୍କୁ ଧରି ବ୍ୟାଙ୍କ ସମ୍ମୁଖରେ ଉପସ୍ଥିତ ଥିଲେ। ଲମ୍ବା ଲାଇନରେ ରହିବା ପରେ କେତେକ ମହିଳା କେୱାସି କରିନପାରି ଫେରି ଯାଇଥିବା ଦେଖିବାକୁ ମିଳିଥିଲା।
ଆଧାରକାର୍ଡ ନମ୍ବର ଲିଙ୍କ ନଥିଲେ ବ୍ୟାଙ୍କ ପାସ୍ ବୁକରୁ ଟଙ୍କା ଜମା ହେଉନାହିଁ କି ଟଙ୍କା ଉଠାଇ ହେଉନାହିଁ। ତେଣୁ ବ୍ୟାଙ୍କ ପାସ ବୁକ ଯାଞ୍ଚ କରାଇବା ସହ ଆଧାର ଲିଙ୍କ ନଥିଲେ ଲିଙ୍କ କରିବା ପାଇଁ ଲୋକେ ବ୍ୟାଙ୍କ ସହ ଡାକଘର ଏବଂ ବିଭିନ୍ନ ଜନସେବା କେନ୍ଦ୍ରକୁ ଦୌଡୁ ଥିବା ଦେଖିବାକୁ ମିଳୁଛି। ଶନିବାର ଜହ୍ନାପଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ ଆଧାର ଲିଙ୍କ ପାଇଁ ପ୍ରବଳ ଭିଡ଼ ଦିନ ସାରା ଲାଗି ରହିଥିଲା। ଏହି ଭିଡ଼ ପାଇଁ ବ୍ୟାଙ୍କକୁ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଆସୁଥିବା ସାଧାରଣ ଗ୍ରାହକ ମଧ୍ୟ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଥିଲା।