କୋରାପୁଟ: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ଆନୁକୂଲ୍ୟରେ ସୁନାବେଡ଼ା ପରିସରରେ ‘ଭାରତୀୟ ପରମ୍ପରାରେ ଗୋ ମାତା’ର ମହତ୍ତ୍ୱ ଉପରେ ଆଲୋକପାତ କରିବା ପାଇଁ ଏକ ସ୍ୱତନ୍ତ୍ର ବକ୍ତୃତା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଉଦଘାଟନ କରିଥିଲେ। ସିୟୁଓର ଡ. ସଞ୍ଜୟ କୁମାର ପ୍ରଧାନ, ଡ. ଜୟନ୍ତ କୁମାର ନାୟକ, ଡ. ଗଗନ ବିହାରୀ ସୁଆର ଓ ଶିଲଂସ୍ଥିତ ନେହୁର ପ୍ରଫେସର ମାନସ ପି ଗୋସ୍ୱାମୀ ଉପସ୍ଥିତ ଥିଲେ।

Advertisment

ପ୍ରଫେସର ତ୍ରିପାଠୀ ତାଙ୍କ ଅଭିଭାଷଣରେ ପ୍ରାଚୀନ ଭାରତୀୟ ବୈଦିକ ଗ୍ରନ୍ଥ ଓ ପୁରାଣରେ ଉଲ୍ଲେଖ କରାଯାଇଥିବା କ୍ଷୀର, ମୂତ୍ର ଓ ଗୋବରର ମୂଲ୍ୟ ଉପରେ ଆଲୋକପାତ କରି ଦେଶୀ ଗାଈର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ। ଗାଈ ବିଷୟରେ ପାଶ୍ଚାତ୍ୟ ଦୃଷ୍ଟିକୋଣ ଭିନ୍ନ ହୋଇଥିବା ବେଳେ ଭାରତୀୟ ଦୃଷ୍ଟିକୋଣ ଗାଈକୁ ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରମ୍ପରାରେ ଗଭୀର ମୂଳ ରଖି ଏକ ସମ୍ମାନଜନକ ମା' ଭାବରେ ଦେଖୁଛି ବୋଲି ସେ କହିଥିଲେ। ଦେଶୀ ଗାଈରୁ କ୍ଷୀରର ବୈଜ୍ଞାନିକ ଉପକାରିତା ବିଷୟରେ ମଧ୍ୟ ସେ କହିଥିଲେ।

ଭାରତ ବର୍ଷର ଋଗବେଦ, ଅଥର୍ବବେଦ, ମହାଭାରତ, ରାମାୟଣ ଓ ଅନ୍ୟାନ୍ୟ ପ୍ରାଚୀନ ଗ୍ରନ୍ଥଗୁଡ଼ିକର ଉଦାହରଣ ଦେଇ ଡ. ନାୟକ ଭାରତୀୟ ପରମ୍ପରାରେ ଗାଈର ମହତ୍ତ୍ୱ ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ। ସେ ମହାନ ଐତିହାସିକ ବ୍ୟକ୍ତିତ୍ୱଙ୍କ ଗୋ ମାତାଙ୍କ ମାହାତ୍ମ୍ୟ ଓ ସୁରକ୍ଷା  ପାଇଁ ନେଇଥିବା ଉଦ୍ୟମ ଉପରେ ଆଲୋକପାତ କରିଥିଲେ ଏବଂ ଭାରତୀୟ ସମ୍ବିଧାନର ଧାରା ୪୮ରେ ଗାଈର ସୁରକ୍ଷା ବିଷୟରେ ଉଲ୍ଲେଖ କରିଥିଲେ।

ଗାଈକ୍ଷୀର, ମୂତ୍ର ଓ ଗୋବରର ଔଷଧୀୟ ଗୁଣ ସମ୍ପର୍କରେ ଡାକ୍ତର ନାୟକ ଆଲୋଚନା କରିଥିଲେ। ଡ. ସୁଆର ବୈଦିକ ଓ ପୌରାଣିକ ଗ୍ରନ୍ଥରେ ଗାଈର ମହତ୍ତ୍ୱ ବିଷୟରେ ଆଲୋକପାତ କରିଥିଲେ ଏବଂ ଗୋହତ୍ୟାକୁ ତୀବ୍ର ବିରୋଧ କରିଥିଲେ।

publive-image

ଓଏସଡି ଡ. ପ୍ରସେନଜିତ ସିହ୍ନା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଡ. ସଞ୍ଜୟ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ବକ୍ତୃତାରେ କୃଷି ଓ ପଶୁପାଳନ ବିଭାଗର ଅଧ୍ୟାପକ, ଗବେଷକ ଓ ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ ବୋଲି ବିଶ୍ବବିଦ୍ୟାଳୟର ଲୋକ ସମ୍ପର୍କ ଅଧିକାରୀ ଡ. ଫଗୁନାଥ ଭୋଇ ଜଣେଇଛନ୍ତି। ଭାରତୀୟ ପରମ୍ପରାରେ ଗାଈର ସାଂସ୍କୃତିକ ଏବଂ ବୈଜ୍ଞାନିକ ପ୍ରାସଙ୍ଗିକତା ବିଷୟରେ ଏକ ଗଭୀର ଅନୁସନ୍ଧାନ ଭାବରେ ଏହି କାର୍ଯ୍ୟକ୍ରମକୁ ବେଶ୍ ପ୍ରଶଂସା କରାଯାଇଥିଲା।