ଭୁବନେଶ୍ବର: ବିଦେଶ ମାଟିରେ ନୂଆଁଖାଇର ମହକ। ପଶ୍ଚିମ ଓଡ଼ିଶାରେ ସେପ୍ଟେମ୍ବର ୮ରେ ନୂଆଁଖାଇ ପାଳନ ହୋଇଥିବା ବେଳେ ସୁଦୂର ଦୁବାଇରେ ‘ନୂଆଁଖାଇ ପରିବାର ୟୁଏଇ' ସୋମବାର ଦିନ ଖୁବ ଧୁମଧାମରେ ନୂଆଁଖାଇ ପାଳନ କରିଛି। ୟୁଏଇରେ ଏକକ ନୂଆଁଖାଇ ପାଳନର ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ନୂଆଁଖାଇ ଭେଟଘାଟର ଏହା ୧୦ମ ସଂସ୍କରଣ। ଦୁବାଇସ୍ଥିତ 'ଏସ ଇ ଇ ଇନଷ୍ଟିଚ୍ୟୁଟ'ରେ ବିଶ୍ୱର ସବୁଠୁ ବଡ଼ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ନୂଆଁଖାଇ ୨୦୨୪ ପାଳନ ଅବସରରେ ନିଜ ମାଟିର ଉତ୍ସବକୁ ସମସ୍ତେ ଖୁସିର ସହ ପାଳନ କରିଛନ୍ତି। ୟୁଏଇର କୋଣ ଅନୁକୋଣରେ ରହୁଥିବା ପ୍ରାୟ ୫ଶହରୁ ୬ଶହ ନୂଆଁଖାଇ ପରିବାରର ସଦସ୍ୟ ଏଥିରେ ସାମିଲ ହୋଇଥିଲେ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଦୁବାଇସ୍ଥିତ ଭାରତୀୟ କୋନ୍ସୁଲ ଜେନେରଲ ସତୀଶ କୁମାର ଶିୱନ। ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶାର ଅତିଥି ବି ପହଞ୍ଚିଥିଲେ। ପ୍ରତିଷ୍ଠିତ କଳାକାର ଅର୍ଚ୍ଚନା ପାଢ଼ୀ ଓ ଗୀତିକାର ତଥା ଗାୟକ ଶାସ୍ବତ ତ୍ରିପାଠୀ ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ସାଜିଥିଲେ। ତାଙ୍କ ଉପସ୍ଥିତି କାର୍ଯ୍ୟକ୍ରମକୁ ଆହୁରି ରଙ୍ଗୀନ କରିଦେଇଥିଲା। ସମ୍ବଲପୁରୀ ନାଚ ଗୀତର ଆସର ଜମିଥିଲା, ଯାହାକୁ ସଭିଏଁ ମନଭରି ଉପଭୋଗ କରିଥିଲେ।
ବାଲୁକା କଳାରେ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ବାଲୁକା ଶିଳ୍ପୀ ସୁଦାମ ପ୍ରଧାନଙ୍କ କଳାର ନିଦର୍ଶନ ସମସ୍ତଙ୍କ ମନ ଜିଣିଥିଲା। ଏହା ସହ ସୁଦାମଙ୍କୁ ଜୁହାର ସମ୍ମାନ ୟୁଏଇରେ ସମ୍ମାନିତ କରାଯାଇଥିଲା। ଏଥିପାଇଁ ସେ ନୂଆଁଖାଇ ପରିବାରକୁ ଧନ୍ୟବାଦ ଜଣାଇଛନ୍ତି। ପଶ୍ଚିମ ଓଡ଼ିଶାର କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ସବୁବେଳେ ପ୍ରୟାସ କରିଆସୁଛି ନୂଆଁଖାଇ ପରିବାର ୟୁଏଇ। ଆଉ ଏଥିପାଇଁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପଶ୍ଚିମ ଓଡ଼ିଶାର କଲକାରଙ୍କୁ ଅତିଥି କରାଯାଇଥିବା ସହ ତାଙ୍କୁ ସମ୍ମାନିତ କରାଯାଇଛି।
/sambad/media/media_files/ima.jpeg)
ନୂଆଁଖାଇ ଆସିଲେ ସଭିଙ୍କ ମୁଁହରେ ଥାଏ ଗୋଟିଏ କଥା 'ନୂଆଁ ଖାଇମା, ନୂଆଁ ପିନ୍ଧମା' ସେଥିପାଇଁ ତ ଜନ୍ମମାଟି ଠାରୁ ହଜାର ହଜାର କିଲୋମିଟର ଦୂରରେ ଥିଲେ ମଧ୍ୟ ନିଜ ସଂସ୍କୃତି ଓ ପରମ୍ପରାକୁ ଭୁଲି ନାହାନ୍ତି। ନୂଆଁଖାଇ ପାଳନ ଅବସରରେ ପ୍ରଥମେ ମାଆ ସମଲେଇଙ୍କୁ ପୂଜାର୍ଚ୍ଚନା କରି ନବାନ୍ନ ଲଗାଇ ସଭିଏଁ ଏକାଠି ନବାନ୍ନ ଖାଇଛନ୍ତି। ଆଉ ସଭିଏଁ ସମ୍ବଲପୁରୀ ପୋଷାକ ପିନ୍ଧି ଏକାଠି ପାଳନ କରିଛନ୍ତି ନୂଆଁଖାଇ। କୁନି ପିଲା ଠାରୁ ଆରମ୍ଭ କରି ମହିଳା ମାନେ ସମସ୍ତେ ସମ୍ବଲପୁରୀ ନାଚରେ ମସଗୁଲ ହୋଇଛନ୍ତି।
/sambad/media/media_files/image0.jpeg)
ଆବୁଧାବୀରୁ ଓସାର ଏକ ସ୍ୱତନ୍ତ୍ର ଦଳ ସମ୍ବଲପୁରୀ ପୋଷାକ ପରିଧାନ କରି ଫ୍ୟାସନ ସୋ’ ପ୍ରଦର୍ଶନ କରିଥିଲେ। ନୂଆଁଖାଇ ପାଳନ କାର୍ଯ୍ୟକ୍ରମର ଆଉ ଏକ ମୁଖ୍ୟ ଆକର୍ଷଣ ସାଜିଥିଲା ପଶ୍ଚିମ ଓଡ଼ିଶାର ସୁସ୍ୱାଦୁ ଖାଦ୍ୟ। ଆମ୍ବିଳ ବିନା ତ ନୂଆଁଖାଇ ପାଳନ ସମ୍ପୂର୍ଣ୍ଣ ହେବନାହିଁ। ତେଣୁ ଏଇ ଅବସରରେ ଅନ୍ୟ ଖାଦ୍ୟ ସହ ଆମ୍ବିଳ ଓ ଖିରିର ମଜା ନେଇଥିଲେ ସଭିଏଁ। ୟୁଏଇରେ ନୂଆଁଖାଇ ପାଳନର ୧୦ବର୍ଷ ପୂର୍ତ୍ତି ଅବସରରେ ଏକ ସ୍ମରଣିକା ବି ଉନ୍ମୋଚନ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/ima4.jpeg)