ଭୁବନେଶ୍ବର: ରାଜ୍ୟ ସରକାର ୧୯୯୦ ବ୍ୟାଚ୍‌ର ଆଇପିଏସ୍ ଅଧିକାରୀ ଯୋଗେଶ ବାହାଦୂର ଖୁରାନିଆଙ୍କ କାର୍ଯ୍ୟକାଳ ବଢ଼ାଇଛନ୍ତି। ମୋହନ ସରକାରଙ୍କ ଦ୍ବାରା କାର୍ଯ୍ୟକାଳ ଅବଧି ବଢ଼ାଯିବା ପରେ ୱାଇବି ଖୁରାନିଆ ୨୦୨୬ ଅଗଷ୍ଟ ୧୬ ତାରିଖ ଯାଏଁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବେ। 

Advertisment

ସୂଚନାଯୋଗ୍ୟ, ଯୋଗେଶ ବାହାଦୁର ଖୁରାନିଆ ଗତ ଅଗଷ୍ଟ ୧୬ ତାରିଖ ଦିନ ୩୮ତମ ପୁଲିସ ଡିଜି ଭାବେ ଦାୟିତ୍ବଗ୍ରହଣ କରିଥିଲେ। ସେ ବକ୍ସିବଜାରସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟରେ ଡିଜି ଅରୁଣ ଷଢ଼ଙ୍ଗୀଙ୍କ ଠାରୁ ଦାୟିତ୍ବଗ୍ରହଣ କରିଥିଲେ। ଶ୍ରୀ ଖୁରାନିଆ ପୁଲିସ ମୁଖ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ଉପସ୍ଥିତ ବରିଷ୍ଠ ଅଧିକାରୀମାନେ ସ୍ୱାଗତ ଜଣାଇଥିଲେ। ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବା ପରେ ଡିଜିପି ସହିଦ ସ୍ମୃତିସ୍ତମ୍ଭରେ ମାଲ୍ୟାର୍ପଣ କରିଥିଲେ। ନିଜର ପ୍ରଥମ ବାର୍ତ୍ତାରେ ଡିଜିପି ରାଜ୍ୟର ଥାନାକୁ ଆସୁଥିବା ଜନସାଧାରଣଙ୍କୁ ଉତ୍ତମ ବ୍ୟବହାର ଦେଖାଇବାକୁ ପୁଲିସକୁ ପରାମର୍ଶ ଦେଇଥିଲେ।

ଗତ ଅଗଷ୍ଟ ୨ ତାରିଖରେ କେନ୍ଦ୍ର ସରକାର ଶ୍ରୀ ଖୁରାନିଆଙ୍କୁ ମୂଳ କ୍ୟାଡର ଓଡ଼ିଶାକୁ ଫେରାଇବା ପରେ ସେ ଡିଜିପି ହେବା ଏକ ପ୍ରକାର ସ୍ପଷ୍ଟ ହୋଇଥିଲା। ୟୁପିଏସ୍‌ସି ଅନୁମୋଦନ ପରେ ରାଜ୍ୟ ସରକାର ତାଙ୍କୁ ଡିଜିପି ଭାବେ ନିଯୁକ୍ତି ଦେଇଥିଲେ। ଶ୍ରୀ ଖୁରାନିଆ ହେଉଛନ୍ତି ହରିୟାନାର ମୂଳ ବାସିନ୍ଦା। ସେ ତାଙ୍କ ଚାକିରି କାଳରେ ସୋନପୁର, ନୟାଗଡ଼, ଯାଜପୁର, ଗଞ୍ଜାମ, ମୟୁରଭଞ୍ଜ ଓ ରାଉରକେଲା ଜିଲ୍ଲା ଏସ୍‌ପି ଭାବେ କାର୍ଯ୍ୟ କରିଥିଲେ।

ଶ୍ରୀ ଖୁରାନିଆ ଡିଆଇଜି ପାହ୍ୟାକୁ ପଦୋନ୍ନତି ପାଇବା ପରେ ଦକ୍ଷିଣାଞ୍ଚଳ ରେଞ୍ଜ(ବ୍ରହ୍ମପୁର) ଡିଆଇଜି, କମିସନରେଟ୍ ପୁଲିସରେ ଅତିରିକ୍ତ କମିସନର, ସମ୍ବଲପୁର ଉତ୍ତରାଞ୍ଚଳ ରେଞ୍ଜ ଡିଆଇଜି ଭାବେ କାର୍ଯ୍ୟ କରିଥିଲେ। ପରେ ସେ ଆଇଜି ପାହ୍ୟାକୁ ପଦୋନ୍ନତି ପାଇ ସମ୍ବଲପୁର ଉତ୍ତରାଞ୍ଚଳ ରେଞ୍ଜ ଆଇଜି, ଏସଏପି(ସ୍ବତନ୍ତ୍ର ସଶସ୍ତ୍ର ପୁଲିସ) ଆଇଜି, ଅପରେସନ୍ ଆଇଜି ଭାବେ କାର୍ଯ୍ୟ କରିଥିଲେ। ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମିରରେ ଆଇଜି (ଟ୍ରେନିଂ), ଆଇଜି (କ୍ରାଇମବ୍ରାଞ୍ଚ), ଆଇଜି (ଭିଜିଲାନ୍ସ) ଭାବେ କାର୍ଯ୍ୟ କରିଥିଲେ। ସେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଭିଜିଲାନ୍ସ), କଟକ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ପ୍ରୋଭିଜନିଙ୍ଗ) ଭାବେ ସଫଳତାର ସହ କାର୍ଯ୍ୟ କରିଥିଲେ। ସେ ମଧ୍ୟ ପୁଲିସ କମିସନର (ଭୁବନେଶ୍ବର-କଟକ) ଭାବେ ଦାୟିତ୍ବ ନିର୍ବାହ କରିଥିଲେ।

କେନ୍ଦ୍ରୀୟ ଡେପୁଟେସନରେ ଯିବା ପରେ ପଶ୍ଚିମବଙ୍ଗରେ ୨୦୧୮ରେ ବିଏସଏଫ୍ ଆଇଜି ଭାବେ ଯୋଗ ଦେଇଥିଲେ। ପରେ ୨୦୨୧ ଜୁଲାଇରେ ସ୍ବତନ୍ତ୍ର ପୁଲିସ ଡିଜି(ୱେଷ୍ଟର୍ଣ୍ଣ କମାଣ୍ଡ) ପାହ୍ୟାକୁ ପଦୋନ୍ନତି ପାଇଥିଲେ। ସେ ୨୦୨୩ ଜୁନରେ ପୁଲିସ ଡିଜି ପଦବିକୁ ପଦୋନ୍ନତି ପାଇ ନୂଆଦିଲ୍ଲୀ ସ୍ଥିତ ବିଏସ୍‌ଏଫ ମୁଖ୍ୟାଳୟଠାରେ ସ୍ୱତନ୍ତ୍ର ଡିଜି ଭାବେ କାର୍ଯ୍ୟରତ ଥିଲେ।

ଡିଜିପି ଭାବେ ଦାୟିତ୍ବ ନେବା ପରେ ଵାଇ.ବି ଖୁରାନିଆ କହିଥିଲେ ଯେ ଓଡ଼ିଶା ପୁଲିସର ସ୍ବତନ୍ତ୍ର ଗରିମା ଓ ଗୌରବ ରହିଛି। ଏହାର ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରି ନିଜକୁ ଗୌରବାନ୍ବିତ ମନେ କରୁଛି। ପୁଲିସ ବାହିନୀ ପାଇଁ ଓଡ଼ିଶା ବାସୀଙ୍କୁ ଉନ୍ନତମାନର ପୁଲିସ ସେବା ଯୋଗାଇବା ସବୁଠାରୁ ବଡ଼ କର୍ତ୍ତବ୍ୟ ରହିବ। ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ ରହିଛି ଯେ ଥାନାରେ କାର୍ଯ୍ୟରତ କର୍ମଚାରୀ ଥାନାକୁ ଆସୁଥିବା ଜନସାଧାରଣଙ୍କୁ ଉତ୍ତମ ବ୍ୟବହାର ଦେଖାଇବେ। ତେଣୁ ସେ ଦିଗରେ ସମସ୍ତ ପଦକ୍ଷେପ ନିଆଯିବ।

ବିଗତ ଦିନରେ ଓଡ଼ିଶା ପୁଲିସ ମାଓବାଦୀ ମୁକାବିଲାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଯେଉଁ ବି ପୁଲିସ କର୍ମୀ ଏହି ଲଢ଼େଇରେ ସହିଦ ହୋଇଛନ୍ତି, ସେମାନଙ୍କ ତ୍ୟାଗ ଆମକୁ ମାଓବାଦୀ କାର୍ଯ୍ୟକଳାବକୁ ସମ୍ପୂର୍ଣ୍ଣ ଭାବେ ପ୍ରତିହତ କରିବାକୁ ପ୍ରେରଣା ଯୋଗାଇବ। ପୁଲିସର ମୌଳିକ ଦାୟିତ୍ବ ହେଉଛି ଶାନ୍ତିଶୃଙ୍ଖଳା ରକ୍ଷା, ଅପରାଧ ତଦନ୍ତ ତଥା ନିୟନ୍ତ୍ରଣ। ଏହା ଉପରେ ବିଶେଷ ଗୁରୁତ୍ବ ଦିଆଯିବ। ତଦନ୍ତ ମାନର ବୃଦ୍ଧି ତଥା ବୈଜ୍ଞାନିକ ପଦ୍ଧତି ପ୍ରୟୋଗ ଉପରେ ଗୁରୁତ୍ବ ଦିଆଯିବ। ସମାଜର ଦୁର୍ବଳ ବର୍ଗ ତଥା ଶିଶୁ, ମହିଳା, ଅନୁସୂଚିତ ଜାତି ଓ ଜନଜାତି ଉପରେ ହେଉଥିବା ଅପରାଧ ଉପରେ ବିଶେଷ ଧ୍ୟାନ ଦିଆଯିବ। ସାଇବର୍ ଅପରାଧକୁ ସଫଳତାର ସହିତ ମୁକାବିଲା କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ। ମାଦକ ଦ୍ରବ୍ୟର ପ୍ରସାର ଏବଂ ଅପରାଧ ଉପରେ ପୁଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଉତ୍ତମ ତାଲିମ ପ୍ରଦାନ ଏବଂ କାର୍ଯ୍ୟକ୍ଷେତ୍ରରେ ଆଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି ପୁଲିସବାହିନୀର ଗୁଣବତ୍ତା ବୃଦ୍ଧି କରାଯିବ ବୋଲି କହିଥିଲେ।