ରାୟଗଡା/ରାମନାଗୁଡ଼ା: ଜଣେ ବିବାହିତ ପୁରୁଷଙ୍କ ସହ ଅନୈତିକ ସଂମ୍ପର୍କ ରଖିବା ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ କରଡା ଗ୍ରାମର ଜଣେ ମହିଳାଙ୍କୁ ମହଙ୍ଗା ପଡିଛି। ବିବାହିତ ପୁରଷଙ୍କ ପରିବାର ବର୍ଗଙ୍କ ଆକ୍ରମଣରେ କରଡା ଗ୍ରାମର ରଂଜିତା କଣ୍ଡାଗିରି (୨୫)ଙ୍କ ମୃତ୍ୟୁ ଘଟିଛି। ଏହି ହତ୍ୟାକାଣ୍ଡରେ ସଂମ୍ପୃକ୍ତି ଅଭିଯୋଗରେ ତିନି ଜଣକୁ ପୁଲିସ ଅଟକ ରଖି ପଚରାଉଚୁରା କରୁଛି। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମର ସହାୟତା ନେଇ ପୁଲିସ୍ ତଦନ୍ତ ଜାରି ରଖିଛି।
ବାଙ୍ଗୀଛକର ବିବାହିତ ଯୁବକ ଅକ୍ଷୟ ପାତିକା କରଡା ଗ୍ରାମର ରଂଜିତାଙ୍କ ସହ ଅନୈତିକ ସଂମ୍ପର୍କ ରଖିଥିଲା ଯୁବକଙ୍କ ବଡଭାଇ ମାଧବ ପାତିକା, ତାଙ୍କ ମା ଦୁଃଖି ପାତିକା ଓ ରାଜବିକ୍ରମପୁର ଗ୍ରାମର ଯୁବକର ଶଳା ଡମ୍ବୁରୁ କାଡ୍ରାକା ତିନିଜଣ ମିଶି ରଂଜିତା ଏବଂ ତାଙ୍କ ପରିବାର ବର୍ଗକୁ ଅବଗତ କରିଥିଲେ। ବିବାହିତ ଅକ୍ଷୟଙ୍କ ସହ ସଂପର୍କ ଛିନ୍ନ କରିବା ପାଇଁ ତାଗିଦ କରିବା ସତ୍ବେ ସେମାନଙ୍କ ମିଳାମିଶା ବନ୍ଦ ହୋଇନଥିଲା। ବାଙ୍ଗୀ ଗ୍ରାମର ଅକ୍ଷୟ ପାତିକା ପୂର୍ବରୁ ରାଜ ବିକ୍ରମପୁର ଗ୍ରାମର ଜଣେ ଯୁବତୀଙ୍କୁ ବିବାହ କରିଥିବା ସତ୍ବେ ରଂଜିତାଙ୍କ ସହ ସଂପର୍କରେ ରହିଥିଲେ।
ଅକ୍ଷୟଙ୍କ ସ୍ତ୍ରୀ ଏହି ଅନୈତିକ ସଂପର୍କ ବିଷୟ ଜାଣିବା ପରେ ଶାଶୁ ଓ ତାଙ୍କ ବଡ଼ ଭାଇ ଓ ମହିଳାଙ୍କ ଭାଇକୁ ଅବଗତ କରିଥିଲେ। ଘୋର ବିରୋଧ ସତ୍ବେ ମିଳାମିଶା ବନ୍ଦ ହେଉନଥିବାରୁ ଏଥିରେ ଉତ୍ୟକ୍ତ ହୋଇ ଅକ୍ଷୟଙ୍କ ମା, ବଡଭାଇ ଓ ଶଳା ଗତକାଲି ରଂଜିତା ଘରକୁ ଯାଇ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। କାଠଫାଳିଆରେ ଆକ୍ରମଣ କରିଥିବାରୁ ଘଟଣାସ୍ଥଳରେ ରଂଜିତା ଗୁରୁତର ହୋଇ ଟଳି ପଡ଼ିଥିଲେ। ସେଠାରୁ ରଂଜିତାଙ୍କ ପରିବାର ତାଙ୍କୁ ଚିକିତ୍ସା ପାଇଁ ରାମନାଗୁଡା ସିଏଚସିକୁ ଆଣିଥିଲେ। ପ୍ରାଥମିକ ଚିକିତ୍ସା ପରେ ସଙ୍କଟାପନ୍ନ ଅବସ୍ଥାରେ ଥିବା ରଂଜିତାଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ନେବା ବେଳେ ରାସ୍ତାରେ ଆଜି ମୃତ୍ୟୁ ହୋଇଯାଇଥିଲା।
ଆଜି ମହିଳାଙ୍କ ଶବକୁ ପୁଲିସ୍ ଜବତ କରି ଗୁଣୁପୁରସ୍ଥିତ ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଛେଦ ପାଇଁ ଆଣିଛି। ବିବାହିତ ଯୁବକ ଅକ୍ଷୟ ରଂଜିତାଙ୍କ ସହ ପ୍ରେମ ସଂମ୍ପର୍କ ରଖିଥିବା ନେଇ ଗଣମାଧ୍ୟମ ଆଗରେ ସ୍ବୀକାର କରିଛନ୍ତି। ରାମନାଗୁଡ଼ା ଥାନାରେ ରଂଜିତାଙ୍କ ଭଉଣୀ ଅଭିଯୋଗ ପରେ ତିନିଜଣକୁ ପୁଲିସ୍ ଅଟକ ରଖି ପଚରାଉଚୁରା କରୁଛି। ସୂଚନାରୁ ଜଣାପଡ଼ିଛି ରଂଜିତା ମଧ୍ୟ ବିବାହ କରିଥିଲେ କିନ୍ତୁ କୌଣସି କାରଣବସତଃ ସ୍ବାମୀଙ୍କ ସହ ନରହି ନିଜ ଘରେ ରହୁଥିଲେ।