ବିଶୋଇ: ରାତିରେ ଲୁଗା ଚୋରି କରିବାରୁ ଜଣେ ଯୁବକଙ୍କୁ ଘର ଖୁଣ୍ଟରେ ବାନ୍ଧି ରଖିବାରୁ ଉକ୍ତ ଯୁବକଙ୍କର ମୃତ୍ୟୁ ଘଟିଛି।ଏହିପରି ଏକ ଚାଞ୍ଚଲ୍ୟକର ଘଟଣା ମୟୂରଭଂଜ ଜିଲ୍ଲା ବିଶୋଇ ଥାନା ଅଧୀନ ଗୁଣ୍ଡୁରିଆ ଗ୍ରାମରେ ଦେଖିବାକୁ ମିଳିଛି। ମୃତ ଯୁବକ ଜଣଙ୍କ ହେଲେ ବିଶୋଇ ଥାନା ଅଧିନ ପଥରକଟା ଗ୍ରାମର ଘନ ନାଏକ(୩୪)। ହତ୍ୟା ଅଭିଯୋଗରେ ଗିରଫ ୨ ଅଭିଯୁକ୍ତ ହେଲେ ବିଶୋଇ ଥାନା ଗୁଣ୍ଡୁରିଆ ଗ୍ରାମର ଦଶରଥ ନାଏକ (୩୦) ଓ ତାଙ୍କ କକା ପୁଅ ଭାଇ ମଙ୍ଗଲ ନାଏକ(୧୮)।
Advertisment
ଘନଙ୍କ ଗ୍ରାମ ଓ ୨ ଅଭିଯୁକ୍ତଙ୍କ ଗ୍ରାମ ୧ କିଲୋମିଟର ଦୂରତାରେ ରହିଛି। ଘନ ଅନେକ ବାର ଦଶରଥଙ୍କ ଘରେ ବିଳମ୍ବିତ ରାତିରେ ପଶି କବାଟ ଖୋଲି ଘର ମଧ୍ୟରେ ଥିବା ଲୁଗା ଓ ଅନ୍ୟାନ୍ୟ ପୋଷାକ ଚୋରି କରି ନେଇଥାନ୍ତି। ଗତକାଲି ରାତ୍ରି ପ୍ରାୟ ଦେଢ଼ ଘଟିକା ସମୟରେ ମଧ୍ୟ ଘନ ଦଶରଥଙ୍କ ଘରର ମୁଖ୍ୟ କବାଟ ଖୋଲି ପଶି ଲୁଗା ଚୋରି କରି ନେଇ ଖସି ପଳାଉଥିବା ସମୟରେ ଦଶରଥ ଓ ତାଙ୍କ କକା ପୁଅଭାଇ ମଙ୍ଗଲ ଘନ ପଛରେ ଦୌଡ଼ି ଘନକୁ କାବୁ କରିଥିଲେ। ଘର ବାରଣ୍ଡାରେ ଥିବା ଏକ ଖୁଣ୍ଟରେ ଗାମୁଛା ସାହାଯ୍ୟରେ ଘନକୁ ବାନ୍ଧି ଅଭିଯୁକ୍ତ ଦଶରଥ ଓ ମଙ୍ଗଲ ଘନକୁ ଠେଙ୍ଗା ସାହାଯ୍ୟରେ ପିଟି ରାତି ତମାମ ଖୁଣ୍ଟରେ ବାନ୍ଧି ରଖିଥିଲେ।

ଆଜି ସକାଳେ ଦୁଇ ଅଭିଯୁକ୍ତ ଦଶରଥ ଓ ମଙ୍ଗଲ ମୃତ ଘନ ଘରକୁ ଯିବା ସହିତ ତାଙ୍କ ପୁଅ ତାଙ୍କ ଘର ନିକଟରେ ଅଛି ଏବଂ ତାଙ୍କୁ ନେଇ ଆଣିବାକୁ ମୃତ ଘନଙ୍କ ମା'ଜୁନାଇ ନାଏକଙ୍କୁ କହିଥିଲେ। ଘନଙ୍କ ମା' ଯାଇକି ଦେଖିଲା ବେଳକୁ ଘନ ଅଭିଯୁକ୍ତଙ୍କ ଘରକୁ ଲାଗି ଏକ ପଡ଼ିଆରେ ଚେତାଶୂନ୍ୟ ଅବସ୍ଥାରେ ପଡି ରହିଥିଲେ। ପରେ ଗ୍ରାମବାସୀ ଓ ଘନର ମା ଘନର ମୃତ୍ୟୁ ହେବାର ଜାଣିବାକୁ ପାଇଥିଲେ। ନିଜ ପୁଅକୁ ଦଶରଥ ଓ ମଙ୍ଗଲ ହତ୍ୟା କରିଥିବା ନେଇ ଅଭିଯୋଗ କରି ମୃତ ଘନଙ୍କ ମା' ଜୁନାଇ ବିଶୋଇ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।

ବିଶୋଇ ଥାନା ଓଆଇସି ମିନି ଭୋଇଙ୍କ ତତ୍ତ୍ୱାବଧାନରେ ବିଶୋଇ ଥାନା ଏସ୍.ଆଇ ଘନଶ୍ୟାମ ମଲ୍ଲିକ ସଦଳେବଳେ ପୋଲିସ ଟିମ ସହିତ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳକୁ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଏହି ଘଟଣାକୁ ନେଇ ବିଶୋଇ ଥାନାରେ କେସ ନଂ ୧୬୮/୨୪ ରେ ଏକ ମାମଲା ରୁଜ୍ଜୁ ହୋଇଥିବା ବେଳେ ଘନର ମୃତଶରୀରକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତ ଦଶରଥ ଓ ମଙ୍ଗଲଙ୍କୁ ଗିରଫ କରି ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।