ଚଣ୍ଡିଖୋଲ: ଯାଜପୁରଜିଲ୍ଲା ବଡ଼ଚଣା ବ୍ଲକ ତଥା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ମାଣ୍ଡୁକା ଗ୍ରାମର ପ୍ରଶାନ୍ତ ଦଳେଇ (୩୭) ଅପମିଶ୍ରିତ ମଦ୍ୟପାନ କରି ମୃତ୍ୟୁ ମୁଖରେ ପଡିବାରୁ ଆଜି ମାଣ୍ଡୁକା ଦଳେଇ ସାହିର ଶତାଧିକ ଲୋକେ କୃଷ୍ଣଦାସପୁର-ରତ୍ନଗିରି ପୂର୍ତ୍ତି ବିଭାଗ ରାସ୍ତାର ମାଣ୍ଡୁକା ଛକ ନିକଟରେ ଦୀର୍ଘ ୪ ଘଣ୍ଟା ଧରି ରାସ୍ତା ରୋକ କରିବା ସହିତ ମଦ ବ୍ୟବସାୟୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରିଥିଲେ।
ଗତ ୬ ତାରିଖ ଦିନ ପ୍ରଶାନ୍ତ ନିଜ ଗ୍ରାମର ଜଣେ ଚୋରା ମଦ ବ୍ୟବସାୟୀଙ୍କ ଠରୁ ମଦ ପିଇ ଗୁରୁତର ହେବା ସହିତ ଅସୁସ୍ଥ ହୋଇ ପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ବଡ଼ଚଣା ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ଖବର ପାଇ ବାଲିଚନ୍ଦ୍ରପୁର ଥାନାଧିକାରୀ ସମରଜିତ ନାୟକ ରାସ୍ତାରୋକ ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାଶୁଝା କରିବା ସହିତ ମୃତକଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ ଓ ଚୋରା ମଦ ବ୍ୟବସାୟୀଙ୍କ ବିରୁଦ୍ଧରେ ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଗ୍ରାମବାସୀ ମାନେ ରାସ୍ତା ରୋକରୁ ଓହରି ଯାଇଥିଲେ। ପରେ ଏନେଇ ମୃତ ପ୍ରଶାନ୍ତଙ୍କ ପତ୍ନୀଙ୍କ ଲିଖିତ ଅଭିଯୋଗ ଆଧାରରେ ଥାନାରେ ଏକ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ବଡ଼ଚଣା ମେଡିକାଲକୁ ପଠାଯାଇଥିଲା। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହକୁ ହସ୍ତାନ୍ତର କରାଯିବା ପରେ ଗ୍ରାମ ଶ୍ମଶାନରେ ସତ୍କାର କରାଯାଇଥିବା ଜଣାପଡିଛି।