ବିଷମକଟକ: ରାୟଗଡ଼ା ଜିଲ୍ଳା ବିଷମକଟକ ଥାନା ଅଂଚଳର ଜଣେ ନାବାଳିକାଙ୍କୁ ଅପହରଣ କରାଯାଇଥିବା ନେଇ ପୀଡ଼ିତାଙ୍କ ବାପା ବିଷମକଟକ ଥାନାରେ ଏତଲା ଦେଇଥିଲେ। ଏତଲାକୁ ଆଧାର କରି ବିଷମକଟକ ପୁଲିସ ଗତକାଲି ରାତିରେ ନାବାଳିକା ଏବଂ ଅପହରଣ କରିଥିବା ଯୁବକକୁ ଠାବ କରି ବିଷମକଟକ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଘଟଣା କ୍ରମରେ ନାବାଳିକା ଜଣକ କଲ୍ୟାଣସିଂହପୁର ବ୍ଲକର ପଲାମା ଅନୂସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ଆବସିକ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ବେଳେ ସେ ବିଷମକଟକ ବ୍ଲକର ସ୍ଥାୟୀ ବାସିନ୍ଦା ଅଟନ୍ତି। 

Advertisment

ଗ୍ରୀଷ୍ମ ଛୁଟିରେ ଛାତ୍ରୀ ଜଣକ ଘରକୁ ଆସିଥିବା ବେଳେ ଚାଟିକୋଣା ଗ୍ରାମ ପଂଚାୟତର ମାଝିହଲମା ଗ୍ରାମର ମିନାରାଓ ହିକାକାଙ୍କ ସହ କେଉଁ ଆଡ଼େ ଚାଲିଯାଇଥିଲେ। ଦୁଇ ମାସ ପରେ ଉଭୟା ଘରକୁ ଫେରିଥିବା ବେଳେ ଝିଅର ବାପା ମିନାରାଓ ତାଙ୍କ ଝିଅକୁ ଅପହରଣ କରିନେଇଥିବା ନେଇ ଗତକାଲି ବିଷମକଟକ ଥାନାରେ ଏତଲା ଦେଇଥିଲେ। ଏତଲା ପାଇବା ପରେ ବିଷମ କଟକ ପୁଲିସ ଉଭୟଙ୍କୁ ଥାନାକୁ ଆଣି ଅଟକ ରଖିଛି।

ତେବେ ଯୁବକ ଜଣକ ସାବାଳକ ରହିଥିବା ବେଳ ଝିଅଟି ନାବାଳିକା ରହିଛି। ଏ ନେଇ ବିଷମକଟକ ଥାନାରେ ଏକ ମାମଲା ରୁଜୁ କରିବା ସହ ଛାତ୍ରୀଙ୍କ ଡାକ୍ତରି ମାଇନା ପରେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ପାଖକୁ ପଠାଇ ଦିଆଯାଇଥିବା ବିଷମକଟକ ଥାନା ଅଧିକାରୀ ସୂର୍ଯ୍ୟଚନ୍ଦ୍ର ପାଢ଼ୀ ସୂଚନା ଦେଇଛନ୍ତି। ଦୀର୍ଘ ଦୁଇ ମାସ ଛାତ୍ରୀ ଜଣକ ବିଦ୍ୟାଳୟରେ ଅନୁପସ୍ଥିତ ରହିଥିବା ସଂକ୍ରାନ୍ତରେ ଆମ୍ଭେ ବିଦ୍ୟାଳୟ ପ୍ରଧାନଶିକ୍ଷକ ଅଭିମନ୍ୟୁୁ ଚୌଧୁରୀଙ୍କ ସହ ଯୋଗାଯୋଗ କରିଥିବା ବେଳେ ସେ ଛାତ୍ରୀ ଗ୍ରୀଷ୍ମ ଛୁଟି ପରେ ବିଦ୍ୟାଳୟକୁ ଫେରିନଥିଲା।

ଏ ନେଇ ଛାତ୍ରୀଙ୍କ ବାପାଙ୍କ ସହ ନିୟମିତ ଯୋଗା ଯୋଗ କରି ଝିଅକୁ ବିଦ୍ୟାଳୟକୁ ଆଣିବା ପାଇଁ ଅନୁରୋଧ କରୁଥିଲୁ ହେଲେ ତାଙ୍କ ବାପା ଝିଅକୁ ବିଦ୍ୟାଳୟରେ ଛାଡୁନଥିଲେ। ଝିଅଟି କେଉଁ ଆଡେ ଚାଲିଯାଇଥିବା ନେଇ ପରିବାର ପକ୍ଷରୁ ଆମ୍ଭକୁ କୌଣସି ସୂଚନା ମଧ୍ୟ ଦିଆଯାଇନଥିବା ପ୍ରକାଶ କରିଛନ୍ତି।

Rayagada | Police