ଆସିକା: ଗଂଜାମ ଜିଲ୍ଲା ଆସିକା ସମବାୟ ଚିନିଶିଳ୍ପରେ ପୁଣ ଅଘଟଣ ଘଟିଛି। ଏଠାରେ ସିମେଣ୍ଟ ଆଜବେଷ୍ଟସ ବାହାର କରିବା ବେଳେ ତଳକୁ ଖସି ପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି l ମୃତ ଶ୍ରମିକ ହେଲେ ସଲମାନ ଖାନ(୨୨)।
ଯାଜପୁର ଅଞ୍ଚଳର ସଲମାନ ଆଜି ଅନ୍ୟ ଶ୍ରମିକମାନଙ୍କର ସହିତ ଆସିକା ସମବାୟ ଚିନିଶିଳ୍ପର ସିମେଣ୍ଟ ଆଜବେଷ୍ଟସ ବାହାର କରୁଥିଲେ। ଏହି ସମୟରେ ସେ ପ୍ରାୟ ଷାଠିଏ ଫୁଟ ଉପରେ ସାଥୀ ଶ୍ରମିକଙ୍କ ସହ କାମ କରୁଥିଲେ। କୌଣସି କାରଣରୁ ସଲମାନ ତଳକୁ ଖସି ପଡ଼ିଥିଲେ। ତାଙ୍କୁ ମୁମୁର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇ ଆସିକା ଉପଖଣ୍ଡ ଡାକ୍ତରଖାନା ଚିକିତ୍ସା ପାଇଁ ଅଣାଯାଇ ଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l
ସୂଚନା ଅନୁସାରେ ସଲମାନ ଚିନିଶିଳ୍ପ ମରାମତି କାର୍ଯ୍ୟ ପାଇଁ ଠିକା ନେଇଥିବା ଭୁବନେଶ୍ୱରର ଏକ ସଂସ୍ଥା ଅଧୀନରେ କାର୍ଯ୍ୟ କରୁଥିଲେ। ଆସିକା ସମବାୟ ଚିନିଶିଳ୍ପର ସିମେଣ୍ଟ ଆଜବେଷ୍ଟ ଛାତ ମରାମତି କାମର ଟେଣ୍ଡର ଜିଲ୍ଲା ବାହାରର ଏକ ଠିକା ସଂସ୍ଥା ନେଇଥିବା ବେଳେ ମୃତ ଶ୍ରମିକ ସଲମାନ ଖାନ ଏଥିରେ କାମ କରୁଥିଲେ। ଆଜିର କାର୍ଯ୍ୟ ଚାଲୁଥିବା ସମୟରେ ସଲମାନ ବହୁ ଉଚ୍ଚରୁ ଖସି ତଳେ ପଡ଼ିଯାଇଥିବା ଓ ମୁଣ୍ଡରେ ପ୍ରବଳ ଆଘାତ ଲାଗି ପ୍ରଚୁର ରକ୍ତ ସ୍ରାବ ହୋଇ ସେଠି ହିଁ ସଂଜ୍ଞା ହୀନ ହୋଇ ପଡ଼ିଥିଲେ।
ଏ ସମ୍ପର୍କରେ ଆସିକା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ତଦନ୍ତ କରୁଥିବା ବେଳେ ମୃତଦେହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ତେବେ କାରଖାନାରେ ଦୁର୍ଘଟଣା ନୂଆ ନୁହେଁ। ୨୦୨୨ ନଭେମ୍ବରରେ ଅଜବେଷ୍ଟସ ବଦଲାଉଥିବା ବେଳେ ତଳକୁ ଖସି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ପ୍ରାୟ ୬୦ ଫୁଟ ଉପରେ ଆଜବେଷ୍ଟ ବଦଳାଇବା କାର୍ଯ୍ୟ ଜାରି ରହିଥିବା ବେଳେ ଠିକା ସଂସ୍ଥା ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ଆଜି ଶ୍ରମିକର ମୃତ୍ୟୁ ହୋଇଥିବା ଚର୍ଚ୍ଚା ହେଉଛି।
ganjam