ବୈଶିଙ୍ଗା: ମୟୂରଭଞ୍ଜ ଜିଲ୍ଲା ବେତନଟୀରେ ହାତୀ ଉପଦ୍ରବ ଭୟଙ୍କର ରୂପ ନେଇଛି। ସଇତପୁର ପଞ୍ଚାୟତର ଡେଉଁଚପଦା ଗାଁ ମୁଣ୍ଡରେ ହାତୀ ତାଣ୍ଡବ ରଚିଛି। ଦନ୍ତାହାତୀଟି ଜନୈକ ସାଇକେଲ ଚାଳକ ଯୁବକଙ୍କୁ ଆକ୍ରମଣ କରିଛି, ଯେଉଁଥିରେ ତାଙ୍କର ଶୋଚନୀୟ ମୃତ୍ୟୁ ଘଟିଛିl ମୃତକ ଜଣକ ହେଉଛନ୍ତି ମୋରଡା ଥାନା ଜୁଆଳିଭଙ୍ଗା ପଞ୍ଚାୟତ ଅଧୀନ ଅଙ୍ଗାରିଆ ଗ୍ରାମର ଲୁସ୍କୁ ମାର୍ଣ୍ଡିଙ୍କ ପୁଅ ବାବୁଲା ମାର୍ଣ୍ଡିl 

Advertisment

ସୂଚନା ଅନୁଯାଇ ସବୁଦିନ ଭଳି ବାବୁଲା ଗୁରୁବାର ରାତି ସାଢେ ଆଠଟା ପାଖାପାଖି ସମୟରେ ସାଇକେଲ ଯୋଗେ କାମରୁ ଘରକୁ ଫେରୁଥିବା ସମୟରେ ରାସ୍ତାରେ ଡେଉଁଚପଦା ଠାରେ ହାତୀ ହାବୁଡ଼ରେ ପଡିଯାଇଥିଲେ l ତେବେ ବାବୁଲାଙ୍କ ସାଙ୍ଗରେ ଥିବା ଅନ୍ୟ ସାଇକେଲ ଚାଳକମାନେ କୌଣସି ପ୍ରକାରେ ଘଟଣାସ୍ଥଳରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ। କିନ୍ତୁ ଅନ୍ଧାରରେ ଜାଣି ନପାରି ବାବୁଲା ଦନ୍ତା ହାତୀ ହାବୁଡ଼ରେ ପଡି ଯାଇଥିଲେl

ରାଜ୍ୟରେ ହାତୀ ଓ ମନୁଷ୍ୟ ମଧ୍ୟରେ ଏକ ପ୍ରକାରର ଅଘୋଷିତ ଯୁଦ୍ଧ ପାଲଟିଛି। ଜଙ୍ଗଲର ବ୍ୟାପକ କ୍ଷୟ ଯୋଗୁଁ ହାତୀମାନେ ଖାଦ୍ୟ ଅନ୍ବେଷଣରେ ଜଙ୍ଗଲ ଛାଡ଼ି ଗାଁ ଅଭିମୁଖେ ଆସୁଛନ୍ତି। ସେମାନେ ଫସଲ ଖାଇବା ସହିତ ଘର-ଦ୍ବାର ଭାଙ୍ଗୁଛନ୍ତି। ସେହିପରି ମନୁଷ୍ୟଙ୍କୁ ଆକ୍ରମଣ କରୁଛନ୍ତି। ଅପରପକ୍ଷେ ଶିକାରୀମାନେ ମଧ୍ୟ ହାତୀକୁ ଛାଡୁ ନାହାନ୍ତି। ହାତୀ-ମଣିଷ ଲଢ଼େଇ ଏକ ପ୍ରକାରର ସାଧାରଣ ଘଟଣା ପାଲଟିଛି। 

ତେବେ ଗୋଠଛଡା ବିଶାଳ ବଣୁଆ ଦନ୍ତାହାତୀଟି ସିଧାସଳଖ ବାବୁଲାଙ୍କ ମୁଣ୍ଡରେ ଚାପି ଦେଇଥିଲା। ଖବରପାଇ ବେତନଟୀ ବନବିଭାଗର ଟିମ ଘଟଣାସ୍ଥଳରେ ପହଞ୍ଚି ବାବୁଲାଙ୍କୁ ବେତନଟୀ ଡାକ୍ତରଖାନାକୁ ଆଣିଥିଲେl ସେଠାରେ କାର୍ଯ୍ୟରତ ଡାକ୍ତର ବାବୁଲାଙ୍କୁ ମୃତ ଘୋଷଣା କରିଥିଲେl ବେତନଟୀ ରେଞ୍ଜର ମନୁୱାର ଖାନ, ବନପାଳ ପ୍ରଦୀପ ଦେହୁରୀ, ଦୀପକ ପାତ୍ର ପ୍ରମୁଖ ବେତନଟୀ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତିl ଶୁକ୍ରବାର ଶବ ବ୍ୟବଚ୍ଛେଦ ହେବାନେଇ ବେତନଟୀ ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛିl ଯୁବକଙ୍କ ମୃତ୍ୟୁ ନେଇ ଅଙ୍ଗାରିଆ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି। 

Mayurbhanj | Elephant