ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। ଲଗାତାର ପୁଲିସ ଏବଂ ସୁରକ୍ଷାକର୍ମୀଙ୍କର ଚଢାଉରେ ନକ୍ସଲ ଏକ ପ୍ରକାର ଦୁର୍ବଳ ହୋଇଯାଇଥିବା ବେଳେ ଛୋଟ ଛୋଟ ଟିମ୍ ହୋଇ ନକ୍ସଲ ଏବେ ଜଂଗଲରେ ବୁଲୁଥିବା ପୁଲିସ କହିଛି। ଜଣେ ଯୁବକଙ୍କୁ ନକ୍ସଲମାନେ ଘରୁ ଡାକି ନେଇ ହତ୍ୟା କରିଦେଇଛନ୍ତି। ଏହି ଘଟଣାରେ ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି।
ବାସାପୁର ଥାନା ଅନ୍ତର୍ଗତ ଉସୁର ଅଂଚଳରେ ଦିନେଶ ପୂଜାରୀ ନାମକ ଜଣେ ଯୁବକକୁ ଅତି ନିର୍ମମ ଭାବେ ନକ୍ସଲ ହତ୍ୟା କରିଥିବା ଜଣାପଡିଛି। ଗତକାଲି ବିଳମ୍ବିତ ରାତିରେ ଗାଁରେ ସଶସ୍ତ୍ର ନକ୍ସଲ ପହଞ୍ଚି ଦିନେଶକୁ ଘରୁ ଡାକିଥିଲେ। ଦିନେଶ ପଦାକୁ ବାହାରିବା ମାତ୍ରେ ତାଂକୁ ଧାରୁଆ ଅସ୍ତ୍ରରେ ତାଂକ ଉପରେ ଆକ୍ରମଣ କରାଯାଇଥିଲା। ଘଟଣାସ୍ଥଳରେ ଦିନେଶର ମୃତ୍ୟୁ ହୋଇଯାଇଥିଲା।
ଏହି ଘଟଣା ପରେ ଉସୁର ଅଂଚଳରେ ଭୟର ବାତାବରଣ ଖେଳିଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ନକ୍ସଲ ଏବେ ନିଜର ଉପସ୍ଥିତି ଏବଂ ପତିଆରା ଜମାଇବାକୁ ଏଭଳି ହତ୍ୟାକାଣ୍ଡ କରୁଥିବା ପୁଲିସ କହିଛି। ଲୋକଙ୍କ ସମର୍ଥନ ପୁଣି ଏକତ୍ରିତ କରିବାକୁ ଚେଷ୍ଟା ଜାରି ରଖିଥିବା କୁହାଯାଇଛି।