ବୁଗୁଡ଼ା: ନିଶାସକ୍ତ ଅବସ୍ଥାରେ ସମ୍ପର୍କୀୟ ଆଈ ସହ ଥଟ୍ଟାମଜା କାଳ ହେଲା। ଆଉ ପରିବାର ଲୋକଙ୍କ ଠେଙ୍ଗାମାଡ଼ରେ ଯୁବକଙ୍କ ଜୀବନ ଗଲା। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ରାମଚନ୍ଦ୍ରପୁର ଗ୍ରାମରେ ଗତକାଲି ରାତିରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକଜଣକ ହେଉଛନ୍ତି, ରାମଚନ୍ଦ୍ରପୁର ଗ୍ରାମ ଖଦାଳସାହିର ଅଭିମନ୍ୟୁ ନାଇକଙ୍କ ପୁଅ ବଳରାମ ନାଇକ (୩୫)।
ଶୁକ୍ରବାର ରାତିରେ ସାହିରେ ଜଣେ ବ୍ୟକ୍ତିଙ୍କ ଶ୍ରାଦ୍ଧବାର୍ଷିକୀ ଭୋଜି ଚାଲିଥିଲା। ଏହି ସମୟରେ ବଳରାମ ମଦ ପିଇ ତାଙ୍କ ସମ୍ପର୍କୀୟ ଆଈ ତଥା ଦିବ୍ୟାଙ୍ଗ ମହିଳା ସଞ୍ଜୁ ନାୟକଙ୍କୁ ଥଟ୍ଟାମଜା କରିଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଥିଲା। ସଞ୍ଜୁଙ୍କୁ ବଳରାମ ଗାଳିଗୁଲଜ କରିଥିଲେ। ଏହା ଦେଖି ସଞ୍ଜୁଙ୍କ ପରିବାରଲୋକେ ସଂଘବଦ୍ଧ ଭାବେ ବଳରାମଙ୍କୁ ଠେଙ୍ଗା ଏବଂ କାଠଫାଳିଆରେ ଆକ୍ରମଣ କରିଥିଲେ।
ଗ୍ରାମବାସୀ ବୁଝାସୁଝା କରିବା ପରେ ରାତରାତି ବଳରାମଙ୍କୁ ଗୁରୁତର ଅବସ୍ଥାରେ ବୁଗୁଡ଼ା ଡାକ୍ତରଖାନାକୁ ନିଆଯାଇଥିଲା। ଆଜି ଭୋର୍ ୪ଟାରେ ତାଙ୍କର ମୃତ୍ୟୁ ଘଟିଥିଲା। ବଳରାମଙ୍କ ପତ୍ନୀଙ୍କ ଏତଲା କ୍ରମେ ବୁଗୁଡ଼ା ଥାନାରେ କେସ୍ ନମ୍ବର ୧୩୩/୨୫ରେ ମାମଲା ରୁଜୁ ହୋଇଛି। ପୁଲିସ ଶବକୁ ବ୍ୟବଚ୍ଛେଦ ପରେ ପରିବାରବର୍ଗକୁ ହସ୍ତାନ୍ତର କରିଛି। ବଳରାମ ଜଣେ ମିସ୍ତ୍ରି ଭାବେ କାମ କରୁଥବା ବେଳେ ତାଙ୍କର ପତ୍ନୀ ଓ ତିନିପୁଅ ଅଛନ୍ତି।