ରାଇରଙ୍ଗପୁର: ରାଂଚି-ବିଜୟୱାଡ଼ା ୨୨୦ ନଂ ଜାତୀୟ ରାଜପଥ ନିକଟରେ ପୁଣି ଦୂର୍ଘଟଣା। ହାଇଡ୍ରା କ୍ରେନ୍ ଜଣେ କର୍ମଚାରୀଙ୍କ ଉପରେ ଓଲଟି ପଡିବାରୁ ମୃତ୍ୟୁ। ମୃତ ବ୍ୟକ୍ତି ହେଲେ ରାହୁଲ ପରିଡ଼ା (୨୬)।
ସୂଚନା ଅନୁଯାୟୀ ରାଇରଙ୍ଗପୁର ଟାଉନ ଥାନା ଅର୍ନ୍ତଗତ ୨୨୦ ନଂ ଜାତୀୟ ରାଜପଥର ଗଢ଼ ନିକଟସ୍ଥ ଷ୍ଟାଇଲୋ ମାର୍ବଲରେ ରାଇରଙ୍ଗପୁର ଗ୍ରାମାଂଚଳ ଥାନା ଅର୍ନ୍ତଗତ ରାଖାସାହି ଗ୍ରାମର ଗବିନ୍ଦ ଚନ୍ଦ୍ର ପରିଡ଼ାଙ୍କ ପୁଅ ରାହୁଲ ପରିଡ଼ା ରାଇରଙ୍ଗପୁରସ୍ଥ ୭ ନଂ ୱାର୍ଡ ଗଢଠାରେ ଥିବା ଷ୍ଟାଇଲୋ ମାର୍ବଲରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଏଠାରେ ଗୋଟିଏ ହାଇଡ୍ରା କ୍ରେନ୍ ହୋମ୍ ପାଇପ୍ ବିଛାଉ ଥିବା ସମୟରେ ସେ ପାଚେରୀ ଉପରେ ଉଠି ଦେଖୁଥିଲେ।
ତେବେ ହଠାତ୍ ଭାରସାମ୍ୟ ହରାଇ ହାଇଡ୍ରାଟି ରାହୁଲ ଉପରେ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିସ୍ୟାଳୟରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ମୃତ ଯୁବକ ଘରର ଏକମାତ୍ର ରୋଜଗାରିଆ ପୁଅ ଥିଲେ। ତାଙ୍କ ମୃତ୍ୟୁରେ ତାଙ୍କ ସ୍ତ୍ରୀ,ଦୁଇ ବର୍ଷର କୁନି ଝିଅ, ବୃଦ୍ଧ ବାପା-ମା’ ଅସହାୟ ହୋଇ ଯାଇଛନ୍ତି। ମୟୂରଭଂଜ ଲୋକସଭା ସାଂସଦ ନବଚରଣ ମାଝୀ ହସ୍ପିଟାଲ ପହଂଚି ତାଙ୍କ ପରିବାରକୁ ଆଶ୍ବାସନା ଦେଇଛନ୍ତି।
ଦୁର୍ଘଟଣାଗ୍ରସ୍ତ ହାଇଡ୍ରା ନଂ ଓଆର୍-୧୪କ୍ୟୁ-୬୦୯୭। ଟାଉନ ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ତେବେ ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳୁଛି। ମୃତକଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇବାକୁ ଦାବି ହେଉଛି।
Accident | Mayurbhanj