ବାଲିପାଟଣା(ବସନ୍ତ ଦାଶ): ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅଞ୍ଚଳରେ ପୁଣି ଜଣେ ଯୁବକ ଜଳି ଯାଇଛନ୍ତି। ସମ୍ପତ୍ତି ଭାଗ ବଣ୍ଟା ଓ ପାରିବାରିକ ବିବାଦ କେନ୍ଦ୍ର କରି ଘଟଣା ଘଟି ଥିବା ଜଣାପଡ଼ିଛି। ଯୁବକଙ୍କୁ ଗୁରୁତର ଅବସ୍ଥାରେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରେ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି।

Advertisment

ଯୁବକଙ୍କ ବାପା ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀ ବୋଲି ଜଣାପଡ଼ିଛି। ବାପା ସୁରେନ୍ଦ୍ର ନାଥ ମଠିଆ ପୁଲିସ ବିଭାଗରେ ଏଏସ୍‌ଆଇ ଭାବେ ଚାକିରି କରିଥିଲେ। ଏକାଧିକ ଥର ଲାଞ୍ଚ କାରବାରରେ ଛନ୍ଦି ହେବା ପରେ ଚାକିରିରୁ ବହିଷ୍କୃତ ହୋଇଥିଲେ। ସୁରେନ୍ଦ୍ରଙ୍କ ୨ଜଣ ପତ୍ନୀ। ପ୍ରଥମ ପତ୍ନୀଙ୍କ ପୁଅ ଜ୍ୟୋତି ରଞ୍ଜନ ଅଟନ୍ତି। ଜ୍ୟୋତିଙ୍କ ମୃତ୍ୟୁ ପରେ ସୁରେନ୍ଦ୍ର ଅନ୍ୟତ୍ର ବିବାହ କରିଥିଲେ। ଦ୍ୱିତୀୟ ପତ୍ନୀଙ୍କ ଦୁଇଟି ପୁଅ ଏବଂ ଝିଅ। ଝିଅର ବିବାହ ପରେ ମୃତ୍ୟୁ ହୋଇଯାଇଥିଲା। 

ସୁରେନ୍ଦ୍ର ବାଲିପାଟଣା ଛକରେ ଦୀର୍ଘ ବର୍ଷ ହେଲା ପରିବାର ସହ ରହି ଆସୁଥିଲେ। ପ୍ରଥମ ପତ୍ନୀଙ୍କ ପୁଅ ବୋହୁ ଏବଂ ନାତିକୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ସୁରେନ୍ଦ୍ର ଦ୍ୱିତୀୟ ପତ୍ନୀଙ୍କ ନାମରେ ବାଲିପାଟଣା ତହସିଲ ଅଧୀନରେ ଗୋଟିଏ ଜମି କିଣି ଥିଲେ। ପରବର୍ତ୍ତୀ ସମୟରେ ଦ୍ୱିତୀୟ ପତ୍ନୀଙ୍କ ପୁଅ ନାମରେ ଉକ୍ତ ସମ୍ପତ୍ତି ଲେଖି ଦେଇଥିଲେ। ଏହାକୁ ନେଇ ପରିବାରରେ କଳହ ଲାଗି ରହିଥିଲା। 

ଏନେଇ ଥାନାରେ ଅଭିଯୋଗ ହୋଇଛି। ଆପୋଷ ବୁଝାମଣା ଏବଂ ପଞ୍ଚାୟତ ବସି ଘଟଣାର ସମାଧାନ ପାଇଁ ଚେଷ୍ଟା କରାଯାଇଥିଲା। ହେଲେ ସ୍ଥାୟୀ ସମାଧାନ ବାଟ ଫିଟି ନ ଥିଲା। ବାରମ୍ବାର ଏନେଇ ଘରେ ଝଗଡା ଲାଗି ରହିଥିଲା। ଜ୍ୟୋତି ଏନେଇ ମାନସିକ ନିର୍ଯାତନା ଶିକାର ହେଉଥିଲେ। ପତ୍ନୀ ଏବଂ ପୁଅଙ୍କୁ ନେଇ ଥାନାସାହିରେ ଦୀର୍ଘ ଦିନ ହେବ ଭଡ଼ା ଘରେ ରହୁଥିଲେ। ପରେ ଘରକୁ ଆସି ରହୁଥିଲେ। 

ଆଜି ମଧ୍ୟାହ୍ନ ପ୍ରାୟ ୨ଟାରେ ଜ୍ୟୋତି ପେଟ୍ରୋଲ ସଂସ୍ପର୍ଶରେ ଆସି ଜଳି ଯାଇଥିଲେ। ପତ୍ନୀ ବିଜୟ ଲକ୍ଷ୍ମୀ ଜଳନ୍ତା ଅବସ୍ଥାରେ ତାଙ୍କୁ ଦେଖି ନିଆଁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ। ନିଆଁ ଆୟତ୍ତ ହେବା ବେଳକୁ ଶରୀରର ୯୫ ପ୍ରତିଶତ ପୋଡି ଯାଇଥିଲା। ପୁଲିସ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଡାକ୍ତର କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଛନ୍ତି। 


ପେଟ୍ରୋଲ କିଏ ଢାଳିଛି ସ୍ପଷ୍ଟ ହୋଇନାହିଁ। ବିଜୟ ଲକ୍ଷ୍ମୀ ଶଶୁର, ଶାଶୂ, ଦିଅର, ଯାଆ ଏବଂ ଯାଆଙ୍କ ବାପାଙ୍କ ନାଁରେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଆସୁଥିବା ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ସୁରେନ୍ଦ୍ର ଓ ସାନ ପୁଅ ପ୍ରଶାନ୍ତଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। 

Bhubaneswar | Khordha