ଭୁବନେଶ୍ୱର: 'ଓଡିଶା ସାହିତ୍ୟ ଏକାଡେମୀ' ପକ୍ଷରୁ ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ସମ୍ମିଳନୀ କକ୍ଷରେ ପ୍ରଥମ ଥର ପାଇଁ ଏକ 'ଯୁବ ଗାଳ୍ପିକ ସମାବେଶ' ଅନୁଷ୍ଠିତ ହୋଇଯାଇଛିl ଏହି ଅବସରରେ ଓଡିଶା ସାହିତ୍ୟ ଏକାଡ଼େମୀର ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତାଙ୍କ ପୌରାହିତ୍ୟରେ ବିଶିଷ୍ଟ ସାହିତ୍ୟିକ ଅରବିନ୍ଦ ରାୟ, ମିହିର ସ୍ଵାଇଁ, ହିରଣ୍ମୟୀ ମିଶ୍ର ଏବଂ ଶରତ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇ ଦୀପ ପ୍ରଜ୍ଜ୍ଵଳନପୂର୍ବକ ସମାବେଶକୁ ଉଦଘାଟନ କରିଥିଲେl
ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତା ସ୍ଵାଗତ ଭାଷଣ ପ୍ରଦାନ କରି ସମସ୍ତ ନିମନ୍ତ୍ରିତ ଯୁବ ଗାଳ୍ପିକା ଏବଂ ଗାଳ୍ପିକଙ୍କୁ ଧନ୍ୟବାଦ ଜଣାଇବା ସହିତ ସରକାରୀସ୍ତରରେ ଓଡ଼ିଆ ଭାଷା, ସାହିତ୍ୟ ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସଭିଙ୍କୁ ସୂଚନା ଦେଇଥିଲେl ଏଥି ସହିତ ସମାବେଶରେ ଯୋଗ ଦେଇଥିବା ଗାଳ୍ପିକା ଏବଂ ଗାଳ୍ପିକମାନଙ୍କ ଗଳ୍ପକୁ ନେଇ ଆଗାମୀ ଦିନରେ ଏକାଡେମୀ ପକ୍ଷରୁ ଏକ ଗଳ୍ପ ସଂକଳନ ପ୍ରକାଶ କରାଯିବ ବୋଲି ଘୋଷଣା କରିଥିଲେ l
ସମାବେଶରେ ଓଡ଼ିଶାର ପ୍ରାୟ ସମସ୍ତ ପ୍ରାନ୍ତରୁ ଶତାଧିକ ଯୁବ ଗାଳ୍ପିକା ଏବଂ ଗାଳ୍ପିକ ଯୋଗ ଦେଇ ସମାବେଶଟିକୁ ସଫଳ କରିଥିଲେl 'ଆଜିର ଗଳ୍ପରେ ଗାଳ୍ପିକର କାନଭାସ୍', 'ଆମ ଗଳ୍ପର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ', 'ସାମ୍ପ୍ରତିକ ଓଡ଼ିଆ ଗଳ୍ପର ଧାରାରେ ମୋ ଗଳ୍ପ', 'ଓଡ଼ିଆ ଗଳ୍ପରେ ଅସ୍ମିତାର ଚିତ୍ର ଓ ଚରିତ୍ର', ଏବଂ 'ସମକାଳୀନ ଓଡ଼ିଆ ଗଳ୍ପରେ ଓଡ଼ିଆପଣ' ଆଦି ଶୀର୍ଷକରେ ଯୁବ ଗାଳ୍ପିକା, ଗାଳ୍ପିକମାନଙ୍କ ମଧ୍ୟରେ ପାଞ୍ଚଟି ଅଧିବେଶନରେ ସାରଗର୍ଭକ ଆଲୋଚନା ହୋଇଥିଲାl
ଏହି ଅଧିବେଶନ ଗୁଡ଼ିକରେ କ୍ରମାନ୍ୱୟରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଯୁବ ଗାଳ୍ପିକ ମିୟୋଗ ରଞ୍ଜନ ପାତ୍ର, କ୍ଷୀରୋଦ ବିଶ୍ଵାଳ, ସଞ୍ଜୟ ପଣ୍ଡା, ଶିବାନନ୍ଦ ବାରିକ ଏବଂ ବେଦ ପ୍ରକାଶ ନାୟକl ଏହି ଅବସରରେ ବରିଷ୍ଠ ଗାଳ୍ପିକ ସଦାନନ୍ଦ ତ୍ରିପାଠୀ, ବଙ୍ଗାଳୀ ନନ୍ଦ, ରସାନନ୍ଦ ସାହୁ, ସୁନନ୍ଦା ପ୍ରଧାନ, ମନୁଆ ଦାଶ ଏବଂ ଅମରେଶ ବିଶ୍ଵାଳ ପ୍ରମୁଖ ସାହିତ୍ୟିକ ଉପସ୍ଥିତ ରହି ଯୁବ କଥାକାରମାନଙ୍କୁ ଉତ୍ସାହିତ କରିଥିଲେl ଏହିପରି କାର୍ଯ୍ୟକ୍ରମ ଯୁବପିଢ଼ିକୁ ଓଡ଼ିଆ ସାହିତ୍ୟ ସହ ଯୋଡ଼ି ସେମାନଙ୍କୁ ସମୃଦ୍ଧ ସାହିତ୍ୟ ରଚନା କରିବା ନିମନ୍ତେ ଅନୁପ୍ରାଣିତ କରିବ ବୋଲି ସଭିଏଁ ଆଶାବ୍ୟକ୍ତ କରିଥିଲେl
Odia language