କାଲ୍ସିଅମ୍ ବଟିକା ଅଧିକ ପରିମାଣରେ ଖାଇବା ଅନୁଚିତ। କାଲ୍ସିଅମ୍ ରକ୍ତରେ ଗଚ୍ଛିତ ରହିଲେ, ନାନା ରୋଗ ସୃଷ୍ଟି କରାଉଥିବା ପ୍ରମାଣିତ। କାଲ୍ସିଅମ୍ ଯୋଗୁଁ ବୃକ୍କରେ ପଥର ହୁଏ। ସବୁଠାରୁ ସାଧାରଣ ବୃକ୍କ ପଥର ହେଉଛି ‘କାଲ୍ସିଅମ୍ ଅଗ୍ଜାଲେଟ୍ ପିବଲ୍ସ’। କାଲ୍ସିଅମ୍, ଅଗ୍ଜାଲିକ୍ ଅମ୍ଳ ସଂସ୍ପର୍ଶରେ ଆସିଲେ ପଥରରେ ପରିଣତ ହୁଏ। ତେଣୁ କାଲ୍ସିଅମ୍ ବଟିକା ପ୍ରତି ସମସ୍ତେ ସତର୍କ ରହିବା ଜରୁରୀ। କାଲ୍ସିଅମ୍ ବଟିକାକୁ କେବେ ହେଲେ ଖାଲି ପେଟରେ ଖାଆନ୍ତୁନାହିଁ। ସେ ଭଳି କ୍ଷେତ୍ରରେ କାଲ୍ସିଅମ୍ ସିଧା ମୂତ୍ରନଳି ମଧ୍ୟକୁ ଚାଲିଯାଏ। ସର୍ବଦା ଖାଦ୍ୟ ସହ କାଲ୍ସିଅମ୍ ଖାଆନ୍ତୁ। ପୁଣି ପ୍ରଚୁର ପରିମାଣର ପାଣି ପିଅନ୍ତୁ। ଯେଉଁମାନଙ୍କର ବୃକ୍କ ଜନିତ ସମସ୍ୟା ଅଛି, ସେମାନେ ଦିନରେ ଅନ୍ୟୂନ ତିନି ଲିଟର୍ ପାଣି ପିଇବା ଦରକାର। ଭୋଜନ ପରେ ପ୍ରତି ଥର ଏକ ଗ୍ଲାସ୍ ପାଣି ପିଅନ୍ତୁ। ଶୋଇବା ପୂର୍ବରୁ ଏକ ଗ୍ଲାସ୍ ପିଅନ୍ତୁ। ରାତିରେ ଉଠୁଥିଲେ ବି ପାଣି ପିଅନ୍ତୁ। କମଳା ରସ, ଲେମ୍ବୁ ରସ, ଚାହା, କଫି, ଓ୍ଵାଇନ୍ ଓ ବିଅର୍ ଆଦି ପିଇପାରିବେ। ଲୁଣ କମ୍ ଖାଆନ୍ତୁ। ଲୁଣ, ପରିସ୍ରାରେ କାଲ୍ସିଅମ୍ର ପରିମାଣ ବଢ଼ାଏ। ତାହା ଛଡ଼ା ମୃଦୁ ପାନୀୟ, ଅଙ୍ଗୁର ରସ, କ୍ରାନ୍ବେରି ରସ, ପାଳଙ୍ଗ, ସମସ୍ତ ପ୍ରକାରର ଫାଷ୍ଟ୍ ଫୁଡ୍ ଏବଂ କାଜୁ ଜାତୀୟ ମଞ୍ଜି ମଧ୍ୟ ଲୁଣର ପରିମାଣ ବଢ଼ାଉଥିବାରୁ, ନ ଖାଇବା ଭଲ।