ଓଡ଼ିଶା ରାଜ୍ୟର ଅନ୍ୟତମ ନିର୍ମାତା ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଉତ୍କଳକେଶରୀ ହରେକୃଷ୍ଣ ମହତାବ ଅବିଭକ୍ତ ବାଲେଶ୍ବର ଜିଲ୍ଲାର ଆଗରପଡ଼ା ଗାଁରେ ୧୮୯୯ ନଭେମ୍ବର ୨୧ରେ ଜନ୍ମଗ୍ରହଣ କରିଥିଲେ। ହରେକୃଷ୍ଣ ବାଲ୍ୟ କାଳରୁ ଅତ୍ୟନ୍ତ ଚତୁର, ସ୍ବାଧୀନଚେତା ଓ ସାହସୀ ଥିଲେ। ସେ ଭଦ୍ରକ ହାଇସ୍କୁଲରୁ ମାଟ୍ରିକ ଉତ୍ତୀର୍ଣ୍ଣ ହୋଇ ରେଭେନ୍ସା କଲେଜରେ ନାମ ଲେଖାଇଥିଲେ। ୧୯୨୦ ମସିହାରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସହିତ ସେ ନାଗପୁର କଂଗ୍ରେସ ଅଧିବେଶନରେ ଯୋଗ ଦେଇଥିଲେ। ୧୯୨୧ ମସିହାରେ ମହାତ୍ମା ଗାନ୍ଧୀ ଇଂରେଜ ଶାସକଙ୍କୁ ଭାରତରୁ ବିତାଡ଼ିତ କରିବା ପାଇଁ ଦେଶବାସୀଙ୍କୁ ଯେଉଁ ଡାକରା ଦେଇଥିଲେ ସେଥିରେ ଯୋଗ ଦେବା ପାଇଁ ହରେକୃଷ୍ଣଙ୍କୁ ନିଜର ପାଠ ପୋଥିରେ ଡୋରି ବାନ୍ଧିବାକୁ ପଡ଼ିଥିଲା।
ସେତେବେଳେ ସେ ସ୍ନାତକ ପଢ଼ୁଥିଲେ। ୧୯୨୧ ମସିହା କଲିକତାର କଂଗ୍ରେସ ଅଧିବେଶନରେ ମଧ୍ୟ ସେ ସକ୍ରିୟ ଅଂଶଗ୍ରହଣ କରିଥିଲେ ଓ ୧୯୨୧ ମସିହା ମାର୍ଚ୍ଚ ୨୨ ତାରିଖରେ ମହାତ୍ମା ଗାନ୍ଧୀ ଓଡ଼ିଶା ଆସିଥିବା ବେଳେ ସେ ତାଙ୍କ ସହିତ ପଦଯାତ୍ରା କରିଥିଲେ। ସେ କଂଗ୍ରେସ ଆନ୍ଦୋଳନର ସତ୍ୟାଗ୍ରହ, ଲବଣ ସତ୍ୟାଗ୍ରହ, ଅଗଷ୍ଟ ବିପ୍ଳବ ଆଦିରେ ସାମିଲ ହୋଇ ଅନେକ ଥର କାରାବରଣ କରିଥିଲେ। ‘ସ୍ୱରାଜ୍ୟ ସମାଚାର’ ନାମକ ସାପ୍ତାହିକ ଖବରକାଗଜ ପ୍ରକାଶ କରି ଆନ୍ଦୋଳନ ବିଷୟରେ ଲୋକଙ୍କୁ ସଚେତନ କରୁଥିଲେ। ‘ସ୍ୱରାଜ୍ୟ ମନ୍ଦିର’ ନାମକ ଅନୁଷ୍ଠାନର ସେ ପ୍ରତିଷ୍ଠାତା। ତାଙ୍କର ଏହି ସବୁ କାର୍ଯ୍ୟକଳାପ ପାଇଁ ଇଂରେଜ ସରକାର ତାଙ୍କୁ ବନ୍ଦୀ କରି ଭାଗଲପୁର ଜେଲ୍କୁ ପଠାଇ ଦେଇଥିଲେ। ୧୯୨୩ ମସିହାରେ ସେ ବାଲେଶ୍ବର ଜିଲ୍ଲା ବୋର୍ଡ ଚେୟାରମ୍ୟାନ ନିର୍ବାଚିତ ହୋଇଥିଲେ। ୧୯୨୪ ମସିହାରେ ସେ ସାପ୍ତାହିକ ‘ପ୍ରଜାତନ୍ତ୍ର’ ପ୍ରକାଶନ ଆରମ୍ଭ କରିଥିଲେ। ୧୯୩୦ରେ ସେ ଉତ୍କଳ ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିର୍ବାଚିତ ହୋଇଥିଲେ। ଦେଶବ୍ୟାପୀ ଆଇନ ଅମାନ୍ୟ ଆନ୍ଦୋଳନରେ ଯୋଗଦେଇ ମହତାବ ଲାଠିମାଡ଼ ଖାଇଥିଲେ ଏବଂ ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହ ପାଇଁ କାରାବରଣ କରିଥିଲେ। ୧୯୪୨ ମସିହା ଭାରତଛାଡ଼ ଆନ୍ଦୋଳନରେ ଯୋଗଦେଇ ସେ ପୁଣି ଥରେ ବନ୍ଦୀ ହୋଇ ଅଢ଼େଇ ବର୍ଷ ଜେଲରେ ରହିଥିଲେ। କାରାବାସରେ ସେ ପଣ୍ଡିତ ଜବାହରଲାଲ ନେହେରୁ, ଆଚାର୍ଯ୍ୟ କୃପାଳିନୀ, ସର୍ଦାର ପଟେଲ ପ୍ରମୁଖଙ୍କ ସଂସ୍ପର୍ଶରେ ଆସିଥିଲେ।
୧୯୪୬ ମସିହା ନିର୍ବାଚନରେ କଂଗ୍ରେସ ଦଳ ବିଜୟଲାଭ କରି ତାଙ୍କ ନେତୃତ୍ବରେ ଓଡ଼ିଶାର ମନ୍ତ୍ରୀମଣ୍ଡଳ ଗଢ଼ିଥିଲା। ସେ ସ୍ବାଧୀନ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୧୯୪୬ରୁ ୧୯୫୦ ମସିହା ଏବଂ ୧୯୫୬ରୁ ୧୯୬୧ ମସିହା ପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ରହିଥିଲେ। ତାଙ୍କ ଶାସନ ଅମଳରେ ଭୁବନେଶ୍ୱରକୁ ରାଜଧାନୀ ସ୍ଥାନାନ୍ତରିତ ହୋଇଥିଲା। ତାଙ୍କ କାର୍ଯ୍ୟକାଳରେ ନୂତନ ସଚିବାଳୟ, ରାଜ୍ୟ ସଂଗ୍ରାହାଳୟ, ରାଜ୍ୟ ଲଳିତକଳା ଏକାଡେମୀ, ରବୀନ୍ଦ୍ର ମଣ୍ଡପ, ହୀରାକୁଦ ନଦୀବନ୍ଧ, ମାଛକୁଣ୍ଡ ଜଳଭଣ୍ଡାର ଓ ଜଳବିଦ୍ୟୁତ୍ ଯୋଜନା, କଟକର ଧାନ ଗବେଷଣା କେନ୍ଦ୍ର ଇତ୍ୟାଦି ସ୍ଥାପିତ ହୋଇଥିଲା। ୧୯୫୦ ମସିହାରୁ ୧୯୫୨ ପର୍ଯ୍ୟନ୍ତ ସେ ଜବାହରଲାଲଙ୍କ ମନ୍ତ୍ରୀମଣ୍ଡଳରେ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ଥିଲେ। ୧୯୫୪ରେ ବମ୍ବେର ରାଜ୍ୟପାଳ ହୋଇଥିଲେ। ୧୯୭୫ରେ ଇନ୍ଦିରା ଗାନ୍ଧୀଙ୍କ ଜରୁରୀ ପରିସ୍ଥିତିକୁ ବିରୋଧ କରି କାରାବରଣ କରିଥିଲେ। ୧୯୭୭ରେ ସେ ପ୍ରତ୍ୟକ୍ଷ ରାଜନୀତିରୁ ଅବସର ନେଇଥିଲେ। ୧୯୮୭ ଜାନୁଆରି ୨ରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।