କୋଭିଡ୍‌ ଚିକିତ୍ସାରେ ୨-ଡିଜି ଔଷଧ: ଆଶା ଓ ଆଶଙ୍କା

୨ ଡିଅକ୍ସି ଗ୍ଲୁକୋଜ୍: ଆଶାର ଆଲୋକ

୨-ଡିଜି- ଏକ ନୂତନ ଗବେଷଣାମୂଳକ ଔଷଧ, ଯାହାକୁ ଭାରତୀୟ ଡ୍ରଗ୍ ନିୟାମକ ସଂସ୍ଥା ତରଫରୁ କୋଭିଡ୍-୧୯ ମହାମାରୀର ଚିକିତ୍ସାରେ ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିଛି। ନିର୍ମାତାମାନେ ଦାବି କରିଛନ୍ତି ଯେ, ଏହି ଔଷଧ ଭୂତାଣୁମାନଙ୍କ ବଂଶବୃଦ୍ଧିକୁ ରୋକିବାରେ ସାହାଯ୍ୟ କରିବ। କିନ୍ତୁ ଡାକ୍ତରମାନଙ୍କ ଭିତରେ ଏହାକୁ ନେଇ ମତପାର୍ଥକ୍ୟ ରହିଛି।

୨-ଡିଅକ୍ସି-ଡି-ଗ୍ଲୁକୋଜ୍ ବା ୨-ଡିଜି ଏକ କ୍ୟାନ୍ସର ଔଷଧ ଭାବେ ପରୀକ୍ଷିତ ହେବା ସହ ବହୁ ପୂର୍ବରୁ ପ୍ରଚଳିତ ହୋଇଆସୁଛି। ଏହି ଔଷଧ ଗ୍ଲାଇକୋଲିସିସ୍‌କୁ ରୋକିଥାଏ ଏବଂ ଗ୍ଲାଇକୋଲିସିସ୍ ହେଉଛି ଏକ ପ୍ରକ୍ରିୟା ଯେଉଁଥିରେ କୋଷଗୁଡ଼ିକୁ ସରଳୀକୃତ ଗ୍ଲୁକୋଜ୍ ମିଳିଥାଏ। ଏହି ୨-ଡିଜି ଔଷଧ ସେବନ କଲେ ତାହା କୋଷଗୁଡ଼ିକୁ ଶର୍କରା ଯୋଗାଣ ବନ୍ଦ କରିଦିଏ। ଫଳରେ କୋଷଟି ମରିବାକୁ ଆରମ୍ଭ କରେ। ଏହାକୁ କର୍କଟ ରୋଗର ଔଷଧରୂପେ ବ୍ୟବହାର କରାଯାଏ କାରଣ ଏହା କର୍କଟ-ଆକ୍ରାନ୍ତ କୋଷଗୁଡ଼ିକୁ ଶର୍କରା ଯୋଗାଣ ବନ୍ଦ କରିଦିଏ। ଗ୍ଲାଇକୋଲିସିସ୍ ଦ୍ବାରା କୋଷରେ ଥିବା ଭୂତାଣୁମାନେ ଶକ୍ତି ପାଇ ବଂଶବୃଦ୍ଧି କରନ୍ତି। ତେଣୁ ୨-ଡିଜି ଔଷଧ ଦ୍ବାରା ଗ୍ଲାଇକୋଲିସିସ୍‌କୁ ବନ୍ଦ କରିଦେଲେ କୋଷରେ ଥିବା ଭୂତାଣୁମାନେ ଆଉ ବଂଶବୃଦ୍ଧି କରିବା ପାଇଁ ଆବଶ୍ୟକ ଶକ୍ତି ଯୋଗାଡ଼ କରିପାରିବେ ନାହିଁ। ତେଣୁ ସେମାନଙ୍କ ବଂଶବୃଦ୍ଧି ହ୍ରାସ ପାଇବ। ଏହି ଔଷଧ ପ୍ରବର୍ତ୍ତନର ଉଦ୍ଦେଶ୍ୟ ହେଲା, ଅନ୍ୟ ଭୂତାଣୁ-ନିରୋଧୀ ଔଷଧ ସହ ଏହାକୁ ଦେଲେ ତାହା କୋଭିଡ୍-୧୯ ରୋଗୀଙ୍କ ଫୁସ୍‌ଫୁସ୍‌ରେ ବିଦାହ ସୃଷ୍ଟି କରୁଥିବା ସାର୍ସ କୋଭ୍-୨ ଭୂତାଣୁଙ୍କ ବଂଶବୃଦ୍ଧିକୁ ରୋକିବ।

ଡ. ରେଡ୍ଡୀଙ୍କ ଲାବୋରେଟୋରି ପକ୍ଷରୁ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁକ୍ଳିୟର ମେଡିସିନ୍ ଆଣ୍ଡ୍ ଆଲାଏଡ୍ ସାଇନ୍ସେସ୍ (ଡିଆର୍‌ଡିଓର ଏକ ଶାଖା ଅନୁଷ୍ଠାନ) ସହ ମିଶି ଏହି ଔଷଧର କ୍ଳିନିକାଲ ଟେଷ୍ଟ କରାଯାଇଛି। ଦ୍ବିତୀୟ ପର୍ଯ୍ୟାୟରେ ୧୧୦ ଜଣଙ୍କଠାରେ ଏବଂ ତୃତୀୟ ପର୍ଯ୍ୟାୟରେ ୨୨୦ ରୋଗୀଙ୍କଠାରେ ଏହା ପରୀକ୍ଷା କରାଯାଇସାରିଛି। କୋଭିଡ୍-୧୯ ରୋଗୀଙ୍କ ଚିକିତ୍ସାରେ ଏହାର ଜରୁରିକାଳୀନ ବ୍ୟବହାର ପାଇଁ ଗତ ମେ ମାସରେ ଏହାକୁ ଅନୁମତି ମିଳିଛି।

ନିକଟରେ ଡିଆର୍‌ଡିଓ ବୈଜ୍ଞାନିକ ସୁଧୀର ଚନ୍ଦନା ଏକ ଟିଭି ଚାନେଲକୁ କହିଛନ୍ତି ଯେ, ୨-ଡିଜି ଔଷଧ ରୋଗୀ ଶରୀରକୁ ଯାଇ ଭୂତାଣୁ-ସଂକ୍ରମିତ କୋଷରେ ପହଞ୍ଚେ ଏବଂ ଭୂତାଣୁର ସଂଶ୍ଳେଷଣକୁ ବନ୍ଦ କରିବା ସହ ପ୍ରୋଟିନର ଶକ୍ତି ଉତ୍ପାଦନକୁ ନଷ୍ଟ କରି ଭୂତାଣୁର ବଂଶବୃଦ୍ଧିକୁ ବନ୍ଦ କରିଦିଏ। ୨-ଡିଜି ମଧ୍ୟ ଫୁସ୍‌ଫୁସ୍‌ରେ ଭୂତାଣୁଙ୍କ ବଂଶବୃଦ୍ଧିକୁ ରୋକିବା ସହ ରୋଗୀର ଅମ୍ଳଜାନ-ନିର୍ଭରଶୀଳତାକୁ କମେଇଦେଇଥାଏ। ସୁଧୀର ଚନ୍ଦନା ପୁଣି କହିଲେ ଯେ, କୋଭିଡ୍-୧୯ ରୋଗୀକୁ ୨-ଡିଜି ଦିଆଗଲେ ଭଲ ହେବା ପ୍ରକ୍ରିୟା ୨-୩ ଦିନ ଶୀଘ୍ର ହୋଇଥାଏ। ତୃତୀୟ ପର୍ଯ୍ୟାୟ ପରୀକ୍ଷାରୁ ଜଣାପଡ଼ିଛି ଯେ, ତୃତୀୟ ଦିନ ସୁଦ୍ଧା ୪୧ ପ୍ରତିଶତ ରୋଗୀଙ୍କଠାରେ ଅମ୍ଳଜାନ-ନିର୍ଭରଶୀଳତା ଦୂର ହୋଇଥିଲା ବେଳେ ୩୧ ପ୍ରତିଶତ ରୋଗୀ ଷ୍ଟାଣ୍ଡାର୍ଡ ଅଫ୍ କେୟାର୍ (ଏସ୍ଓସି)ରେ ରହିଥିଲେ। କିନ୍ତୁ ବିଶେଷଜ୍ଞମାନେ ଭାବୁଛନ୍ତି ଯେ, ଏହି ଔଷଧକୁ କୋଭିଡ୍-୧୯ ଚିକିତ୍ସାରେ ବ୍ୟାପକଭାବେ ବ୍ୟବହାର କରାଯିବା ପୂର୍ବରୁ ଅଧିକ କ୍ଳିନିକାଲ ପରୀକ୍ଷାର ଆବଶ୍ୟକତା ରହିଛି।

ମହାରାଷ୍ଟ୍ର କୋଭିଡ୍ ଟାସ୍କଫୋର୍ସର ସଦସ୍ୟ ତଥା ଫୋର୍ଟିସ୍ ହସ୍ପିଟାଲର କ୍ରିଟିକାଲ୍ କେୟାର୍‌ ନିର୍ଦ୍ଦେଶକ ଡ. ରାହୁଲ ପଣ୍ଡିତଙ୍କ କହିବା ଅନୁସାରେ କ୍ଳିନିକାଲ ପରୀକ୍ଷାରୁ ଔଷଧର ସଫଳତା ଜଣାପଡ଼ିଛି। ରୋଗୀ ଶୀଘ୍ର ଭଲ ହେବା ଓ ଅମ୍ଳଜାନ-ନିର୍ଭରଶୀଳତା କମିବା ପ୍ରମାଣିତ ହୋଇଛି। କୋଭିଡ୍ ରୋଗୀଙ୍କ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ହେବ। କ୍ଳିନିକାଲ ତଥ୍ୟ ଅନୁସାରେ ୨-ଡିଜି ଔଷଧ ଦ୍ବାରା ଚିକିତ୍ସିତ ରୋଗୀମାନଙ୍କର ଶୀଘ୍ର ଲକ୍ଷଣ ଦୂର ହେବା ଓ ଶୀଘ୍ର ଭଲ ହେବାର ଦେଖାଯାଇଛି। ୨-ଡିଜି ଔଷଧ ଭୂତାଣୁ-ସଂକ୍ରମିତ କୋଷକୁ ଯାଇ ଭୂତାଣୁଙ୍କ ବଂଶବୃଦ୍ଧି ପାଇଁ ଆବଶ୍ୟକ ଶକ୍ତିଯୋଗାଣ ବନ୍ଦ କରିଦେଇ ସେମାନଙ୍କ ସଂଶ୍ଳେଷଣ ପ୍ରକ୍ରିୟା ବନ୍ଦ କରିଦିଏ। ତେଣୁ ସେମାନେ ଆଉ ବଂଶବୃଦ୍ଧି କରିପାରନ୍ତି ନାହିଁ। ତେଣୁ ଏହି ଔଷଧକୁ ଯେତେ ଶୀଘ୍ର ସମ୍ଭବ କୋଭିଡ୍ ଚିକିତ୍ସାରେ ପ୍ରୟୋଗ କରାଯିବା ଉଚିତ।

ଗୁରୁଗ୍ରାମସ୍ଥିତ ମାକ୍ସ ହସ୍ପିଟାଲର ମାକ୍ସ ଆଇ କେୟାରର ନିର୍ଦ୍ଦେଶକ ତଥା ବରିଷ୍ଠ ଆଇ ସର୍ଜନ ଡ. ପାରୁଲ ଏମ୍. ଶର୍ମା ଟୁଇଟରରେ ତାଙ୍କର ଉଦ୍‌ବେଗ ପ୍ରକାଶ କରି ଲେଖିଛନ୍ତି ଯେ, ୨-ଡିଜି ଔଷଧର ତୃତୀୟ ପର୍ଯ୍ୟାୟ ପରୀକ୍ଷା ୨୦୨୦ ନଭେମ୍ବରରୁ ଚଳିତ ବର୍ଷ ମାର୍ଚ୍ଚ ଭିତରେ ୨୭ଟି ହସ୍ପିଟାଲର ମାତ୍ର ୨୨୦ ଜଣ ରୋଗୀଙ୍କୁ ନେଇ କରାଯାଇଥିଲା। ତା’ର ଫଳାଫଳ ସାଧାରଣ ଚିକିତ୍ସା ତୁଳନାରେ ସେମିତି କିଛି ଉଲ୍ଲେଖନୀୟ ନୁହେଁ। ତାଙ୍କର ଉଦ୍‌ବେଗର ଗୋଟିଏ କାରଣ ହେଲା, ଏହି ଔଷଧର କ୍ଳିନିକାଲ ପରୀକ୍ଷାରେ ମଧୁମେହ ରୋଗୀ, ହୃଦ୍‌ରୋଗୀ, ଉଚ୍ଚ ରକ୍ତଚାପ ରୋଗୀ, କିଡ୍‌ନୀ ରୋଗୀ ଆଦିଙ୍କୁ ବାଦ୍ ଦିଆଯାଇଥିଲା। ହାଇପୋଗ୍ଲିକେମିଆ ହେଉଛି ଏକ ଅବସ୍ଥା ଯେଉଁଥିରେ ରକ୍ତ ଶର୍କରା ସ୍ବାଭାବିକତାଠାରୁ କମିଯାଇଥାଏ। ୨-ଡିଜି ଔଷଧ ସେବନ କଲେ ଏହି ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଇଥାଏ।

ତେବେ ଏହି ଔଷଧ ମାଗଣାରେ ମିଳିବ ନା ତା’ର ଦାମ୍ କେତେ ରହିଛି? ୨-ଡିଜି ଔଷଧ ଏ ପର୍ଯ୍ୟନ୍ତ ବଜାରରେ ପହଞ୍ଚି ନାହିଁ ଏବଂ ଏହାର ଦାମ୍ ମଧ୍ୟ ଘୋଷଣା କରାଯାଇ ନାହିଁ। ଏହି ଔଷଧ ପାଉଡର ଆକାରରେ ଆସିବ ଏବଂ ଏଥିରେ ପାଣି ମିଶାଇ ସେବନ କରିବାକୁ ହେବ। ଜୁନ୍ ମଧ୍ୟଭାଗ ସୁଦ୍ଧା ଏହା ସରକାରୀ ଓ ବେସରକାରୀ ହସ୍ପିଟାଲକୁ ଆସିଯିବ ଏବଂ ଏହାର ବାଣିଜ୍ୟିକ କାରବାର ଆରମ୍ଭ ହୋଇଯିବ ବୋଲି ଡ. ରେଡ୍ଡୀଙ୍କ ଲାବୋରେଟୋରି ପକ୍ଷରୁ ଆଶା କରାଯାଇଛି।

ବିଶେଷଜ୍ଞଙ୍କ ମତ

ଏକ କ୍ୟାନ୍ସର ଔଷଧ ଭାବେ ପୂର୍ବରୁ ପରୀକ୍ଷିତ
କୋଷଗୁଡ଼ିକୁ ଶର୍କରା ଯୋଗାଣ ବନ୍ଦ କରିଦିଏ
ଫୁସ୍‌ଫୁସ୍‌ରେ ଭୂତାଣୁଙ୍କ ବଂଶବୃଦ୍ଧିକୁ ରୋକିବ
ଅମ୍ଳଜାନ-ନିର୍ଭରଶୀଳତାକୁ କମେଇଦେବ
କୋଭିଡ୍-୧୯ ରୋଗୀକୁ ୨-ଡିଜି ଦିଆଗଲେ ଭଲ ହେବା ପ୍ରକ୍ରିୟା ୨-୩ ଦିନ ଶୀଘ୍ର ହୋଇଥାଏ
ଔଷଧକୁ ଯେତେ ଶୀଘ୍ର ସମ୍ଭବ କୋଭିଡ୍ ଚିକିତ୍ସାରେ ପ୍ରୟୋଗ କରାଯିବା ଉଚିତ

୨ ଡିଅକ୍ସି ଗ୍ଲୁକୋଜ୍: ଆଶାର ଆଲୋକ
କରୋନା ଦ୍ବିତୀୟ ଲହରରେ ସଂକ୍ରମଣ ଓ ମୃତ୍ୟୁହାର ସମସ୍ତଙ୍କୁ ଆତଙ୍କିତ କରିଛି। ଏହି ସମୟରେ କୋଭିଡ୍‌-୧୯ ରୋଗର ନୂଆ ଔଷଧ ୨-ଡିଜି ଚିକିତ୍ସା ବିଜ୍ଞାନ ପାଇଁ ନୂଆ ଆଶା ଓ ସମ୍ଭାବନା। ଏହି ଔଷଧ ବର୍ତ୍ତମାନ ତୃତୀୟ ପର୍ଯ୍ୟାୟ ପରୀକ୍ଷା ସ୍ତରରେ ଅଛି ଏବଂ ଡିଆର୍‌ଡିଓ ଏହାର ବ୍ୟବହାର ପାଇଁ ଅନୁମତି ଦେଇଛି। ଏହାର ପ୍ରୟୋଗ ଦ୍ଵାରା କୋଭିଡ୍‌-୧୯ ରୋଗୀଙ୍କ ଅମ୍ଳଜାନର ଆବଶ୍ୟକତା ବହୁତ ପରିମାଣରେ କମିଯିବ ଏବଂ ରୋଗୀଟି ଅତିଶୀଘ୍ର ଲକ୍ଷଣବିହୀନ ହୋଇପାରିବ।

ଏହି ଔଷଧଟି ଯଦିଚ ଚିକିତ୍ସା ବିଜ୍ଞାନ ପାଇଁ ନୂଆ ନୁହେଁ, ତଥାପି ଏହାର ପ୍ରୟୋଗ କୋଭିଡ୍‌-୧୯ର ଚିକିତ୍ସା ପାଇଁ ନୂଆ ସମ୍ଭାବନାର ବାଟ କାଢିଛି। ୨-ଡିଜି ଔଷଧଟି ଆଗରୁ କର୍କଟ ରୋଗୀଙ୍କଠାରେ ପ୍ରୟୋଗ କରାଯାଇଛି ଏବଂ ଏହାର ସଫଳତା କୋଭିଡ୍‌-୧୯ ରୋଗୀଙ୍କ ଚିକିତ୍ସା ପାଇଁ ଏକ ନୂଆ ଆଶା ଆଣିଦେଇଛି। ସାଧାରଣ ଗ୍ଲୁକୋଜ୍‌ ଅଣୁ ପ୍ରତିଟି କୋଷରେ ହେଉଥିବା ଗ୍ଲାଇକୋଲିସିସ୍ ପ୍ରକ୍ରିୟାରେ ବ୍ୟବହୃତ ହୋଇପାରେ ଏବଂ ଗ୍ଲାଇକୋଲିସିସ୍ ପ୍ରକ୍ରିୟା ଦ୍ବାରା କୋଷଟି ଶରୀର ପାଇଁ ଶକ୍ତି ତିଆରି କରେ ଯାହାଫଳରେ ଶରୀରର କୋଷଗୁଡିକ ବୃଦ୍ଧି ହୁଏ ଏବଂ କୋଷଗୁଡିକର ବିଭାଜନ ହୋଇପାରେ। ୨-ଡିଜି ଠିକ୍ ସାଧାରଣ ଗ୍ଲୁକୋଜ୍ ଭଳି ପ୍ରତିଟି କୋଷ ଭିତରେ ପଶିଯାଏ ଏବଂ ଗ୍ଲାଇକୋଲିସିସ୍ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଏ। ଫଳରେ କୋଷ ପାଇଁ ଦରକାର ହେଉଥିବା ଶକ୍ତି ମିଳେନାହିଁ। ଫଳରେ ଏହି କୋଷରେ ରହିଥିବା କୋଭିଡ୍‌-୧୯ ଭୂତାଣୁ ଶକ୍ତି ଅଭାବରୁ ନିଜର ବିଭାଜନ ଏବଂ ବଂଶ ବିସ୍ତାର କରିପାରେ ନାହିଁ। ଏହାଦ୍ବାରା ରୋଗୀଙ୍କଠାରେ ଅମ୍ଳଜାନର ଆବଶ୍ୟକତା କମିଯାଏ ଏବଂ ରୋଗୀଟି ଜଲ୍‌ଦି ଲକ୍ଷଣବିହୀନ ହୋଇଯାଏ।

୨-ଡିଜି ଔଷଧ ଏକ ପାଉଡର ଆକାରରେ ଉପଲବ୍ଧ। ଏହାକୁ ପାଣିରେ ମିଶେଇ ଦିନକୁ ଦୁଇ ଥର ଖାଇବାକୁ ପଡେ। ଏହା ସହିତ ଅନ୍ୟାନ୍ୟ ଔଷଧ ମଧ୍ୟ ଖାଇବାକୁ ପଡେ। ଦେଖାଯାଇଛି ଯେ ଯେଉଁ ରୋଗୀମାନେ ୨-ଡିଜି ଔଷଧ ସେବନ କରିଛନ୍ତି ସେମାନେ ସାଧାରଣ ଚିକିତ୍ସା ଅପେକ୍ଷା ୩ ଦିନ କମ୍ ସମୟ ମଧ୍ୟରେ ଲକ୍ଷଣ ବିହୀନ ହୋଇପାରିଛନ୍ତି। ଏହି ଔଷଧଟି କୋଭିଡ୍‌ ରୋଗୀଙ୍କ ପାଇଁ ବିଶଲ୍ୟକରଣୀ ସଦୃଶ ହେଉ ଏହା ହିଁ ଆଶାର ଆଲୋକ।
ଡା. ପ୍ରିୟଦର୍ଶୀ ତ୍ରିପାଠୀ, ଡିଏମ୍,
କାର୍ଡିଓଲୋଜି, ଅଶ୍ବିନୀ ହସ୍ପିଟାଲ

ସମ୍ବନ୍ଧିତ ଖବର