ମନ ପ୍ରଫୁଲ୍ଲ ଓ ମୁହଁରେ ହସ ପାଇଁ ଖାଆନ୍ତୁ ଏଇ ପାଞ୍ଚଟି ଜିନିଷ

ବିଭିନ୍ନ କାରଣରୁ ମନ ଉଦାସ ରହିବା ସହ ମୁହଁରୁ ହସ ଲିଭିଯାଇ ଥାଏ। ମାନସିକ ଅବସାଦ, ଦ୍ରୌବଲ୍ୟ, ବ୍ୟାକୁଳତା ଆଦି ଆବେଗିକ କାରଣ ଯୋଗୁଁ ମାନସିକ ସ୍ଥିତି ଏ ଭଳି ହୋଇଥାଏ। ମନରୁ ବିଷାଦ ଭାବ ଦୂରେଇବା ପାଇଁ ଥିବା ଉପଚାରଗୁଡ଼ିକ ମଧ୍ୟରେ ଖାଦ୍ୟର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ପ୍ରକାରାନ୍ତରେ କହିବାକୁ ଗଲେ ଯେଉଁ କାରଣ ପାଇଁ ମନ ଉଦାସ ରହୁଛି ସେ ସବୁ କାରଣ ଦୂରେଇବାରେ ଏ ସବୁ ଖାଦ୍ୟ ମସ୍ତିଷ୍କକୁ ସାହାଯ୍ୟ କରିଥାଏ।

ଚକ୍‌ଲିଟ୍‌: ଖଣ୍ଡେ ଦି’ଖଣ୍ଡ ଚକ୍‌ଲିଟ୍‌ ଖାଇଦେଲେ ମନ ଖୁସି ହୋଇଯାଏ। ଥିଓବ୍ରୋମିନ୍‌, ଟାଇରୋସିନ୍‌ ଏବଂ ସେରୋଟନିନ୍‌ ଭଳି ମିଜାଜ୍‌ ହାଲ୍‌କା କରିବା ନିମନ୍ତେ ଆବଶ୍ୟକ ରାସାୟନିକ ପଦାର୍ଥ ଚକ୍‌ଲିଟ୍‌ ଖାଇବା ଦ୍ୱାରା ଶରୀରରେ ନିର୍ଗତ ହେଉଥିବାରୁ ଏପରି ହୋଇଥାଏ।

କଦଳୀ: ମନରୁ ଅବସାଦ ଦୂର କରିବା ପାଇଁ କଦଳୀ ଖିଆଯାଇ ପାରେ। ଏହି ହଳଦିଆ ରଙ୍ଗର ଫଳରେ ଥିବା ଟ୍ରାଇପ୍‌ଟୋଫାନ୍‌ ଶରୀରକୁ ଗଲେ ସେରୋଟନିନ୍‌ରେ ପାଲଟିଯାଏ। ସେରୋଟନିନ୍‌ ମିଜାଜ୍‌ ଖୁସିକାରୀ ନ୍ୟୁରୋଟ୍ରାନ୍‌ସ୍‌ମିଟର୍‌ ଭାବେ କାମ କରେ। ଏହାଛଡ଼ା ରକ୍ତରେ ଶର୍କରାସ୍ତର ସ୍ଥିର ରଖି ମନ ହାଲୁକା କରିଥାଏ।

ବସାଦହି: ବସାଦହିରେ ଥିବା ଉପକାରୀ ଅଣୁଜୀବ ପେଟ ଓ ହଜମକ୍ରିୟା ପାଇଁ ଅମୃତ ତୁଲ୍ୟ। ଏହା ଖାଇବା ଦ୍ୱାରା ମସ୍ତିଷ୍କ ଉପରେ ମଧ୍ୟ ସୁପ୍ରଭାବ ପଡ଼େ। ଅର୍ଥାତ୍‌ ଏହା ମିଜାଜ୍‌ ଖୁସି କରୁଥିବା ନ୍ୟୁରୋଟ୍ରାନ୍‌ସ୍‌ମିଟର୍‌ ଭଳି କାମ କରେ।

ଶାଗୁଆ ଚା: କପେ ଶାଗୁଆ ଚା ବା ଗ୍ରିନ୍‌ ଟି ପିଇଦେଲେ ତୁରନ୍ତ ମୁଣ୍ଡରୁ ବୋଝ ହଟିଯିବା ପରି ଲାଗେ। ଏଥିରେ ଥିବା ଏଲ୍‌-ଥିଆନିନ୍‌ ନାମକ ଏମିନୋ ଏସିଡ୍‌ ଗୁଣ ଶରୀର ଓ ମନକୁ ଶାନ୍ତ କରି ପକାଉଥିବାରୁ ଏ ଭଳି ଅନୁଭବ ହୁଏ। ଏହା ମସ୍ତିଷ୍କରୁ ବିଷାଦ ଆଚ୍ଛାଦନକୁ ଦୂରେଇ ରଖେ। କୌଣସି କାରଣରୁ ଉଦାସ ଲାଗିଲେ କପେ ଶାଗୁଆ ଚା ପିଇ ଦେବା ଉଚିତ।

ମସୁରଡାଲି: ଦୈନିକ ଅଳ୍ପ କିଛି ମସୁରଡାଲି ଖାଇଲେ ଶରୀରର ସେରୋଟନିନ୍‌ ସ୍ତର ବଢ଼ିଥାଏ। ଫଳରେ ମୁଣ୍ଡର ବୋଝ ହାଲୁକା ହୋଇ ମନ ପ୍ରଫୁଲ୍ଲ ଲାଗେ। ଏହାଛଡ଼ା ଏଥିରେ ଲୌହଭାଗ ଥିବାରୁ ଦେହରେ ଶକ୍ତିସ୍ତର ବଢ଼ାଇ ପାରେ।

ସମ୍ବନ୍ଧିତ ଖବର