ଆମେ ବ୍ୟବହାର କରୁଥିବା ଏମିତି ଅନେକ ଜିନିଷ ଅଛି ଯାହାକୁ ଅନ୍ୟକୁ ଦେବାରେ କୁଣ୍ଠାବୋଧ କରୁନାହିଁ। ବିଶେଷ କରି ପରିବାର ଏବଂ ବନ୍ଧୁବାନ୍ଧବଙ୍କ ମଧ୍ୟରେ ବ୍ୟବହାର୍ଯ୍ୟ ସାମଗ୍ରୀ ଦେଣନେଣ ଚାଲେ। ଆମେ ସ୍ନେହ କରୁଥିବା ଲୋକଙ୍କ ସହ ଲୁଗାପଟା ଠାରୁ ଆରମ୍ଭ କରି ଖାଦ୍ୟପାନୀୟ ଯାଏଁ ବାଣ୍ଟିଥାଉ। କିନ୍ତୁ ଯେଡ଼େ ବୈଦାନ୍ୟ ହୋଇଥାଆନ୍ତୁ ନା, କାହିଁକି, କେତେକ ଜିନିଷ ବାଣ୍ଟ କରିବା ଅନୁଚିତ।
ସେଗୁଡ଼ିକ ପ୍ରଥମେ ହାନିକାରକ ବୋଲି ଜଣା ନ ପଡ଼ି ପାରେ। କିନ୍ତୁ, ସେଗୁଡ଼ିକ କାହାକୁ ଦେବା ଅନୁଚିତ। ସେମିତି କେତେକ ଜିନିଷ ହେଲା:
ହେଡ୍ଫୋନ୍: ହେଡ୍ଫୋନ୍ କାନରେ ଗୁଞ୍ଜିବା ଦ୍ୱାରା ଗୁଡ଼ାଏ ବ୍ୟାକ୍ଟେରିଆ କାନରୁ ବାହାରି ସେଥିରେ ଲାଗି ରହନ୍ତି। ଏବେ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ହେଡ୍ଫୋନ୍ ବ୍ୟବହାର କରିବା ଯୋଗୁଁ କାନରେ ବ୍ୟାକ୍ଟେରିଆଙ୍କ ସଂଖ୍ୟା ସାତଗୁଣ ବଢ଼ିଯାଏ। ତେଣୁ କାହାକୁ ହେଡ୍ଫୋନ୍ ଦେଲେ କି, କାହା ବ୍ୟବହୃତ ହେଡ୍ଫୋନ୍ ବ୍ୟବହାର କଲେ ବ୍ୟାକ୍ଟେରିଆ ଆଦାନପ୍ରଦାନ ହିଁ ହୋଇଥାଏ।
ଟୁଥ୍ବ୍ରସ୍: ଦାନ୍ତଘଷା ବ୍ରସ୍ ଦେବାନେବା ଠାରୁ ଖରାପ କଥା ଆଉ କିଛି ନାହିଁ। ତେଣୁ ଯାହା ହେଉଯାଉ ପଛେ, କାହାଠୁ ଟୁଥ୍ବ୍ରସ୍ ଆଣନ୍ତୁ ନାହିଁ କି, ଦିଅନ୍ତୁ ନାହିଁ। ଦାନ୍ତ ଡାକ୍ତରମାନେ କହନ୍ତି, ତିନି ମାସ ବ୍ୟବହୃତ ଟୁଥ୍ବ୍ରସ୍ରେ ବିପୁଳ ପରିମାଣର ବ୍ୟାକ୍ଟେରିଆ ଥାଆନ୍ତି। ଏହା ଅନ୍ୟର ଶରୀରରେ ସଂକ୍ରମଣ ବଢ଼ାଇବାରେ ସହାୟକ ହୁଅନ୍ତି।
ଅନ୍ତଃବାସ ଓ ମୋଜା: ଏ ଦୁଇ ଚିଜ ଅଦଳବଦଳ କରିବା ଦ୍ୱାରା ଚର୍ମରୋଗ ହୋଇଥାଏ। ଏହାର କାରଣ ମଣିଷ ଶରୀର କେତେକ ସ୍ଥାନ ଶରୀରର ଅନ୍ୟାନ୍ୟ ସ୍ଥାନ ଠାରୁ ଭିନ୍ନ। ତେଣୁ ପର ବ୍ୟବହୃତ ଅନ୍ତଃବାସ ବ୍ୟବହାର ଦ୍ୱାରା ସହଜରେ ଚର୍ମରୋଗ ବ୍ୟାପୀଥାଏ। ପର ମୋଜା ବ୍ୟବହାର କରିବା ଦ୍ୱାରା ପାଦରେ ଫଙ୍ଗସ୍, କୁଣ୍ଡିଆ ଆଦି ହୋଇଥାଏ।
କ୍ରିମ୍: କ୍ରିମ୍ ବ୍ୟବହାର ବେଳେ ଡିବାରେ ଲୋକେ ଗହିରିଆ କରି ଆଙ୍ଗୁଠି ପୂରାଇ ଦେଇଥାଆନ୍ତି। ଏମିତି କରିବା ଦ୍ୱାରା ସେଥିରେ ମିଶୁଥିବା ବ୍ୟାକ୍ଟେରିଆ ଫଙ୍ଗାଲ୍ ଇନ୍ଫେକସନ୍ର କାରଣ ହୋଇଥାଏ। ତା’ଛନା ଅନ୍ୟାନ୍ୟ ବହୁ ଚର୍ମ ରୋଗ ମଧ୍ୟ ବ୍ୟାପିଥାଏ। ବ୍ୟାକ୍ଟେରିଆ ନ ବ୍ୟାପିବା ପାଇଁ ଏଗୁଡ଼ିକୁ ଏୟାର୍ଟାଇଟ୍ ପାତ୍ରରେ ରଖନ୍ତୁ। ଫଳରେ ସେଥିରେ ବ୍ୟକ୍ଟେରିଆ ବଂଶ ବଢ଼ିବ ନାହିଁ।
ଖିଅର ହେଉଥିବା ବ୍ଲେଡ୍: ଅନ୍ୟ ବ୍ୟବହୃତ ବ୍ଲେଡ୍ରୁ ହେପାଟାଇଟିସ୍ ଏବଂ ଅନ୍ୟାନ୍ୟ ସଂକ୍ରମଣ ବ୍ୟାପିଥାଏ। ବ୍ଲେଡ୍ରେ ଗୁଡ଼ାଏ ବ୍ୟାକ୍ଟେରିଆ ଏବଂ ଫଙ୍ଗି ରହୁ ଥିବାରୁ ଏ ଭଳି ହୋଇଥାଏ। ତେଣୁ ଅନ୍ୟଠାରୁ ବ୍ଲେଡ୍ ନ ଆଣିବା ସହ ନିୟମିତ ବ୍ୟବଧାନରେ ନିଜେ ବ୍ୟବହାର କରୁଥିବା ବ୍ଲେଡ୍ ମଧ୍ୟ ବଦଳି କରନ୍ତୁ।