ସୁଖ ସନ୍ଧାନରେ କିଏ ବା ନ ରହେ? ଧନୀ, ଗରିବ, ପାଠୁଆ, ଅପାଠୁଆ ପ୍ରତ୍ୟେକ ଲୋକଙ୍କ ଜୀବନର ସେଇ ଗୋଟାଏ ଲକ୍ଷ୍ୟ, ଟିକିଏ ସୁଖ। ତେବେ, ସୁଖରେ ରହିବା ଅତି ସହଜ କଥାଟି ହୋଇ ମଧ୍ୟ ସମସ୍ତେ କିନ୍ତୁ ସହଜରେ ସେହି ଅନୁଭବ ପାଇପାରନ୍ତି ନାହିଁ। ଆପଣ ଯଦିଓ ପୂର୍ବରୁ ଜାଣିଥିବେ ଯେ ବ୍ୟକ୍ତିର ଦୁଃଖର କାରଣ ସେ ନିଜେ। ନିମ୍ନରେ ଦିଆଯାଇଥିବା କେତେକ କୌଶଳକୁ ଆପଣେଇ ଦେଖନ୍ତୁ କିପରି ସୁଖ ଆପଣଙ୍କ ଚରଣ ଛୁଇଁବ।
Sambad is now on WhatsApp
Join and get latest news updates delivered to you via WhatsApp
-‘କାମନାର ବିନାସରେ ଦୁଃଖର ବିନାସ’ କଥାଟି ମିଛ ନୁହେଁ। ମାତ୍ର ଏବେ ଯୁଗ ଅନୁସାରେ କାମନାର ବିନାସ ଏତେ ସହଜ ନୁହେଁ। କାମନାରୁ ହତ୍ୟା କରି ସୁଖ ସନ୍ଧାନରେ ଥିବା ବ୍ୟକ୍ତିଙ୍କ ସଂଖ୍ୟା ନଗଣ୍ୟ। ସମସ୍ତେ ସଫଳତା ଚାହାନ୍ତି। ନିଜ କ୍ଷେତ୍ରରେ ସଫଳ ହେବାର ଇଚ୍ଛା ଶକ୍ତି ଆଦୌ ମନ୍ଦ କଥା ନୁହେଁ। ମାତ୍ର ସଫଳ ହେବାର ଇଚ୍ଛା ରଖି ସେଥିପାଇଁ ତତ୍ପର ନଥିବା ବ୍ୟକ୍ତି ଦୁଃଖ ପାଇଥାନ୍ତି। କାହିକିଁ ନା, ମଣିଷ ଦ୍ୱାରା ସବୁ କିଛି ସମ୍ଭବ ବୋଲି କଥାଟେ ତ ଆପଣ ଶୁଣିଥିବେ ନିଶ୍ଚୟ। ମନେ ରଖନ୍ତୁ ଯେ ସଫଳ ହେବା ଗୁରୁତ୍ୱପୂର୍ଣ୍ଣ ନୁହେଁ, ସଫଳତାକୁ ଆଖିରେ ରଖି କରାଯାଉଥିବା କାର୍ଯ୍ୟରେ ହିଁ ଲୁଚି ରହିଥାଏ ପ୍ରକୃତ ସୁଖ।
-ଅନ୍ୟ ସହିତ ନିଜକୁ ତୁଳନା କରିବା ଏକ ଘୃଣ୍ୟ କାର୍ଯ୍ୟ ବୋଲି ଶୁଣିଥିବେ ନିଶ୍ଚୟ। ଏମିତିକି ଏହି କାର୍ଯ୍ୟ କରିବା ପାଇଁ ବଡ଼ ଲୋକମାନେ ଆମକୁ ଉପଦେଶ ମଧ୍ୟ ଦେଇଥାନ୍ତି। ଗୋଟାଏ ଦୃଷ୍ଟିରୁ ଦେଖିବାକୁ ଗଲେ ଅନ୍ୟ ସହ ନିଜକୁ ତୁଳନା କରିବାରେ କୌଣସି ଅସୁବିଧା ନାହିଁ। ମାତ୍ର ତୁଳନା କରିବା ପରେ ଆପଣ କେଉଁ ଭଳି ଭାବେ ପ୍ରଭାବିତ ହେଉଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ। ପ୍ରତ୍ୟେକ ବ୍ୟକ୍ତି ପାଖରେ କିଛିଟା ସ୍ୱତନ୍ତ୍ର ଦକ୍ଷତା ରହିଛି। ଆପଣ ଅନ୍ୟ ସହ ନିଜକୁ ତୁଳନା କରି ନିଜର ଦୁର୍ବଳତା କାଢ଼ନ୍ତୁ। ଏପରିକି ପାରୁଛନ୍ତି ଯଦି ଅପରଲୋକର ଭଲକୁ ଗ୍ରହଣ କରନ୍ତୁ। ଦେଖିବେ ଏକ ଆତ୍ମସନ୍ତୋଷ ମିଳିବ, ତାହା କୌଣସି ସୁଖଠାରୁ କମ୍ ନୁହେଁ।
-ଆପଣ ଜାଣନ୍ତି କି, ପରିବେଶ ପ୍ରଭାବ ବ୍ୟକ୍ତିକୁ ଖୁବ୍ ବେଶି ପ୍ରଭାବିତ କରିଥାଏ? ଭଲ ପରିବେଶରେ ରହିଥିବା ବ୍ୟକ୍ତି ସକାରାତ୍ମକ ଏବଂ ମନ୍ଦ ପରିବେଶରେ ରହୁଥିବା ବ୍ୟକ୍ତି ନକାରାତ୍ମକ ହୋଇଥାନ୍ତି। ନକାରାତ୍ମକ ଭାବ ଦୁଃଖର ପ୍ରମୁଖ କାରଣ ହୋଇଥାଏ। ଆପଣ ଯେତେ ବି ସଫଳତା ପାଆନ୍ତୁ, ଆପଣଙ୍କ ନିଜ ଲୋକ ଆପଣଙ୍କୁ ଯେତେ ବି ଶ୍ରଦ୍ଧା କରନ୍ତୁ ପଛେ ଆପଣ ଯଦି ନକାରାତ୍ମକ ସ୍ୱଭାବର ବ୍ୟକ୍ତି ତେବେ କେବେ ବି ସୁଖି ହୋଇପାରିବେ ନାହିଁ। ସକାରାତ୍ମକ ଚିନ୍ତାଧାରା ପାଇଁ ଘରକୁ ଠିକ୍ ସଜାଇ ପରିଷ୍କାର ରଖନ୍ତୁ। ଅପରିଷ୍କାର ପରିବେଶ ବ୍ୟକ୍ତିକୁ ନକାରାତ୍ମକ କରାଇଥାଏ।
-ବନ୍ଧୁ ମଧ୍ୟ ସୁଖ-ଦୁଃଖର କାରଣ ପାଲଟିଥାଆନ୍ତି। ଜଣେ ବ୍ୟକ୍ତି ତା’ର ବନ୍ଧୁର ଆଚରଣ ଦ୍ୱାରା ସବୁଠାରୁ ବେଶି ପ୍ରଭାବିତ ହୋଇଥାଏ। ବନ୍ଧୁ ଯଦି ଉତ୍ତମ ହୋଇଥାନ୍ତି ତେବେ ତାଙ୍କ ପ୍ରଭାବରେ ନିଜର ସ୍ୱଭାବରରେ ମଧ୍ୟ ପରିବର୍ତ୍ତନ ଆସିଥାଏ। ଆପଣ ନିଶ୍ଚୟ ଜାଣିଥିବେ ଯେ ସୁଖ ଏକ ବସ୍ତୁ ନୁହେ, ଏକ ଅନୁଭବ। ବ୍ୟକ୍ତିର ଆଚରଣ ଅନୁସାରେ ହିଁ ସାମାଜିକ ସଂପର୍କ ସୃଷ୍ଟି ହୋଇଥାଏ।। ଏକଥା ସ୍ପଷ୍ଟ ଯେ ଅନେକ ଲୋକଙ୍କ ଶ୍ରଦ୍ଧା ପାଉଥିବା ବ୍ୟକ୍ତି ଖାଲି ସୁଖି ନୁହଁନ୍ତିି, ଭାଗ୍ୟଶାଳୀ ମଧ୍ୟ।
-ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନିଜର ଦକ୍ଷତା ଅନୁସାରେ କାର୍ଯ୍ୟ କରିବା। କିଛି ବ୍ୟକ୍ତି ବ୍ୟବସାୟରେ ନିପୁଣ ତ କେହି ଲୋକ ଖେଳରେ ତ ପୁଣି କେହି ଅଭିନୟରେ। ପୂର୍ବରୁ କହିଛି, ଅନ୍ୟ ସହ ନିଜକୁ ତୁଳନା କରିବାରେ ଅସୁବିଧା ନାହିଁ କିନ୍ତୁ ପ୍ରଭାବିତ ହେବାରେ ଅସୁବିଧା ରହିଛି। ଆପଣ ନିଜ ପରି ହେବାକୁ ଚେଷ୍ଟା କରନ୍ତୁ। ସମସ୍ତଙ୍କ ମଧ୍ୟରେ ଭିନ୍ନ ଦକ୍ଷତା ରହିଛି ବୋଲି ବିଶ୍ୱାସ ରଖି ହସି ହସି କାର୍ଯ୍ୟ କରିଯିବାରେ ହିଁ ଅଛି ଜୀବନର ପ୍ରକୃତ ଆନନ୍ଦ।