ନଭେମ୍ବର ୧୪, ପଣ୍ଡିତ ଜବାହରଲାଲ ନେହେରୁଙ୍କର ଜନ୍ମ ଦିନ। ସେ ପିଲାଙ୍କୁ ଖୁବ୍ ଭଲ ପାଉଥିବାରୁ ଏହି ଦିନଟିକୁ ‘ଶିଶୁ ଦିବସ’ ରୂପେ ପାଳନ କରାଯାଇଥାଏ। କିନ୍ତୁ ନିଜର ଜୀବନକାଳରେ ଆହୁରି ଅନେକ ଆଦର୍ଶ ଆଚରଣର ଦୃଷ୍ଟାନ୍ତ ନେେହରୁ ରଖିଯାଇଛନ୍ତି।
ପଣ୍ଡିତ ନେହେରୁ ଥିଲେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ। ମୃତ୍ୟୁ (୧୯୬୪) ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ହୋଇ ରହିଥିଲେ। ସ୍ୱାଧୀନ ଭାରତରେ ସାହିତ୍ୟ, ଲଳିତକଳା ଓ ସଂଗୀତ-ନାଟକ କ୍ଷେତ୍ରରେ ବହୁବିଧ ବିକାଶପାଇଁ ସେ ସ୍ୱପ୍ନ ଦେଖିଥିଲେ। ତାହାର ଫଳ ସ୍ୱରୂପ ୧୯୫୪ରେ ପ୍ରତିଷ୍ଠା ହୋଇଥିଲା ତିନିଟି ଅକାଦେମୀ। ସାହିତ୍ୟ ଅକାଦେମୀ ସେଥିମଧ୍ୟରୁ ଗୋଟିଏ। ୧୯୫୪ରୁ ୧୯୬୪ ପର୍ଯ୍ୟନ୍ତ ପଣ୍ଡିତ ନେେହରୁ ତାହାର ସଭାପତି ଥିଲେ।
ଗୋଟିଏ ପଟେ ସେ ଭାରତର ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ପଟେ ସାହିତ୍ୟ ଅକାଦେମୀର ସଭାପତି; ତେଣୁ କ୍ଷମତା ଅସୀମ। କିନ୍ତୁ ପଣ୍ଡିତ ନେେହରୁ ସେହି କ୍ଷମତାର ଅପବ୍ୟବହାର କରି ନଥିଲେ। ସମ୍ବିଧାନ ଅନୁସାରେ ଅକାଦେମୀ ଏକ ସ୍ୱୟଂଶାସିତ ସଂସ୍ଥା ହୋଇଥିବାରୁ, ସେ ପ୍ରଧାନମନ୍ତ୍ରୀ ଓ ସଭାପତିଙ୍କ ମଧ୍ୟରେ ଗୋଟିଏ ଲକ୍ଷ୍ମଣ ରେଖା ଟାଣିଥିଲେ। ସ୍ପଷ୍ଟ ଭାବରେ କହିଥିଲେ, “As President of the Akademi I may tell you quite frankly, I would not like the Prime Minister to interfere with my work.” ଅର୍ଥାତ୍, ମୁଁ ସ୍ପଷ୍ଟ କହିରଖିବାକୁ ଚାହେ ଯେ ଅକାଦେମୀର ସଭାପତି ଭାବରେ ମୁଁ କେବେ ବି ମୋର କାର୍ଯ୍ୟରେ ପ୍ରଧାନମନ୍ତ୍ରୀଙ୍କର ହସ୍ତକ୍ଷେପକୁ ପସନ୍ଦ କରିବି ନାହିଁ।”
ଆମେ ଅନେକ ସମୟରେ ଏକାଧିକ ପଦ-ପଦବୀରେ କାମ କରିବାର ସୁଯୋଗ ପାଇଥାଉ। କିନ୍ତୁ ଦେଖାଯାଏ ଯେ ବ୍ୟକ୍ତି ଜଣେ ହୋଇଥିବାରୁ, ସେହିସବୁ ଭିନ୍ନଭିନ୍ନ ପଦପଦବୀର କାମ ଏକ ଅପରଦ୍ୱାରା ପ୍ରଭାବିତ ହୋଇଥାଏ। କିନ୍ତୁ ପଣ୍ଡିତ ନେେହରୁଙ୍କର ଏହି ଉକ୍ତି ଆମକୁ ସୂଚାଏ ଯେ ସେପରି ହେବା ଅନୁଚିତ।
ସାହିତ୍ୟ ଅକାଦେମୀର ସଭାପତି ଭାବରେ ସେ ଯେପରି ସେହି ସ୍ୱୟଂଶାସିତ ସଂସ୍ଥାର ସ୍ୱାଧୀନତା ଓ ମର୍ଯ୍ୟାଦା ଅକ୍ଷୁଣ୍ଣ ରଖିଥିଲେ, ପ୍ରଧାନମନ୍ତ୍ରୀ ଭାବରେ ମଧ୍ୟ ସେହିପରି ଅକାଦେମୀର କାର୍ଯ୍ୟରେ ହସ୍ତକ୍ଷେପ କରି ନଥିଲେ। ତାଙ୍କର ଏହି ଆଦର୍ଶ ଆଚରଣ ଆଜି ଆମପାଇଁ ଏକ ଉଦାହରଣ ହୋଇ ରହିଛି।