ଭାରତୀୟ ଶାସ୍ତ୍ର ପୁରାଣମାନଙ୍କରେ ମନୁଷ୍ୟକୁ ପାପରୁ ମୁକ୍ତ କରିବାପାଇଁ ଅନେକ ବ୍ରତ, ଉପବାସ, ଯାଗ, ଯଜ୍ଞ ଆଦିର ନିର୍ଦ୍ଦେଶ ଅଛି। ସେଥି ମଧ୍ୟରେ ଏକ ବିଶେଷ ସ୍ଥାନ ଅଧିକାର କରେ ଶିବରାତ୍ରି ବ୍ରତ।
Sambad is now on WhatsApp
Join and get latest news updates delivered to you via WhatsApp
ବହୁ ପ୍ରାଚୀନ କାଳର କଥା। ଏକଦା ଦେବତାମାନେ ଏକତ୍ର ହୋଇ ଭଗବାନ ଶଙ୍କରଙ୍କୁ ପ୍ରାର୍ଥନା କରି ଅନୁରୋଧ କଲେ, “ଏ କଳିଯୁଗ ସମସ୍ତ ପ୍ରକାରର ପାପରେ ଭାରାକ୍ରାନ୍ତ। ଆପଣ ଦୟାକରି ଏପରି କୌଣସି ଗୋଟିଏ ଦିନ ସଂପର୍କରେ କହନ୍ତୁ, ଯେଉଁ ଦିନଟି ବର୍ଷଯାକର ସମସ୍ତ ପାପକୁ ଶୁଦ୍ଧ କରିବା ନିମିତ୍ତ ସମର୍ଥ ହେବ ଏବଂ ଯାହା ଦ୍ୱାରା ମନୁଷ୍ୟ କରୁଥିବା ହୋମ ଯଜ୍ଞ ଇତ୍ୟାଦି ଆମକୁ ପ୍ରାପ୍ତ ହେବ। କାରଣ କଳିକାଳରେ ଅଶୁଦ୍ଧ ମନୁଷ୍ୟ ଦ୍ୱାରା ଅର୍ପିତ କୌଣସି ବସ୍ତୁ ଆମକୁ ପ୍ରାପ୍ତ ହେଉନାହିଁ।”
ଏହା ଶୁଣି ଭଗବାନ ପଶୁପତି ଦେବତାମାନଙ୍କୁ ସାନ୍ତ୍ୱନା ଦେଇ କହିଲେ, “ଯେଉଁ ଦିନ ସଂପର୍କରେ ଆପଣମାନେ ଅନୁରୋଧ କରୁଛନ୍ତି ସେହି ଦିନଟି ହେଉଛି ଫାଲଗୁନ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିର ରାତ୍ରିକାଳ। ଏହି ସମୟ ମନୁଷ୍ୟର ସମସ୍ତ ପାପକୁ ଶୁଦ୍ଧ କରିବା ନିମିତ୍ତ ସମର୍ଥ। କାରଣ, ଏହିଦିନ ମୁଁ ଭୂତଳରେ ଥିବା ସମସ୍ତ ଚଳ ଓ ଅଚଳ ଶିବଲିଙ୍ଗରେ ସଂକ୍ରମଣ କରେ। ଯେଉଁ ମନୁଷ୍ୟ ଏହିଦିନ ଓଁ ସଦ୍ୟଜାତାୟ ନମଃ, ଓଁ ବାମଦେବାୟ ନମଃ, ଓଁ ଅଘୋରାୟ ନମଃ, ଓଁ ଈଶାନାୟ ନମଃ, ଓଁ ତତ୍ପୁରୁଷାୟ ନମଃ ଉଚ୍ଚାରଣ କରି ଗନ୍ଧ, ପୁଷ୍ପ, ଚନ୍ଦନ, ଧୂପ, ଦୀପ, ନୈବେଦ୍ୟ ସହିତ ମୋର ପଞ୍ଚମୁଖର ପୂଜନ କରିବ ତାର ସମସ୍ତ ପାପ ନାଶ ଯିବ।” ଏଥି ସହିତ, ଅର୍ଘ୍ୟ ମନ୍ତ୍ର ଭାବରେ- “ହେ ପାର୍ବତୀ ଦେବୀଙ୍କର ପ୍ରିୟତମ, ସମସ୍ତ ଦେବତାଙ୍କର ସ୍ୱାମୀ ତଥା ସର୍ପମାଳାରେ ବିଭୂଷିତ ଚନ୍ଦ୍ରଶେଖର, ଆପଣ ବର୍ଷସାରା କରିଥିବା ମୋର ସମସ୍ତ ପାପରୁ ମୋତେ ମୁକ୍ତ କରି ମୋର ଅର୍ଘ୍ୟ ଗ୍ରହଣ କରନ୍ତୁ! ବୋଲି ପ୍ରାର୍ଥନା କରି ଯେଉଁ ବ୍ୟକ୍ତି ଶିବ ପୂଜନ କରି ଶିବରାତ୍ରି ବ୍ରତ ପାଳନ କରେ, ଆଶୁତୋଷ ଭଗବାନ ଶିବ ତାକୁ ଅନନ୍ତ ମୁକ୍ତି ପ୍ରଦାନ କରି ଶିବଲୋକରେ ସ୍ଥାନ ଦେଇଥାନ୍ତି। ଏଣୁ କୁହାଯାଇଛି, ଗଙ୍ଗା ପରି କୌଣସି ତୀର୍ଥ ନାହିଁ, ଶିବଙ୍କ ପରି କୌଣସି ଦେବତା ନାହାନ୍ତି ଏବଂ ଶିବରାତ୍ରି ପରି କୌଣସି ତପ ନାହିଁ। ଦେବତାମାନଙ୍କର ଅନୁରୋଧରେ ନାରଦ ମୁନି ମର୍ତ୍ତ୍ୟଲୋକରେ ଏହାର ପ୍ରଚାର ଓ ପ୍ରସାର କରାଇଥିଲେ।
ଡକ୍ଟର ତୁଳସୀ ଓଝା